ଓଡ଼ିଆ ପ୍ରାଣର ରସସିକ୍ତ ଅଭିବ୍ୟକ୍ତି ରସଗୋଲା

ମନ ମୋହିଲା ରସଗୋଲା ମହୋତ୍ସବ

ଚନ୍ଦ୍ରଶେଖରପୁର : ମକର ସଂକ୍ରାନ୍ତି ଅବସରରେ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଟେଲିଭିଜନ ନେଟଓ୍ଵର୍କ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରଥମ ରସଗୋଲା ମହୋତ୍ସବ ରାଜଧାନୀବାସୀଙ୍କୁ ବେଶ୍‌ ଆକୃଷ୍ଟ କରିଛି। ଏହି ଅବସରରେ ଓଡ଼ିଶାର ଗର୍ବ ରସଗୋଲା ଉପରେ ହୋଇଥିବା ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି ରସଗୋଲାକୁ ଓଡ଼ିଆ ପ୍ରାଣର ରସସିକ୍ତ ଅଭିବ୍ୟକ୍ତି ବୋଲି ଉଲ୍ଲେଖ କରିଛନ୍ତି।

ରସଗୋଲାର ପୌରାଣିକ କଥାବସ୍ତୁ ଉପରେ ମତ ରଖି ଶ୍ରୀ ମହାନ୍ତି କହିଲେ, ଶ୍ରୀମନ୍ଦିର ଭିତରେ ଏବଂ ଭେଟ ମଣ୍ଡପରେ ମଧ୍ୟ ରସଗୋଲା ଲାଗି କରାଯାଇଥାଏ। ବିଶିଷ୍ଟ ଜଗନ୍ନାଥ ଗବେଷକ ସ୍ୱର୍ଗତଃ ସଦାଶିବ ରଥଶର୍ମା ମଧ୍ୟ ଏ ବିଷୟରେ ଉଲ୍ଲେଖ କରିଯାଇଛନ୍ତି। ସେହିଭଳି ବହୁ ବର୍ଷ ପୂର୍ବେ ବଙ୍ଗୀୟ ଅତିଥିମାନଙ୍କୁ କିପରି ଓଡ଼ିଶାର ରସଗୋଲା ଦ୍ୱାରା ଆପ୍ୟାୟିତ କରାଯାଇଥିଲା ବିଶିଷ୍ଟ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ମଧ୍ୟ ଉଲ୍ଲେଖ କରିଯାଇଛନ୍ତି। ବ୍ୟାସକବି ଫକୀର ମୋହନ ସେନାପତି ମଧ୍ୟ ରସଗୋଲାକୁ ନେଇ ଉଲ୍ଲେଖ କରିଥିବା ବିଷୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ସେନାପତି ବିଶାଖାପାଟଣା ଓ୍ଵାଲ୍‌ଟିୟର୍‌ ଡିଭିଜନ୍‌ ବୁଲିବାକୁ ଯାଇଥିବାବେଳେ ଜୟପୁରର ତତ୍କାଳୀନ ଯୁବରାଜ ବିକ୍ରମଦେବ ସିଂ ତାଙ୍କୁ ରସଗୋଲା ଖୁଆଇ ଥିବା କଥା ପ୍ରମାଣ କରୁଛି ଯେ ରସଗୋଲା ହେଉଛି କେବଳ ଓଡ଼ିଶାର। ମାତ୍ର ପାହାଳ ରସଗୋଲାକୁ ଜିଆଇ ମାନ୍ୟତା ନିମନ୍ତେ ଦାବି କରିବା ବିଷୟ ପ୍ରଚାର କରି ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ପଶ୍ଚିମବଙ୍ଗ ରସଗୋଲାର ଜିଆଇ ମାନ୍ୟତା ହାସଲ କରିପାରିଛି। ବଙ୍ଗଳାର ଦାବିକୁ ମିଥ୍ୟା ପ୍ରମାଣିତ କରିବା ନିମନ୍ତେ ଗବେଷଣା ଜାରି ରହିଛି।

ବିଜୟ ମଲ୍ଲଙ୍କ ସଂଯୋଜନାରେ ରସଗୋଲାର ଜିଆଇ ମାନ୍ୟତା ନିମନ୍ତେ ସୋସିଆଲ୍‌ ମିଡିଆରେ ପ୍ରଚାର ଆରମ୍ଭ କରିଥିବା ଅନୀତା ସାବତ, ଜିଆଇ ମାନ୍ୟତା ଉପରେ ଚେଷ୍ଟା କରୁଥିବା ବୈଜ୍ଞାନିକ ପ୍ରମୋଦ ପଣ୍ଡା ପ୍ରମୁଖ ରସଗୋଲା ଉପରେ ଓଡ଼ିଶା ହିଁ ଏକମାତ୍ର ଦାବିଦାର ଥିବା ବିଷୟ ପ୍ରକାଶ କରିଥିଲେ।

ପୃଥିବୀର ବୃହତ୍ତମ ରସଗୋଲା!
ଆଜିର ଏହି ରସଗୋଲା ମହୋତ୍ସବରେ ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରୁ ଆସିଥିବା ରସଗୋଲା ବ୍ୟବସାୟୀମାନେ ୨୫ଟି ଷ୍ଟଲ୍‌ ଖୋଲିଥିଲେ। ତୁଳସୀ, ପୁଦିନା ଭଳି ବିଭିନ୍ନ ସ୍ୱାଦର ରସଗୋଲାକୁ ମନଭରି ଉପଭୋଗ କରିଥିଲେ ରାଜଧାନୀବାସୀ। ତନ୍ମଧ୍ୟରୁ ସାଲେପୁରର ପ୍ରସିଦ୍ଧ ରସଗୋଲା ନିର୍ମାତା ବିକଳାନନ୍ଦ କରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୧୦.୫୫କେଜିର ରସଗୋଲା ପୃଥିବୀର ସବୁଠୁ ବଡ଼ ରସଗୋଲା ହୋଇଥିବା ଆୟେଜକମାନେ ଦାବି କରିଥିଲେ। ମାତ୍ର ରାଜଧାନୀର ସହିଦନଗରସ୍ଥିତ ନିୟୁ ବିଦ୍ୟା ଗାଙ୍ଗୁରାମ ପକ୍ଷରୁ ଏକ ୧୫କେଜିର ରସଗୋଲା ସନ୍ଧ୍ୟା ସମୟରେ ମେଳାକୁ ଅଣାଯାଇଥିଲା। ଯାହାକି ବେଶ୍‌ ଆକର୍ଷଣୀୟ ହୋଇଥିଲା। ସେହିଭଳି ୧୨.୫୦୦କେଜିର ଏକ ରସଲମ୍ବା ମଧ୍ୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସର୍ବବୃହତ ରସଗୋଲାକୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ସ୍ଥାନିତ କରିବା ନେଇ ଚେଷ୍ଟା କରାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର