ରସୁଲଗଡ଼କୁ ଅଭିଶାପ ଫ୍ଲାଏଓଭର୍‌ : ଦୁର୍ଦ୍ଦଶା ଭୋଗୁଛନ୍ତି ‌ଯାତ୍ରୀ

ପ୍ରତିଦିନ ଦୁର୍ଘଟଣା ଘଟୁଛି, ଟ୍ରାଫିକ ପୁଲିସର ନଜର ନାହିଁ, ପଳାସୁଣିରୁ ରସୁଲଗଡ଼ ୫୦ ଟଙ୍କା

ଭୁବନେଶ୍ବର : କଟକ ପାର୍ଶ୍ବରୁ ରାଜଧାନୀକୁ ଆସୁଥିବା ଲୋକ ଯଦି ଆଗରୁ ଶୁଣିଥିବ ଯେ ଯେଉଁ ଛକରେ ଘୋଡ଼ା ଉପରେ ସୁଭାଷ ବୋଷ ବସିଥିବେ, ସେଇ ଛକଟି ରସୁଲଗଡ଼। ତେବେ ସେ ଘଣ୍ଟାଏ କାଳ ବସ୍‌ରୁ ଓହ୍ଲାଇ ଘୋଡ଼ା ଓ ସୁଭାଷ ବୋଷଙ୍କୁ ଖୋଜିଲେ ବି କାହାକୁ ପାଇବନି। ଯଦି ନାକ ସିଧା ଆଗକୁ ଗଲା, ତେବେ ଫ୍ଲାଏଓଭର୍‌ ଉପରେ ଉପରେ ଯାଇ ରସୁଲଗଡ଼ ଛକ ପାର୍‌ ହୋଇଯିବ। ଯଦି ପଛକୁ ଫେରିଲା ତେବେ କୁଆଖାଇ ବ୍ରିଜ୍ ଉପରେ ପହଞ୍ଚିଯିବ। ଏହିଭଳି ଏବେ ରାଜଧାନୀକୁ ଆସୁଥିବା ଲୋକ ରସୁଲଗଡ଼ ଛକକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

ସବୁ ସମସ୍ୟା ଉପୁଜିଛି ରସୁଲଗଡ଼ ଫ୍ଲାଏଓଭର୍‌କୁ ନେଇ। ଏହି ଫ୍ଲାଏଓଭର୍‌ ହେଲା ଦିନରୁ ଛକର ପରିଚୟ ଯେମିତି ହଜି ଯାଇଛି। ଦୀର୍ଘ ବର୍ଷ ହେଲା, ଏହି ଛକଟି ଅବହେଳିତ ହୋଇ ପଡ଼ିଥିବା ବେଳେ ଏହି ରାସ୍ତା ଦେଇ ଅଧିକାଂଶ ବସ୍‌ ଯାତାୟାତ କରୁନି। ଜାତୀୟ ରାଜପଥ ଉପରେ ଥିବା ସବୁ ଛକରେ ବସ୍‌ ଅଟକୁଥିଲେ ହେଁ ରସୁଲଗଡ଼ ଛକରେ ଅଟକୁନି। ଫଳରେ ଏବେ ଲୋକ କହିଲେଣି ଯେ ରସୁଲଗଡ଼ ଛକକୁ ଫ୍ଲାଏଓଭର୍‌ ଏକ ଅଭିଶାପ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀକୁ ବସ୍‌ରେ ଆସୁଥିବା ଲୋକ ଏବେ ରସୁଲଗଡ଼ ନା ଶୁଣିଲେ ଡରୁଛନ୍ତି। କାରଣ ବସ୍‌ କଣ୍ଡକ୍ଟର ରସୁଲଗଡ଼ ଛକରେ ଓହ୍ଲାଇ ଦେବ କହି ବସ୍‌ରେ ସିନା ଚଢ଼ାଉଛି। ହେଲେ ପଳାସୁଣି ଛକରେ ରସୁଲଗଡ଼ ହୋଇଗଲା କହି ଓହ୍ଲାଇ ଦେଇ ପଳାଉଛି।

ଭୁବନେଶ୍ବରକୁ ଦୈନିକ ୭୦୦ରୁ ଅଧିକ ବସ୍‌ ଆସୁଥିବା ବେଳେ କଟକ ପାର୍ଶ୍ବରୁ ପ୍ରାୟ ୫୦୦ରୁ ଅଧିକ ବସ୍‌ ଆସୁଛି। ଯେଉଁଥିରେ ଦୈନିକ ପ୍ରାୟ ୨୦ହଜାରରୁ ଅଧିକ ଲୋକ ଆସୁଛନ୍ତି। ହେଲେ ଯେଉଁମାନଙ୍କର ରସୁଲଗଡ଼, ବମିଖାଲ, କଳ୍ପନା ଆଦି ଅଞ୍ଚଳରେ ଘର ଅଛି ବା କାମ ରହୁଛି, ସେମାନେ ବସ୍‌ ଚାଳକଙ୍କ ଜୁଲୁମ୍‌ର ଶିକାର ହେଉଛନ୍ତି। ମାନେ ବସ୍‌ରେ ସେମାନେ ରସୁଲଗଡ଼ ଛକରେ ଓହ୍ଲାଇବେ ବୋଲି ସିନା ଟିକେଟ୍‌ କାଟୁଛନ୍ତି କିନ୍ତୁ ଓହ୍ଲାଉଛନ୍ତି ପଳାସୁଣି ଛକରେ। କଟକରେ ୩୦ଟଙ୍କା ଦେଇ ଭୁବନେଶ୍ବର ଆସୁଛନ୍ତି। ହେଲେ ବସ୍‌ରୁ ଓହ୍ଲାଇବା ପରେ ରସୁଲଗଡ଼ ଛକରେ ପହଞ୍ଚିବା ପାଇଁ ଅଟୋ ଭଡ଼ା ବାବଦକୁ ଆଉ ୫୦ଟଙ୍କା ଗଣୁଛନ୍ତି। ଯିଏ ଅଟୋ ଭଡ଼ା କରୁନି ସେ ବାଟ ଜାଣିଥିଲେ ଗୋଟେ କିଲୋମିଟର ଚାଲି ଚାଲି ଆସି ରସୁଲଗଡ଼ରେ ପହଞ୍ଚୁଛି। ଆଉ ପାଖରେ ଯଦି ୫୦ଟଙ୍କା ନାହିଁ ଓ ବାଟ ଜାଣିନି, ତେବେ ଘଣ୍ଟାଏ ଚକ୍କର କାଟିବା ପରେ, କାହାକୁ ବାଟ ପଚାରିବା ପରେ ଯାଇ ରସୁଲଗଡ଼ରେ ଛକରେ ପହଞ୍ଚୁଛି।

ଏହି ଫ୍ଲାଏଓଭର୍‌ ନିର୍ମାଣ ହେବା ପୂର୍ବରୁ ସବୁ ବସ୍‌ ରସୁଲଗଡ଼ ଛକ ଦେଇ ଯାତାୟାତ କରୁଥିଲା। କିନ୍ତୁ ଫ୍ଲାଏଓଭର୍‌ ହେବା ପରେ ରାସ୍ତା ଖରାପ କହି ବହୁ ବସ୍‌ ଏହି ଛକରେ ଆସିଲେନି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ରାସ୍ତା ମରାମତି ହେଲା। କିନ୍ତୁ ବସ୍‌ ଚାଳକଙ୍କର ଫ୍ଲାଏଓଭର୍‌ ଉପରେ ଯିବା ନିଶା ଉତୁରିଲାନି।

ବରମୁଣ୍ଡାରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ଯାତ୍ରୀ ଉଠାଇବା ପାଇଁ ଫ୍ଲାଏଓଭର୍‌ ତଳେ ଯାଉଛନ୍ତି। କିନ୍ତୁ କଟକରୁ ବରମୁଣ୍ଡା ଅଭିମୁଖେ ଆସୁଥିବା ବସ୍‌ଗୁଡ଼ିକ ପଳାସୁଣି ନିକଟରେ ଫ୍ଲାଏଓଭର୍‌ ଆରମ୍ଭରୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ପଳାଉଛନ୍ତି। ଏହି ବସ୍‌ଗୁଡ଼ିକ ବାଣୀବିହାର, ଆଚାର୍ଯ୍ୟବିହାର ସମେତ ନୂଆପଲ୍ଲୀ, ସିଆରପି, ଫାୟାର ଷ୍ଟେସନ ଆଦି ଛକରେ ଯାତ୍ରୀ ଓହ୍ଲାଇବା ପାଇଁ ଫ୍ଲଏଓଭର୍‌ ତଳେ ଯାଉଛନ୍ତି। କିନ୍ତୁ ରସୁଲଗଡ଼ ଛକ ପ୍ରତି କାହିଁକି ଏତେ ବିତୃଷ୍ଣା ଜଣାପଡ଼ୁନି। ଏପରିକି ଯଦି କେହି ଯାତ୍ରୀ ରସୁଲଗଡ଼ ଛକରେ ଓହ୍ଲାଇବାକୁ ଯଦି ଜିଦ୍ କରୁଛନ୍ତି, କଣ୍ଡକ୍ଟର, ହେଲ୍‌ପର ଧକ୍କା ମାରି ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି ନଚେତ୍ ଫ୍ଲାଏଓଭର୍‌ ଶେଷ ମୁଣ୍ଡରେ ଆଣିକି ଓହ୍ଲାଇ ଦେଉଛନ୍ତି।

ବସ୍‌ ଚାଳକଙ୍କର ଏହି ଜୁଲୁମ୍‌ର ଫାଇଦା ନେଉଛନ୍ତି ଅଟୋ ଚାଳକମାନେ। ସେମାନେ ପଳାସୁଣି ଛକରୁ ଫ୍ଲାଏଓଭର୍‌ ଆରମ୍ଭ ପର୍ଯ୍ୟନ୍ତ ଧାଡ଼ି କରି ଅଟୋ ରଖିବା ସହ ଯାତ୍ରୀଙ୍କୁ ମନଇଚ୍ଛା ଭଡ଼ା ନେଇ ଲୁଟୁଛନ୍ତି। ‌େକବଳ ଏତିକି ନୁହେଁ, ଜାତୀୟ ରାଜପଥ ଉପରେ ଏକସଙ୍ଗେ ତିନିରୁ ଚାରିଟି ବସ୍‌ ଅଟକି ଯାଉଥିବାରୁ ଏବଂ ଯାତ୍ରୀ ଓହ୍ଲାଉଥିବାରୁ ଏଠାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। କିନ୍ତୁ ଏଥିପ୍ରତି ଆରଟିଓ କି ଟ୍ରାଫିକ୍‌ ପୁଲିସର ନଜର ପଡ଼ୁନି। ପ୍ରତିଦିନ ଶହ ଶହ ଯାତ୍ରୀ ହଇରାଣ ହେଉଥିଲେ ହେଁ ସମସ୍ତେ ସବୁ ଜାଣି ଆଖି ବୁଜି ଦେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଏହି ରାସ୍ତା ଦେଇ କଟକ-ଭୁବନେଶ୍ବର ବସ୍‌, ମୋ’ ବସ୍‌ ଯାତାୟାତ କରୁଛି। ହେଲେ ଅନ୍ୟ ଯାତ୍ରୀବାହୀ ବସ୍‌ ଆସୁନି।

ଏହି ଛକରେ ଓହ୍ଲାଉଥିବା ଯାତ୍ରୀଙ୍କର ଆଉ ଏକ ବଡ଼ ସମସ୍ୟା ହେଲା, ଏଠାରେ ଅପେକ୍ଷା କରିବାକୁ ବସ୍‌ ସେଲ୍ଟର ବି ନାହିଁ। ଏହାବାଦ୍ ଏଠାରେ ଓହ୍ଲାଉଥିବା ଯାତ୍ରୀଙ୍କୁ ଯଦି କେହି ନେବାକୁ ଆସୁଛନ୍ତି, ତେବେ ତାଙ୍କୁ ପଳାସୁଣି ଛକ ଆଗକୁ ଥିବା ଅଣ୍ଡରପାସ୍‌ ଦେଇ ପ୍ରାୟ ୧କିମି ବୁଲିବୁଲି ଆସିବାକୁ ପଡ଼ୁଛି। ଯାହା ଏବେ ରସୁଲଗଡ଼ ଛକରେ ଓହ୍ଲାଉଥିବା ଲୋକଙ୍କ ପାଇଁ ଯାତନା ସଦୃଶ ହୋଇଛି। କେବଳ ରସୁଲଗଡ଼ ଛକ ନୁହେଁ ଜୟଦେବ ବିହାର ଛକରେ ସମାନ ଅବସ୍ଥା। ଏଠାରେ ବି ଦୈନିକ ଶହଶହ ଲୋକ ବସ୍‌ରୁ ଓହ୍ଲାଇ ଅଟୋ ଚାଳକଙ୍କ ଜୁଲୁମ୍‌ର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର