ଖଣ୍ଡଗିରି: ଇନଫୋଭ୍ୟାଲି ସ୍ଥିତ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଅନୁସନ୍ଧାନ ପ୍ରତିଷ୍ଠାନର ଏକ ଡାକ୍ତରୀଦଳ ବିରଳ ତଥା ଆକ୍ରମଣାତ୍ମକ କର୍କଟ ରୋଗର ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି। ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଡାହାଣ ପାଖ ଅଣ୍ଟା ଫୁଲିବା ସହ ଯନ୍ତ୍ରଣା ହେଉଥିବାରୁ ସେ ପୂର୍ବରୁ ବିଭିନ୍ନ ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଇଥିଲେ। ହେଲେ ଯନ୍ତ୍ରଣାର କୌଣସି ନିର୍ଦ୍ଦିଷ୍ଟ ନିରାକରଣ କରାଯାଇପାରୁ ନଥିବାରୁ ସେ ବାଗ୍ଚି ଶଙ୍କରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ତାଙ୍କର ମେସୋଥେଲିଓମା ନାମକ ଟେଷ୍ଟିକୁଲାର କ୍ୟାନସରର ଏକ ବିରଳ ତଥା ଆକ୍ରମଣାତ୍ମକ କର୍କଟ ରୋଗ ଚିହ୍ନଟ କରାଯାଇଥିଲା। ସ୍କାନ୍ରୁ ତାଙ୍କ ଟ୍ୟୁମର ଜଂଘ ଏବଂ ପେଟ ଭିତରେ ଥିବା ବଡ଼ ରକ୍ତବାହୀ ସହିତ ପେଟ ଭିତରେ ଥିବା ଲସିକା ଗ୍ରନ୍ଥିରେ ବ୍ୟାପି ଯାଇଥିବା ଜଣାପଡ଼ିଥିଲା। ଟ୍ୟୁମରକୁ ସଙ୍କୁଚିତ କରିବା ପାଇଁ କନସଲ୍ଟାଣ୍ଟ ମେଡିକାଲ ଅଙ୍କୋଲୋଜିଷ୍ଟ ରୂପକ ଗିରି ତାଙ୍କୁ କେମୋଥେରାପି ଦେବାସହ ପରେ ରାହୁଲ ଜେନା, ଉଷାଶ୍ରୀ ଦାସ ଓ ନୂପୁର ମୋଡ଼ାଙ୍କ ନେତୃତ୍ବରେ ଉନ୍ନତ ଲାପ୍ରସ୍କୋପିକ କୌଶଳ ବ୍ୟବହାର କରି ସର୍ଜନଙ୍କର ଏକ ଦଳ ପେଟ, ପେଲୱିକ୍ ଗୁହା, ଅଣ୍ଟା ଓ ଜଂଘ ଭିତରେ ଥିବା ସମସ୍ତ କର୍କଟ ସଂକ୍ରମିତ ସ୍ଥାନକୁ ହଟାଇଥିଲେ।
ଏଥିପାଇଁ ଲାପ୍ରସ୍କୋପିକ ଏବଂ ଆନାସ୍ଥେସିଆ କୌଶଳରେ ଅତ୍ସୋପଚାର କରାଯାଇଥିଲା। ଓଡ଼ିଶାରେ ଏପରି କର୍କଟ ରୋଗର ଏହା ପ୍ରଥମ ଅସ୍ତ୍ରୋପଚାର ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ହିଁ ରୋଗୀ ବସିବା, ଚାଲିବା ଏବଂ ଖାଇବାରେ ସକ୍ଷମ ହୋଇଥିଲେ। ଅସ୍ତ୍ରୋପଚାରର ୩ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। ଏ ନେଇ ଡାକ୍ତର ରାହୁଳ ଜେନା କହିଛନ୍ତି, ଏହି ରୋଗର ବିରଳ ପ୍ରକୃତି ହେତୁ ଚିକିତ୍ସା ଯୋଜନା କରିବା କଷ୍ଟକର ଥିଲା। ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଡାକ୍ତରୀ ଦଳଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ଓଡ଼ିଶାର ଲୋକଙ୍କ ସେବା ଜାରି ରଖିବାକୁ ଉତ୍ସାହିତ କରିଥିଲେ।