ଭୁବନେଶ୍ବର: ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ପାଣି, ଶୌଚାଳୟ, ଲାଇଟ୍ ଭଳି ମୌଳିକ ସୁବିଧା ପାଇଁ କାମ ହେଲା। ରାଜଧାନୀର ଏକ ମଡେଲ ଶ୍ମଶାନ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ସ୍ବପ୍ନ ଦେଖାଇଦିଆଗଲା। ମାତ୍ର ଏବେ କିଛି ନାହିଁ। ରାଜକୋଷରୁ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା ପରେ ବି ସୁଧୁରିଲାନି ରସୁଲଗଡ଼ ଶ୍ମଶାନର ଅବସ୍ଥା।
ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୨୦୧୯ ମସିହାରେ ୧୯ ନମ୍ବର ୱାର୍ଡ ଜିଜିପି କଲୋନିରେ ରସୁଲଗଡ଼ ଶ୍ମଶାନ ନବୀକରଣ କାମ ଆରମ୍ଭ କରାଯାଇଥିଲା। ମଡେଲ୍ ଶ୍ମଶାନ ନିର୍ମାଣ ପାଇଁ ୨୦୧୯ ମସିହା ଜାନୁଆରି ୧୬ରେ ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କରିଥିଲେ। ଶବ ରଖିବା ସ୍ଥାନ, ପାଣି, ଶୌଚାଳୟ, ଫାଟକ, ଶବଦାହ ଗୃହ ଆଦି ନିର୍ମାଣ କରାଯାଇଥିଲା। ତେବେ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା।
ମାତ୍ର ସେତେବେଳେ ଲୋକଙ୍କ ଅଭିଯୋଗକୁ କେହି ଧ୍ୟାନ ଦେଲେ ନାହିଁ। ଏବେ ମାତ୍ର ଦୁଇ ବର୍ଷ ଭିତରେ ସବୁ କିଛି ନଷ୍ଟ ହୋଇଗଲାଣି। ଲାଇଟ୍ ଜଳୁନି କି ପାଣି ଆସୁନି। ବିଦ୍ୟୁତ୍ ତାର ବିପଜ୍ଜନକ ଭାବେ ପଡ଼ିଛି। ଶୌଚାଳୟ ଭାଙ୍ଗି ରୁଜି ଗଲାଣି। ମୃତଦେହ ଦାହ କରିବାକୁ ଆସୁଥିବା ଲୋକମାନେ ପିଇବା ପାଣି ଓ ଶୌଚାଳୟ ଭଳି ସାଧାରଣ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ବାସିନ୍ଦା ବନମାଳୀ ସାହୁଙ୍କ କହିବା ଅନୁସାରେ ଏହି ଶ୍ମଶାନ ଉପରେ ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ଏହାର ରକ୍ଷଣାବେକ୍ଷଣ ନହେବାରୁ ସବୁ କିଛି ନଷ୍ଟ ହୋଇ ଗଲାଣି। ଲାଇଟ୍, ପାଣି ପାଇପ୍ ଓ ଅନ୍ୟ ସାମଗ୍ରୀକୁ ନିଶାଡ଼ିମାନେ ଚୋରି କରି ନେଲେଣି। ଏଦିଗରେ ବିଏମ୍ସି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।