ସନ୍‌ସାଇନ୍‌ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ୍‌ ହସ୍ପିଟାଲ୍‌ରେ ‘ହୀରାମାୟା’(ସ୍ନାୟୁଜନିତ ସମସ୍ୟା) ରୋଗରେ ପୀଡ଼ିତ ଜଣେ ଡାକ୍ତରୀ ଛାତ୍ରଙ୍କ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ଉତ୍ତରପ୍ରଦେଶ ଏମ୍‌ସରେ ଦ୍ବିତୀୟ ବର୍ଷରେ ପଢ଼ୁଥିବା ଏହି ଛାତ୍ର ଜଣକ କିଛି ଦିନ ତଳେ ଏହି ବିରଳ ସ୍ନାୟୁ ରୋଗରେ ପୀଡ଼ିତ ହୋଇଥିଲେ। ‌ଦୁଇ ମାସ ପୂର୍ବେ ହଠାତ୍‌ ରୋଗର ଯନ୍ତ୍ରଣା ବଢ଼ି ଯିବା ସହ ଚଳପ୍ରଚଳ କରିବା ପାଇଁ ଅକ୍ଷମ ହୋଇପଡ଼ିଥିଲେ। ଫଳ‌ରେ ସେ ଏହାର ଚିକିତ୍ସା ପାଇଁ ଦେଶର ବିଭିନ୍ନ ସ୍ଥାନ ବୁଲି ଡାକ୍ତରମାନଙ୍କ ପରାମର୍ଶ ନେଇ ବିଫଳ ହୋଇଥିଲେ।

ପରବର୍ତ୍ତୀ ସମୟରେ ସନ୍‌ସାଇନ୍‌ ହସ୍ପିଟାଲ୍‌ର ନ୍ୟୁରୋ ଏବଂ ସାଇନ୍ସ ସର୍ଜରି ବିଭାଗର ବିଶେଷଜ୍ଞ ଡାକ୍ତର ଆତ୍ମରଂଜନ ଦାଶଙ୍କୁ ଭେଟି ରୋଗ ସମ୍ପର୍କରେ କହିଥିଲେ। ଡାକ୍ତର ଦାଶ ଏହାର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଏହି ବିଭାଗର ଅନ୍ୟ ଡାକ୍ତର ପ୍ରଫୁଲ୍ଲ ସାହୁ, ସ୍ନାୟୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ପୟୋଦ ଜେନା ଓ ଡାକ୍ତର ଶ୍ରୀ ଦାଶ ଏବଂ ଅନ୍ୟ ସହଯୋଗୀମାନଙ୍କ ମିଳିତ ଉଦ୍ୟମରେ ୩୦ ନଭେମ୍ବରରେ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ଏହି ଛାତ୍ର ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଜି ହସ୍ପିଟାଲ୍‌ ପରିସର‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ଓ ରୋଗୀ ଏହି ବିରଳ ଅସ୍ତ୍ରୋପଚାରର ଅନୁଭୂତି ବଖାଣିଥିଲେ।

ସମ୍ବନ୍ଧିତ ଖବର