ବିରଳ: ୫୦୫ ଗ୍ରାମ୍‌ର ଶିଶୁକୁ ୨ ବର୍ଷ

ଭୁବନେଶ୍ବର: ଦୁଇ ବର୍ଷ ପୂର୍ବେ ସମ୍ ହସ୍ପିଟାଲରେ ମାତ୍ର ୫୦୫ ଗ୍ରାମ୍ ଓଜନର ଜନ୍ମ ନେଇଥିବା ଶିଶୁ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଗତ ୨୦୧୮ ମେ ମାସରେ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଓଡ଼ିଶାରେ ଏତେ କମ୍ ଓଜନର ଶିଶୁ ଜନ୍ମ ଗ୍ରହଣ କରି ସୁସ୍ଥ ହେବା ଏକ ଅସାଧାରଣ ଘଟଣା।

ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ ବିବାହର ୧୬ ବର୍ଷ ପରେ ଏକ ଦମ୍ପତିଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ବିଭିନ୍ନ ଶାରୀରିକ ସମସ୍ୟା ନେଇ ଅସୁସ୍ଥ ଥିବା ମହିଳାଙ୍କ ପୂର୍ବରୁ ୫ଟି ଗର୍ଭ ନଷ୍ଟ ହୋଇଥିଲା। ଗର୍ଭଧାରଣର ମାତ୍ର ୨୫ ସପ୍ତାହରେ ଏହି ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ତେବେ ଏହି କୁନି ଝିଅଟିର ଓଜନ ସେତେବେଳେ ମାତ୍ର ୫୦୫ ଗ୍ରାମ ଥିଲା। ଓଜନ କମ ଥିବାରୁ ଏହା ଡାକ୍ତରମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଜନ୍ମ ପରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ଶିଶୁ କନ୍ୟାଟିର ଚିକିତ୍ସା ଓ ଯତ୍ନ ନେବା ଆରମ୍ଭ କରିଥିଲେ। ଦୀର୍ଘ ୬ ମାସ ଏନ୍ଆଇସିୟୁ ଭେଂଟିଲେଟରରେ ରହିଥିଲା ଶିଶୁ କନ୍ୟାଟି। ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡା.ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ଡା.ଦେବାଶିଷ ନନ୍ଦ, ଡା.ରତନ ଦାସ, ଡା.ଭଗୀରଥି ମଲ୍ଲିକ, ଡା.ରୋଜାଲିନ୍ ରାଉତ, ଡା.ପାୟଲ ପ୍ରଧାନ, ଡା. ବିନୀତ ପାଣିଗ୍ରାହୀ ଏବଂ ନର୍ସିଂ ଷ୍ଟାଫ ଦୀପ୍ତି, ବିଷ୍ଣୁ, କବିତା ଓ ମଧୁ। ସେମାନଙ୍କର ଉଦ୍ୟମ ଓ ଉତ୍ତମ ଚିକିତ୍ସା ଫଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି। ସାଧାରରଣତଃ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ କମ୍ ଓଜନ ନେଇ ଜନ୍ମ ନେଇଥିବା ଶିଶୁମାନଙ୍କର ଶାରୀରିକ ସମେତ ମାନସିକ ବିକାଶ ଠିକ୍ ଭାବେ ହୋଇ ନ ଥାଏ । ତେବେ ଶିଶୁଟିକୁ ବର୍ତମାନ ଦୁଇ ବର୍ଷ ପୂରିଥିବା ବେଳେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡା. ସାହୁ କହିଛନ୍ତି। ଏପରିକି ଗତ ଦୁଇ ବର୍ଷ ଧରି ସମ୍ ହସ୍ପିଟାଲ୍‌ରେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ପକ୍ଷରୁ ତା’ର ଜନ୍ମଦିନ ମଧ୍ୟ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର