ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ସରିଥିଲା ମନ୍ଦିର ବାହାଘର

ଜେରା ବେଳେ ମାନିଲେ ସନ୍ତୋଷ, ବାକିଥିଲା କୋର୍ଟ ମ୍ୟାରେଜ୍

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲାରେ ରହସ୍ୟ ହୋଇ ରହିଥିବା ବହୁ ତଥ୍ୟ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ସେ ଆତ୍ମହତ୍ୟା କରିଥିବା ନେଇ ପ୍ରଥମରୁ ସ୍ପଷ୍ଟ ହୋଇଥିଲେ ବି ତାଙ୍କର ଏଭଳି ଚରମ ନିଷ୍ପତ୍ତି ନେବା ପଛର କାରଣ ବାବଦରେ ବହୁ କଥା ଫୁଟି ବାହାରୁଛି। ଏହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସର ପଚରାଉଚରା ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ପୁରୁଷବନ୍ଧୁ ସନ୍ତୋଷ ବେହେରାଙ୍କୁ ଆଜି ଜେରା କଲା ବେଳେ ପୁଲିସକୁ ବହୁ ତଥ୍ୟ ମିଳିଛି। ସନ୍ତୋଷ ରାଜଧାନୀର ଏକ ମନ୍ଦିରରେ ରଶ୍ମିରେଖାଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିବା ମାନିଛନ୍ତି। ଏମିତିକି ମାସକ ଭିତରେ ସେମାନେ କୋର୍ଟ ମ୍ୟାରେଜ୍‌ କରିଥାଆନ୍ତେ ବୋଲି ଯୋଜନା ଥିଲା ବୋଲି ପୁଲିସକୁ କହିଛନ୍ତି। ତେବେ ଆତ୍ମହତ୍ୟା ପଛରେ କି ରହସ୍ୟ ରହିଛି ବୋଲି ସେ ଜାଣିନଥିବା କହିଛନ୍ତି।

ଗତକାଲି ପୁଲିସ ରଶ୍ମିରେଖାଙ୍କ ପୂର୍ବତନ ପ୍ରେମିକ ଜ୍ୟୋତିରଂଜନ ନାଥ ଓ ଓରଫ୍‌ ରାଜାଙ୍କୁ ଦୁଇ ଘଣ୍ଟା କାଳ ମାରାଥନ ଜେରା କରିଥିଲା। ସେ ବି ରଶ୍ମିରେଖାଙ୍କୁ ଭଲ ପାଉଥିବା ମାନିଥିଲେ। କିନ୍ତୁ ଦୁଇ ବର୍ଷ ହେଲା ବ୍ରେକ୍‌ଅପ୍‌ ହୋଇଯାଇଥିଲା ଓ ସେମାନେ ପରସ୍ପରଠାରୁ ଦୂରେଇ ଯାଇଥିଲେ। ତେଣୁ ଏବେ ତାଙ୍କ ଆତ୍ମହତ୍ୟାର କାରଣ ବାବଦରେ ତାଙ୍କୁ କିଛି ଜଣାନାହିଁ ବୋଲି ରାଜା ପୁଲିସକୁ କହିଥିଲେ। ଆଜି ସନ୍ତୋଷ ପୁଲିସ ଜେରାର ସମ୍ମୁଖୀନ ହୋଇଥିଲେ। ପୁଲିସ ତାଙ୍କୁ ୩ ଘଣ୍ଟା କାଳ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା।

ରାଜା ଓ ରଶ୍ମିରେଖାଙ୍କ ମଧ୍ୟରେ ଥିବା‌ ପୂର୍ବ ସମ୍ପର୍କକୁ ନେଇ ପୁଲିସ ପ୍ରଶ୍ନ କରିଥିଲା। ଉକ୍ତ ସମ୍ପର୍କକୁ ନେଇ ରଶ୍ମିରେଖା ଓ ତାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା କି ବୋଲି ପୁଲିସ ପଚାରିଥିଲା। ସେହିଭଳି ଭାଇରାଲ୍ ହୋଇଥିବା ଭଏସ୍‌ ରେକର୍ଡ ବାବଦରେ ବି ପୁଲିସ ପଚାରିଥିଲା। ପୁଲିସର ଏଭଳି ପ୍ରଶ୍ନବାଣରେ ସନ୍ତୋଷଙ୍କର ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା। ସେ ମାନିଯାଇଥିଲେ ଯେ ସେ ରଶ୍ମିରେଖାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଗତ ଏପ୍ରିଲ୍‌ ମାସରେ ସେମାନେ ଏକ ମନ୍ଦିରରେ ବାହା ହୋଇଥିଲେ। ସେହିଦିନଠାରୁ ଉଭୟ ପତି ପତ୍ନୀ ହିସାବରେ ନୂଆପଲ୍ଲୀ ଗଡ଼ସାହି ସ୍ଥିତ ଭଡ଼ା ଘରେ ରହୁଥିଲେ। ଚଳିତ ମାସ ଶେଷ ସୁଦ୍ଧା ସେମାନେ କୋର୍ଟ ମ୍ୟାରେଜ୍‌ କରିଥାଆନ୍ତେ। ୪ ଦିନ ପୂର୍ବରୁ ସେ ବେଙ୍ଗାଲୁରୁ ଚାଲି ଯାଇଥିଲେ ବି ୧୭ ତାରିଖ ଦିନ ସେ ରଶ୍ମିରେଖାଙ୍କ ସହ କଥା ହୋଇଥିଲେ। କିନ୍ତୁ ୧୮ ତାରିଖ ଦିନ ଅର୍ଥାତ ଶନିବାର ସକାଳେ ସେ କଲ୍‌ କରିଥିଲେ ବି ରଶ୍ମିରେଖା ଫୋନ୍‌ ଉଠାଇନଥିଲେ। ବାରମ୍ବାର କଲ୍‌ କରିବା ପରେ ସେ ଫୋନ୍‌ ନ ଉଠାଇବାରୁ ସନ୍ତୋଷ ସନ୍ଧ୍ୟାରେ ଜଣେ ବନ୍ଧୁଙ୍କୁ ସେଠାକୁ ପଠାଇଥିଲେ। ସେତେ‌ବେଳେ ସେ ବନ୍ଧୁଙ୍କଠାରୁ ରଶ୍ମିରେଖାଙ୍କ ଆତ୍ମହତ୍ୟା ବାବଦରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ନିଜେ ଫୋନ୍‌ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ବୋଲି ସନ୍ତୋଷ କହିଥିଲେ। ଜେରା ପରେ ପୁଲିସ ତାଙ୍କୁ ଛାଡ଼ିଦେଇଛି। ପୁଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୧୮ ତାରିଖ ରାତିରେ ନୂଆପଲ୍ଲୀ ଥାନା ପୁଲିସ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା। ଉକ୍ତ ଘରୁ ପୁଲିସ ମଧ୍ୟ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା। ଏନେଇ ରଶ୍ମିରେଖାଙ୍କ ପରିବାର ପକ୍ଷରୁ କାହା ବିରୋଧରେ ଅଭିଯୋଗ କରାଯାଇନଥିଲେ ମଧ୍ୟ ପୁଲିସ ଏହି ଆତ୍ମହତ୍ୟାର କାରଣ ଖୋଜିବାକୁ ଉଦ୍ୟମ ଚଳାଇଛି। ପୂର୍ବତନ ପ୍ରେମିକ ରାଜା କିମ୍ବା ମନ୍ଦିରରେ ମଥାରେ ସିନ୍ଦୁର ପିନ୍ଧାଇଥିବା ସ୍ବାମୀ ସନ୍ତୋଷ ଆତ୍ମହତ୍ୟା ପାଇଁ ରଶ୍ମିରେଖାଙ୍କୁ ପ୍ରବର୍ତ୍ତାଇଥିବା ସନ୍ଦେହ କରି ପୁଲିସ ଖୋଳତାଡ୍‌ ଚଳାଇଛି।

ସମ୍ବନ୍ଧିତ ଖବର