‘ଅନ୍ବେଷୀ’ର ଅନ୍ତଃସ୍ବର ସବଳ, ସଚଳ ଓ ସୁଦୃଢ଼: ବିଭୂତି

ରାସ ବିହାରୀ ବେହେରାଙ୍କ ଉପନ୍ୟାସ ଲୋକାର୍ପିତ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ଉପରେ ପୂର୍ବରୁ ଅନେକ ସାହିତ୍ୟ ରଚନା ହୋଇଛି। କିନ୍ତୁ ଔପନ୍ୟାସିକ ରାସବିହାରୀ ବେହେରାଙ୍କ ରଚିତ ଉପନ୍ୟାସ ‘ଅନ୍ବେଷୀ’ ବିଭିନ୍ନ ଦିଗରୁ ଅନନ୍ୟ। ସମାଜରେ ଗାନ୍ଧୀବାଦ ସଭ୍ୟତାକୁ ସବଳ, ସଚଳ ଓ ସୁଦୃଢ଼ କରାଯାଇପାରିବ ବୋଲି ଏହି ଉପନ୍ୟାସରେ ଏକ ଅନ୍ତଃସ୍ୱର ରହିଛି। ବୁଦ୍ଧମନ୍ଦିରରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଆଜି ଏହା କହିଛନ୍ତି।

ସ୍ତମ୍ଭକାର ଡ. ଭଗବାନ ପ୍ରକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ପ୍ରାବନ୍ଧିକ ବାବାଜୀ ଚରଣ ପଟ୍ଟନାୟକ କହିଲେ, ଶ୍ରୀ ବେହେରା ଜଣେ ବିମୁଗ୍ଧ ପାଠକ। ପଢ଼ିବାର ନିଶା ତାଙ୍କୁ ଜଣେ ଭଲ ଲେଖକ କରିପାରିଛି। ଉପନ୍ୟାସଟିର ବିଭିନ୍ନ ଦିଗକୁ ଆଲୋଚନା କରି ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ବର ମୁଣ୍ଡ କହିଲେ, ଏଥିରେ ସାହିତ୍ୟ ଓ ଭାବର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଛି। ସାଧାରଣ ପାଠକର ଚିନ୍ତା ଓ ଚେତନାକୁ ସ୍ପର୍ଶ କରୁଥିବା ଶବ୍ଦ ବ୍ୟବହାର ହୋଇଥିବାରୁ ଏହା ପାଠକୀୟ ଆଦୃତି ଲାଭ କରିବ।

ସଭାପତିତ୍ବ ଭାଷଣରେ ଡ. ଭଗବାନ ପ୍ରକାଶ କହିଲେ, ଗାନ୍ଧୀବାଦ ଉପରେ ପର୍ଯ୍ୟବସିତ ଶ୍ରୀ ବେହେରାଙ୍କ ଉପନ୍ୟାସ ପ୍ରତ୍ୟେକ ଛାତ୍ରଛାତ୍ରୀ ପଢ଼ିବା ଆବଶ୍ୟକ। ଭବିଷ୍ୟତରେ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଲେଖକ ଶ୍ରୀ ବେହେରା କହିଲେ, କରୋନା କଟକଣା ସମୟରେ ଏହି ଉପନ୍ୟାସର କଳ୍ପନା ଓ ଲେଖା ସମ୍ପନ୍ନ ହୋଇଥିଲା। ଗାନ୍ଧୀଜୀଙ୍କ ଆଦର୍ଶ ଆଜି ମଧ୍ୟ ବିଶ୍ୱବାସୀଙ୍କ ପାଇଁ ଏକ ପ୍ରେରଣାଦାୟୀ ପ୍ରସଙ୍ଗ ବୋଲି ଶ୍ରୀ ବେହେରା କହିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ‘ଅର୍ଜି ପ୍ରକାଶିନୀ’ର ପ୍ରକାଶକ ନୀଳକଣ୍ଠ ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ପ୍ରଫେସର୍‌ ଗୋପବନ୍ଧୁ ବେହେରା ଏବଂ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ପଞ୍ଚାନନ କାନୁନ୍‌ଗୋଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର