ରାଇଜିଂ ଷ୍ଟାର୍‌ ଟପ୍‌ ୧୦ରେ ଓଡ଼ିଆ ପୁଅ

ଶଶାଙ୍କଙ୍କୁ ଲୋଡ଼ା ଓଡ଼ିଆଙ୍କ ସମର୍ଥନ

ଭୁବନେଶ୍ୱର: ସଂଗୀତର ସାତସୂରରେ ସାରା ଦେଶର ଶ୍ରୋତାଙ୍କୁ ବାନ୍ଧିବାରେ ଓଡ଼ିଆମାନେ ଯେ ଆଗରେ ତାହା ନିକଟ ଅତୀତରେ ପ୍ରମାଣିତ ହୋଇସାରିଛି। ଏହି ଧାରା ଏବେ ବି ଅତୁଟ ରହିଛି। ଜାତୀୟ ସ୍ତରର ସଂଗୀତ ରିଅଲିଟି ସୋ’ରେ ପୁଣି ଝଟକିଛନ୍ତି ଆଉ ଜଣେ ଓଡ଼ିଆ ପୁଅ। ନାଁ ତାଙ୍କର ଶଶାଙ୍କ ଶେଖର। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ବେଶ୍‌ ଜଣାଶୁଣା ଶଶାଙ୍କଙ୍କ ଚମକ ଦେଖିବାକୁ ମିଳିଛି ‘କଲର୍ସ’ର ସଂଗୀତ ଭିତ୍ତିକ ରିଅଲିଟି ସୋ ‘ରାଇଜିଂ ଷ୍ଟାର୍‌’ ସିଜନ୍‌- ୨ରେ। ମେ ତୋ ରାସ୍ତା ସେ ଯା ରହାଥା… ହେଉ ଅବା ତେରି ମେରି କାହାନୀ….ଗୀତ ଗାଇ ଖାଲି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରି ନାହାନ୍ତି ବରଂ ସାରା ଦେଶରେ ପାଲଟି ଯାଇଛନ୍ତି ଜଣେ ଚର୍ଚିତ ଚେହେରା। ଭୁବନେଶ୍ୱରର ବାସିନ୍ଦା ଶଶାଙ୍କଙ୍କ ଭାବସ୍ପର୍ଶୀ ପରିବେଷଣ ପରେ ସଂପୃକ୍ତ ରିଅଲିଟି ସୋ’ର ବିଚାରକ ବିଶିଷ୍ଟ ସଂଗୀତଜ୍ଞ ଶଙ୍କର ମହାଦେବନ୍‌, କଣ୍ଠଶିଳ୍ପୀ ମୋନାଲି ଠାକୁର୍‌ ଓ ଦିଲ୍‌ଜିତ୍‌ ଦୋସାଞ୍ଝ ତାଙ୍କର ମୁଗ୍ଧ ପ୍ରଶଂସକ ପାଲଟି ଯାଇଛନ୍ତି। ଶଶାଙ୍କ ଏବେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ପହଞ୍ଚିଛନ୍ତି। ଶଶାଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ମୁମ୍ବାଇ ଆସି ବଡ଼ ଷ୍ଟାର୍‌ ହୋଇଯାଇନାହାନ୍ତି। ବରଂ ଓଡ଼ିଶା ମାଟିର ଷ୍ଟାର୍‌ ଭାବେ ସେ ବେଶି ଗର୍ବ ଅନୁଭବ କରନ୍ତି। ସେଇ ଓଡ଼ିଆ ମାଟିର ଆଉ ଜଣେ ପୁଅର ସ୍ୱପ୍ନକୁ କେବଳ ଆପଣଙ୍କର ଶ୍ରଦ୍ଧାର ଭୋଟ୍‌ଟିଏ ସାକାର କରିପାରିବ। ମୁଁ ପରିଶ୍ରମ କରୁଛି। କେଳବ ଆପଣଙ୍କ ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି। ଶଶାଙ୍କଙ୍କୁ ଶ୍ରେଷ୍ଠ ରାଇଜିଂ ଷ୍ଟାର୍‌ ଭାବେ ଦେଖିବା ପାଇଁ ପ୍ରତିଟି ଓଡ଼ିଆଙ୍କ ସମର୍ଥନର ଆବଶ୍ୟକତା ରହିଛି। ମୋବାଇଲ୍‌ରେ ‘voot’ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରି ଚେକ୍‌-ଇନ୍‌ରେ ଶଶାଙ୍କଙ୍କୁ ଭୋଟ୍‌ କରିପାରିବେ। ଶନିବାର ଓ ରବିବାର ରାତି ୯ଟାରେ ପ୍ରସାରିତ ହେଉଥିବା ରାଇଜିଂ ଷ୍ଟାର୍‌ କାର୍ଯ୍ୟକ୍ରମ ଚାଲିଥିବା ମଧ୍ୟରେ ଆପଣ ତାଙ୍କୁ ବହୁ ସଂଖ୍ୟାରେ ଭୋଟ୍‌ ଦେଇ ଶୀର୍ଷକୁ ନେଇପାରିବେ।ଏନେଇ ବିଶିଷ୍ଟ ସିନେ ଅଭିନେତା ମନୋଜ ମିଶ୍ର ମଧ୍ୟ ଶଶାଙ୍କୁ ଭୋଟ୍‌ ଦେବା ପାଇଁ ଫେସ୍‌ବୁକ୍‌ ପୃଷ୍ଠାରେ ପ୍ରଚାର କରୁଥିବା ବେଳେ ଅନେକ ପ୍ରଶଂସକ ବି ଏନେଇ ଅନୁରୋଧ କରିଛନ୍ତି। ପିଲାବେଳୁ ସଂଗୀତ ପ୍ରେମରେ ପଡ଼ିଥିବା ଶଶାଙ୍କ ‘ଆମରି ସ୍ୱର’ରେ ରନର୍ସ ଅପ୍‌ ହେବା ପରେ ସଂଗୀତ ଜଗତର ଗୋଟିଏ ପରେ ଗୋଟିଏ ପଥ ଅତିକ୍ରମ କରିଥିଲେ। ରବୀନ୍ଦ୍ର କୁମାର ସାହୁ ଏବଂ ପାର୍ବତୀ ମଂଜରୀ ସାହୁଙ୍କ ପୁଅ ଶଶାଙ୍କ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଗୁରୁ ଚନ୍ଦନ ଜେନାଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷା କରିଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତରେ ତାଲିମ୍‌ ନେଇଥିଲେ। ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ରର ‘ଦିନେ ଫୁଟିଥିଲା ଫୁଲ…ଗୀତ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ବେଳେ ପ୍ରେମ୍‌ େଓ୍ଵଡ୍‌ସ ପ୍ରିୟା, ତୁ ମୋ ଆରମ୍ଭ ତୁ ମୋ ଶେଷ, ହେଲୋ, କଳ୍‌କି, ମାୟା, ସମୟ ବଡ଼ ବଳବାନ, ବୋବାଲ୍‌ ଟୋକା ଭଳି ଚଳଚ୍ଚିତ୍ରର ଗୀତ ଗାଇ ଶ୍ରୋତାଙ୍କ ମହଲରେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ଓଡ଼ିଆରେ ସେ ଅନେକ ସମ୍ମାନର ଅଧିକାରୀ ହୋଇଥିବା ବେଳେ ଓଡ଼ିଶାକୁ ଆଉ ଏକ ଭେଟି ଶଶାଙ୍କଙ୍କ ସୂତ୍ରରେ ମିଳିପାରିଲେ ଓଡ଼ିଶାର ନାଁ ପୁଣି ଉଜ୍ଜ୍ୱଳ ହେବ ବୋଲି ଅଭିନେତା ମନୋଜ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର