ଓଡ଼ିଆରେ ‘ରସଗୋଲା’ ଚଳଚ୍ଚିତ୍ର କରିବେ ଅକ୍ଷୟ ପରିଜା

ଭୁବନେଶ୍ବର: ଓଡ଼ିଆରେ ‘ରସଗୋଲା’ ଚଳଚ୍ଚିତ୍ର ନିର୍ମାଣ କରିବେ ପ୍ରଯୋଜକ ଅକ୍ଷୟ ପରିଜା। ଏଥିରେ ଓଡ଼ିଶାରୁ କିଭଳି ରସଗୋଲାର ସୃଷ୍ଟି ହୋଇଛି, ତାହା ଚିତ୍ରଣ କରିବେ। ଏହି ଚଳଚ୍ଚିତ୍ରରେ ୧୧ଶହ ଖ୍ରୀଷ୍ଟାବ୍ଦର ଜଗନ୍ନାଥ ମନ୍ଦିର ଏବଂ ବଡ଼ଦାଣ୍ଡକୁ ଚଳଚ୍ଚିତ୍ର ମଧ୍ୟରେ ଉପସ୍ଥାପନ କରାଯିବ। ସିନେମାଟିରେ ୧୧ଶହ ଖ୍ରୀଷ୍ଟାବ୍ଦର ସମୟକୁ ଉପସ୍ଥାପନ କରିବା ପାଇଁ ଗ୍ରାଫିକ୍ସର ବ୍ୟବହାର କରାଯିବ। ଏହା ବିଗ୍‌ ବଜେଟ୍‌ର ଚଳଚ୍ଚିତ୍ର ହେବ ବୋଲି ମଧ୍ୟ ସେ କହିଛନ୍ତି। ଗତକାଲି ଏକ ହୋଟେଲ୍‌ରେ ଆୟାଜିତ ‘ଚିର୍‌କୁଟ୍‌’ ଚଳଚ୍ଚିତ୍ରର ମହୁରତ ଅବସରରେ ସେ ଏନେଇ ମତ ରଖିଛନ୍ତି।

ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବଙ୍ଗଳାରେ ନିର୍ମାଣାଧୀନ ଚଳଚ୍ଚିତ୍ର ‘ରସଗୋଲା’କୁ ନେଇ ବିବାଦ ଥମି ନଥିବା ବେଳେ ଏହି ଘୋଷଣା ଓଡ଼ିଶାବାସୀଙ୍କୁ ଆନନ୍ଦ ଦେଇଛି। ତେବେ ଏହି ଚଳଚ୍ଚିତ୍ରଟି କେବେ ନିର୍ମାଣ ହେବ, ସେ ସମ୍ବନ୍ଧରେ ଶ୍ରୀ ପରିଜା ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ଯେ ରସଗୋଲାର ସୃଷ୍ଟି ଏବଂ ତାହାର ଇତିହାସ ବହୁ ପୁରୁଣା, ଏକଥା ମୁଁ ସ୍ବୀକାର କରୁଛି। ତେବେ ବଙ୍ଗଳାରେ ଯେଉଁ ଚଳଚ୍ଚିତ୍ରଟି ନିର୍ମିତ ହେଉଛି, ତାହା ସମ୍ପୂର୍ଣ୍ଣ ପ୍ରେମଭିତ୍ତିକ କାହାଣୀ। ସେ ଏକଥା ବି କହିଛନ୍ତି ଯେ ଯେପରି ଏକ ବିଜ୍ଞାପନରେ ଗୋଟେ ଚକ୍‌ଲେଟ୍‌କୁ ନେଇ ‘ଖାନେ କେ ବାଦ୍‌ କୁଛ୍‌ ମିଠା ହୋ ଯାଏ.. କହି ବିଶ୍ବରେ ପ୍ରଚାର କରାଯାଉଛି ସେହିଭଳି ‘ରସଗୋଲା’କୁ ବିଶ୍ବବାସୀଙ୍କ ପାଖରେ ବ୍ରାଣ୍ଡିଂ କରିବା ପାଇଁ ମୋର ଏହି ଫିଲ୍ମ ପରିକଳ୍ପନ‌ା ବୋଲି ସେ କହିଛନ୍ତି। ଏ ବାବଦରେ ସେ ସୋସିଆଲ୍‌ ମିଡିଆରେ ସେୟାର କରିଥିବା ବେଳେ ତାଙ୍କୁ ଅନେକ ଏନେଇ ସାଧୁବାଦ ଜଣାଇଛନ୍ତି। ଓଡ଼ିଆରେ ‘ରସଗୋଲା’ ଫିଲ୍ମ ଖୁବ୍‌ଶୀଘ୍ର ଓଡ଼ିଶାବାସୀଙ୍କୁ ଭେଟି ଦେବାକୁ ସୋସିଆଲ୍‌ ମିଡିଆ ୟୁଜରମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର