ଦଶମ ଶ୍ରେଣୀ ଛାତ୍ରଙ୍କ ବିରଳ କୃତିତ୍ବ: ନିର୍ମାଣ କରୁଛନ୍ତି କୃତ୍ରିମ ହାତ

ଭୁବନେଶ୍ବର: ବୟସ ମାତ୍ର ୧୬। ଦଶମ ଶ୍ରେଣୀର ଛାତ୍ର। କିନ୍ତୁ କମ୍ପ୍ୟୁଟର କୋଡିଂ ଶିକ୍ଷା ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଥ୍ରୀ ଡି ପ୍ରିଣ୍ଟରକୁ ବ୍ୟବହାର କରି ନିର୍ମାଣ କରି ପାରୁଛନ୍ତି କୃତ୍ରିମ ହାତ। ବିଶ୍ବାସ ନ ହେଲେ ବି ସତ। ପ୍ଲାଷ୍ଟିକ୍‌ରେ କୃତ୍ରିମ ହାତ ନିର୍ମାଣ କରି ସେ ପ୍ରମାଣ କରିଦେଖାଇଛନ୍ତି। ଉକ୍ତ ହାତକୁ ରୋପଣ କରିବା ପରେ ନାବାଳିକା ଜଣକ ବି ସେଥିରେ ବହୁ କାମ କରିବାକୁ ସକ୍ଷମ ହେଉଛନ୍ତି। ଲେଖିବାଠାରୁ ଆରମ୍ଭ କରି ସାଇକେଲ ଚଲାଇବା ଓ ୫ କେଜି ଓଜନର ଜିନିଷପତ୍ର ଉଠାଇବା ଭଳି କାମ ସେହି କୃତ୍ରିମ ହାତରେ କରିପାରୁଛନ୍ତି। ଏହି ଛାତ୍ର ବୈଜ୍ଞାନିକ ହେଉଛନ୍ତି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ର ଦଶମ ଶ୍ରେଣୀର ଛାତ୍ର ଶାସ୍ବତ ମିଶ୍ର। ତାଙ୍କର ଏହି ବିରଳ କୃତିତ୍ବକୁ ନେଇ ଏବେ ସେ କେବଳ ବିଦ୍ୟାଳୟ ନୁହେଁ, କେତେକ ଅଗ୍ରଣୀ ଅନୁଷ୍ଠାନରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛନ୍ତି।

ଶାସ୍ବତ ପଞ୍ଚମ ‌ଶ୍ରେଣୀରୁ କୋଡିଂ ପାଠ୍ୟକ୍ରମ କରିଥିଲେ। ପରେ ପରେ ସେଥିରେ ଥ୍ରୀ ଡି ପ୍ରିଣ୍ଟର ଯୋଡ଼ିବା କାମ ଶିଖିଥିଲେ। ଏହା ପରେ ସେ ହାଇଟେକ୍ନୋଲୋଜି ବିଶିଷ୍ଟ ଥ୍ରୀ ଡି ପ୍ରିଣ୍ଟର୍ କିଣିଥିଲେ। ଜାପାନ, ଋଷ ଓ ଜର୍ମାନ ଭଳି ବିଦେଶରୁ ଅନ୍ୟାନ୍ୟ ସାମଗ୍ରୀ କିଣି ଏହି କୃତ୍ରିମ ହାତ ତିଆରିର ଟେକ୍ନୋଲୋଜିର ଉନ୍ନୀତକରଣ କରିଥିଲେ। କୃତ୍ରିମ ହାତ ତିଆରି ପୂର୍ବରୁ ସେ ସେଥିରେ ଷ୍ଟେପର୍ ମୋଟର, ଫିଲାମେଣ୍ଟ ଆର୍ ଡ୍ୟୁନୋ, ଏକ୍ସଟ୍ରୁଡର, ହଟେଣ୍ଡ, ହିଟେଡ୍‌ ବେଡ୍‌ ଆଦି ନିଜ ହାତରେ ତିଆରି କଲେ। ଏସବୁ ପରେ ଏକ କୃତିମ ହାତ ତିଆରି କରିବାକୁ ସେ ଲାଗିପଡ଼ିଲେ। ପ୍ରାୟ ୬ ମାସର ପରୀକ୍ଷା ପରେ କୃତ୍ରିମ ହାତ ନିର୍ମାଣ ପାଇଁ ସେ ରାସ୍ତା ବାହାର କରିଥିଲେ। ତେବେ ଏଥିପାଇଁ ଜଣେ ଦିବ୍ୟାଙ୍ଗଙ୍କୁ ଖୋଜିବାକୁ ପଡ଼ିଥିଲା। ତାଙ୍କ ସ୍କୁଲ୍‌ର ଶିକ୍ଷକ ଓ ଏକ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଶାସ୍ବତ ଚତୁର୍ଥ ଶ୍ରେଣୀର ଛାତ୍ରୀ କିରଣ ବେହେରାଙ୍କୁ ପାଇଥିଲେ। ଜନ୍ମରୁ କିରଣଙ୍କର ଗୋଟିଏ ହାତ ନଥିଲା। କହୁଣୀ ପାଖରୁ ହାତଟି ନଥିଲା। ଶାସ୍ବତ କିରଣଙ୍କ ହାତର ମାପ ନେଇ କୃତ୍ରିମ ହାତ ତିଆରିରେ ଲାଗି ପଡ଼ିଲେ। ୬ ମାସ ପରେ ହାତଟି ତିଆରି ହୋଇଗଲା। କିନ୍ତୁ ଖଞ୍ଜିଲା ବେଳକୁ କିଛି ତ୍ରୁଟି ଦେଖାଗଲା। ତେଣୁ ପୁଣି ଥରେ ପରୀକ୍ଷା କରି ଶାସ୍ବତ ଉକ୍ତ ତ୍ରୁଟିକୁ ସୁଧାରିଲେ ଓ କିରଣଙ୍କ ହାତ ଖଞ୍ଜିଦେଲେ।
କିରଣଙ୍କ କହିବା କଥା ଡାକ୍ତରଙ୍କ ପରାମର୍ଶକ୍ରମେ ସେ ପୂର୍ବରୁ ଏକ କୃତିମ ହାତ ଲଗାଇଥିଲେ। କିନ୍ତୁ ତାହାକୁ ପିନ୍ଧିଲେ କଷ୍ଟ ଲାଗୁଥିଲା। ଏବେ ଶାସ୍ବତ ଭାଇଙ୍କ ନିର୍ମିତ ହାତ ଭଲ କାମ କରୁଛି। ଏମିତିକି ତାହା କୃତ୍ରିମ ବୋଲି ମନେ ହେଉନାହିଁ। ସେ ସାଇକେଲ ଚଳାଇ ପାରୁଛନ୍ତି ଓ ସେହି ହାତରେ ୫ କେଜି ଓଜନର ଜିନିଷପତ୍ର ଉଠାଇ ପାରୁଛନ୍ତି। ତେବେ ଆଗକୁ ସେହି ହାତରେ ଗାଡ଼ି ଚଳାଇ ହେବ ବୋଲି ଶାସ୍ବତ କହିଛନ୍ତି। ଏଥିପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଗକୁ ସେ ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଦିବ୍ୟାଙ୍ଗମାନଙ୍କୁ କମ୍ ମୂଲ୍ୟରେ ଏଭଳି କୃତ୍ରିମ ଅଙ୍ଗ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ବୋଲି ଶାସ୍ବତ କହିଛନ୍ତି।

ସମ୍ବନ୍ଧିତ ଖବର