ପାହାଳରେ ରସଗୋଲା ଦିବସ: ବ୍ରାଣ୍ଡିଂ ଓ ପ୍ୟାକେଜିଂ ଉପରେ ଗୁରୁତ୍ବ ଦିଆଯାଉ

ଭୁବନେଶ୍ବର: ନୀଳାଦ୍ରିବିଜେ ସମୟରେ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କ ମାନଭଂଜନ କରିଥା’ନ୍ତି। ଏହି ଅବସରରେ ରସଗୋଲା ଭୋଗ ଲାଗି ହୋଇଥାଏ। ତେଣୁ ରସଗୋଲା ଯେ ଓଡ଼ିଶାର, ୟା’ଠାରୁ ବଳିଷ୍ଠ ପ୍ରମାଣ ଆଉ କ’ଣ ହୋଇପା‌ରେ। ପାହାଳ ରସଗୋଲା ଉଦ୍ୟୋଗ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ଆୟୋଜିତ ବିଶ୍ବ ରସଗୋଲା ଦିବସରେ ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରା ଆଜି ଏହା କହିଛନ୍ତି। ଏହି ଅବସରରେ ସେ ଆହୁରି କହିଲେ, ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶାର ସୁନାମକୁ ସାରା ବିଶ୍ବରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ଫୁଲନଖରା ନିକଟ ଅନନ୍ତପୁର ମୌଜାରେ ରାଜ୍ୟ ସରକାର ଯୋଗାଇଥିବା ଜମିରେ ହେବାକୁ ଥିବା କ୍ଲଷ୍ଟର୍‌ କିପରି ଉନ୍ନତମାନର ହେବ, ସେନେଇ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି। ପାହାଳ ରସଗୋଲାର ବ୍ରାଣ୍ଡିଂ ଓ ପ୍ୟାକେଜିଂ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଫଳରେ ଏହାର ପ୍ରଚାରପ୍ରସାର ହୋଇପାରିବ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ, ରସଗୋଲା ଆମ ସଂସ୍କୃତି ସହ ସବୁବେଳେ ଜଡ଼ିତ ରହିଛି। ଅନ୍ୟତମ ଅତିଥି ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା କହିଲେ, ଉନ୍ନତମାନର ପ୍ୟାକେଜିଂ ଦ୍ବାରା ପାହାଳର ରସଗୋଲା ସାରା ବିଶ୍ବରେ ପହଞ୍ଚି ପାରିବ। ବିଏମ୍‌ସି ମେୟର୍‌ ସୁଲୋଚନା ଦାସ କହିଲେ, ରଥଯାତ୍ରା ଯେବେଠାରୁ ଆରମ୍ଭ ହୋଇଛି, ସେବେଠାରୁ ରସଗୋଲା ଆମର। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଦେଇ ମହାପ୍ରଭୁ ଜଗନ୍ନାଥ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି, ସେହି ପରମ୍ପରାକୁ ଆମ ଜାତି ଆପଣାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଭିତରେ ଡେପୁଟି ମେୟର୍‌ ମଞ୍ଜୁଲତା କହଁର, ପାହାଳ ଥାନା ଅଧିକାରୀ ଷ୍ଟାଲିନ୍‌ କୁମାର ବିଶ୍ବାଳ, କର୍ପୋରେଟର୍‌ ପ୍ରୀତିନନ୍ଦା ରାଉତରାୟ, ମାନସୀ ସୁନ୍ଦରରାୟ, ସୁକୁମାର ସାହୁ, ଅମରେଶ ଜେନା, ଦିବାକର ଦାସ ମହାରାଜ, ପ୍ରଶାନ୍ତ କୁମାର ଦାସ, ଗଗନ ବିହାରୀ ନାୟକ, ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ସଭାପତି ଧ୍ରୁବଚରଣ ବେହେରା, କଟକ ଜିଲ୍ଲା ଦୁଗ୍ଧ ବ୍ୟବସାୟୀ ସଂଘ ସଭାପତି ସୁବାସ ଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ପାତ୍ର, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମିତି ସଭାପତି ଅକ୍ଷୟ କୁମାର ଲେଙ୍କା ସ୍ବାଗତ ଭାଷଣ ଓ ସଂପାଦକ ନିରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର