ପାହାଳରେ ହେବ ରସଗୋଲା କ୍ଲଷ୍ଟର, ଅତ୍ୟାଧୁନିକ ଶୈଳୀରେ ରସଗୋଲା ପ୍ରସ୍ତୁତି ପାଇଁ ୧୫କୋଟି ସହାୟତା ଦିଆଯିବ

ଭୁବନେଶ୍ବର: ପ୍ରଭୁ ଗୁଣ୍ଡିଚା ବାଡ଼ିରୁ ଫେରି ଆଜି ନୀଳାଦ୍ରି ବିଜେ କରିଛନ୍ତି। କିନ୍ତୁ ଲକ୍ଷ୍ମୀଙ୍କୁ ‌ସାଙ୍ଗରେ ନେଇନଥିବାରୁ ଫେରିବା ବେଳେ ରସଗୋଲା ଦେଇ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କ ମାନଭଂଜନ କରିଛନ୍ତି। ଏହି ପରମ୍ପରା ଆଧାରରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରସଗୋଲା ଦିବସ। ଏହି ପରିପ୍ରେକ୍ଷୀରେ ‘ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି’ ପକ୍ଷରୁ ରସଗୋଲା ଦିବସ ପାହାଳ ରସଗୋଲା ହାଟରେ ପାଳିତ ହୋଇଯାଇଛି। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାହାଳରେ ଏକ ରସଗୋଲା କ୍ଲଷ୍ଟର ନିର୍ମାଣ କରାଯାଇ ରସଗୋଲାକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଇଡକୋ ପକ୍ଷରୁ ଖୁବଶୀଘ୍ର ଜମି ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇର ନିର୍ଦେଶକ ସୁକାନ୍ତ କୁମାର ସାହୁ ଯୋଗଦେଇ ପାହାଳ ରସଗୋଲାକୁ ଯଥାଶୀଘ୍ର ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ ଏବଂ ବିଭାଗ ପକ୍ଷରୁ ପାହାଳ ରସଗୋଲା ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରିବା ପାଇଁ ୧୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ କୁମାର ରାଉତ, ଗବେଷକ ଅସିତ ମହାନ୍ତି, ଏମ୍ଏସ୍ଏମ୍ଇର ସହକାରୀ ନିର୍ଦେଶକ ସରୋଜ କୁମାର ରଥ, ବୈଜ୍ଞାନିକ ଡ. ପି.କେ ପଣ୍ଡା, ଅନିତା ସାବତ, ବାବା ଦିବାକର ଦାସ, ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତି ବିମ୍ବାଧର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅକ୍ଷୟ କୁମାର ଲେଙ୍କା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ନୀଳାଦ୍ରି ବିହାରରେ ରସଗୋଲା ଦିବସ
ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ପକ୍ଷରୁ ରସଗୋଲା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଶୈଳଶ୍ରୀ ବିହାରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୂଢ଼ ପ୍ରଭୁଙ୍କ ସମ୍ମୁଖରେ ରସଗୋଲା ସମର୍ପଣ କରାଯାଇ ଭକ୍ତମାନଙ୍କୁ ବଣ୍ଟାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ, ବଟକୃଷ୍ଣ ପଣ୍ଡା, ଶିଶିର କୁମାର ମହାରଣା, କୁମର ବାରିକ, ଗଦାଧର ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କଳିଙ୍ଗ ସିନେ ଆର୍ଟ ପକ୍ଷରୁ ପକ୍ଷରୁ ମଧ୍ୟ ଦଧିବାମନ ମନ୍ଦିରରେ ରସଗୋଲା ଦିବସ ପାଳିତ ହୋଇଯାଇଛି। ରସଗୋଲା ଭୋଗ ପରେ ଭକ୍ତଙ୍କୁ ବଣ୍ଟା ଯାଇଥିଲା। ସୁଶାନ୍ତ ଦାସ, ଫକୀରମୋହନ ଧଳ, ବିଦ୍ୟାଧର ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର