୬ ଶିଶୁଙ୍କ ହୃଦୟରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଛଅ ଜଣ ଶିଶୁଙ୍କ ହୃଦୟରେ ସଫଳ ଅସ୍ତ୍ରୋପଚାର ସହ ସେମାନଙ୍କୁ ଜଟିଳ ହୃଦ୍‌ରୋଗରୁ ମୁକ୍ତି ଦିଆଯାଇଛି। ଏଇ କିଛିଦିନ ଭିତରେ ୨ ବର୍ଷୀୟ ଶିଶୁ ଅର୍ଣ୍ଣବ ସାମଲ, ଦିବ୍ୟାଂଶୁ ବେହେରା (୮ମାସ), ଅନୁକୁମାର ସାମଲ (୩), ଶୁଭମ ପାଲ୍‌ (୩), ପୁଷ୍ପା ସ୍ବାଇଁ ଓ ମାନସ ଦାସ ଜଟିଳ ହୃଦ୍‌ରୋଗ ସମସ୍ୟା ଭୋଗୁଥିବା ବେଳେ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ରେ ସେମାନଙ୍କଠାରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହୃଦ୍‌ରୋଗ ବିଭାଗ ମୁଖ୍ୟ ଡାକ୍ତର ଅକ୍ଷୟ କୁମାର ସାମଲ କହିଛନ୍ତି, ଛାତିରେ ଛିଦ୍ର ହେଉ ଅବା ଧମନୀ ସମସ୍ୟା ଯୋଗୁଁ ଶିଶୁମାନଙ୍କ ହୃଦୟରେ ଅସ୍ତ୍ରୋପଚାର ଆହ୍ବାନ ପାଲଟିଥିବାରୁ ଏହାକୁ ସବୁଠାରେ କରାଯାଉନାହିଁ। ମାତ୍ର ହାଇଟେକ୍‌ରେ ସବୁଠୁ ଜଟିଳ ଶିଶୁ ହୃଦ୍‌ରୋଗୀଙ୍କୁ ମଧ୍ୟ ଅସ୍ତ୍ରୋପଚାର ପରେ ସୁସ୍ଥ କରାଯାଇପାରିଛି।

ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ହୃଦ୍‌ରୋଗର ଚିକିତ୍ସା ପାଇଁ ସାଢ଼େ ୩ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଘରର ଶିଶୁମାନଙ୍କ ଅସ୍ତ୍ରୋପଚାର ମାଗଣାରେ କରାଯାଇଛି। ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଳ୍ପ କିଛି ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ଉପାଧ୍ୟକ୍ଷ ତିରୁପତି ଚୌଧୁରୀଙ୍କ ପରାମର୍ଶ ମୁତାବକ ଅସ୍ତ୍ରୋପଚାର ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ସତ୍ୟ ସ୍ବରୂପ ପଟ୍ଟନାୟକ କହିଛନ୍ତି। କାଡିଓ ଭାସ୍କୁଲାର ସର୍ଜନ ବିଭାଗର ଡାକ୍ତର ଏଲ୍‌ ବିଜୟଙ୍କ ତତ୍ତ୍ବାବଧାନରେ ଡାକ୍ତର ଅନୁପମା ରାଓ, ସତ୍ୟ ସ୍ବରୂପ ପଟ୍ଟନାୟକ ଓ ଚନ୍ଦନ ଦାସଙ୍କ ଦ୍ବାରା ଏହି ଚିକିତ୍ସା କରାଯାଇଛି।

ସମ୍ବନ୍ଧିତ ଖବର