ଖଣ୍ଡଗିରି: ନିର୍ଦ୍ଧାରିତ ସମୟ ପୂର୍ବରୁ ଜଟିଳ ଜନ୍ମଗତ ତ୍ରୁଟି ନେଇ ଜନ୍ମଗ୍ରହଣ କରିଥିବା ଜଣେ ଶିଶୁର ଜୀବନ ରକ୍ଷା କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ର ଡାକ୍ତରୀ ଦଳ। ଗର୍ଭଧାରଣର ମାତ୍ର ୩୩ ସପ୍ତାହରେ ଜନ୍ମଗ୍ରହଣ କରିଥିବା ଶୁଶୁଟି ମାତ୍ର ଦେଢ଼ କେଜି ଓଜନ ହୋଇଥିଲା ଏବଂ ବିରଳ ‘ପାଇରେ ରୋବିନ୍ ସିକ୍ୱେନ୍ସ’ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଶିଶୁର ତଳପାଟି ଖୁବ୍ ଛୋଟ ଓ ଜିଭ ଠିକ୍ ସ୍ଥାନରେ ନଥିଲା। ଫଳରେ ନିଶ୍ୱାସ ପ୍ରଶ୍ବାସରେ ଅସୁବିଧା ହେଉଥିଲା। ଏହାଛଡ଼ା ଶିଶୁର ତାଳୁ ବିଭକ୍ତ ଥିବାରୁ ସେ ଠିକ୍ ଭାବେ ଖାଦ୍ୟଗ୍ରହଣ କରି ପାରୁ ନଥିଲା।
ତେଣୁ ଡାକ୍ତରମାନେ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଏକ ନୂତନ ପ୍ରକ୍ରିୟା ଆପଣାଇଥିଲେ। ଓଡ଼ିଶାରେ ପ୍ରଥମଥର ପାଇଁ ଟ୍ରାକିଓଟୋମି ମାଧ୍ୟମରେ ତଣ୍ଟିରେ ଛୋଟ କଣା କରାଯାଇ ଟ୍ୟୁବ୍ ଭର୍ତ୍ତି କରାଯାଇଥିଲା। ଯାହାଦ୍ୱାରା ଶିଶୁଟିର ନିଶ୍ୱାସ ପ୍ରଶ୍ବାସ ସମ୍ଭବ ହୋଇପାରିଥିଲା। ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଦଳ ଟ୍ରାକିଆଲ ପୋର୍ଟ ମାଧ୍ୟମରେ ରେଟ୍ରୋଗ୍ରେଡ୍ ଇନ୍ଟ୍ୟୁବେସନ୍ ପଦ୍ଧତିରେ ଶିଶୁକୁ ନିଶ୍ୱାସ ପ୍ରଶ୍ବାସ ନେବାକୁ ସାହାଯ୍ୟ କରିଥିଲେ ବୋଲି ଅସ୍ତ୍ରୋପଚାରର ଲିଡ୍ ସର୍ଜନ୍ ତଥା ଇଏନ୍ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ବରିଷ୍ଠ କନ୍ସଲ୍ଟାଣ୍ଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି।
ବିରଳ ‘ଟ୍ରାକିଆଲ ସ୍ପ୍ଲିଟିଂ’ ପଦ୍ଧତି ଦ୍ୱାରା ୨.୫ ମିମି ଟ୍ୟୁବ୍ଟି ସଫଳତାର ସହ ଶିଶୁର ଶରୀରରେ ଖଞ୍ଜା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି। ଶିଶୁଟି କିଛି ଦିନ ଏନ୍ଆଇସିୟୁରେ ଚିକିତ୍ସିତ ହେବା ପରେ ବର୍ତମାନ ସାଢ଼େ ୩ ମାସର ହେଲାଣି। ତା’ର ଓଜନ ବଢ଼ିବା ସହ ନିଜେ ନିଶ୍ୱାସ ପ୍ରଶ୍ବାସରେ ସକ୍ଷମ ହୋଇପାରିଛି ବୋଲି ସମ୍ମମ୍ର ଶିଶୁ ଓ ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ୍ କନ୍ସଲ୍ଟାଣ୍ଟ ଡାକ୍ତର ହିମାଂଶୁ ଶେଖର ସାହୁ କହିଛନ୍ତି। ସେହିପରି ଏହି ଶିଶୁର ଚିକିତ୍ସା ଡାକ୍ତରୀ ଦଳ ପାଇଁ ବଡ଼ ଆହ୍ୱାନ ଥିଲା ବୋଲି ସମ୍ମମ୍ର ଶିଶୁରୋଗ ଓ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି।