ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମୂଳ ଗାଁ ଭିତରେ ରସୁଲଗଡ଼ ଅନ୍ୟତମ ଓ ଏହାର ଅଞ୍ଚଳବାସୀ ବି ରାଜଧାନୀର ମୂଳବାସିନ୍ଦା। କିନ୍ତୁ ଏହି ଅଞ୍ଚଳବାସୀ ବହୁ ବର୍ଷ ହେବ ଶ୍ମଶାନ ସମସ୍ୟାରେ ଧନ୍ଦି ହେଉଛନ୍ତି। ଶବଦାହ କରିବାକୁ ଜାଗା ମିଳୁନି। ଅଞ୍ଚଳବାସୀଙ୍କ ପାଇଁ ଯେଉଁ ଶ୍ମଶାନ ଥିଲା, ତାକୁ ବିକାଶ ନାଁରେ ଉଜାଡ଼ି ଦିଆଯାଇଛି। ଶ୍ମଶାନ ପରିସରକୁ ତାଡ଼ି ଦିଆଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଏଣୁ ମୃତକଙ୍କ ଆତ୍ମୀୟସ୍ବଜନମାନେ ଅନ୍ତ୍ୟେଷ୍ଟିକ୍ରିୟା ବେଳେ ସମସ୍ୟାରେ ପଡ଼ୁଛନ୍ତି। ସ୍ଥିତି ଏପରି ଯେ ନିଜ ଶ୍ମଶାନ ଥାଇ ବି ପର ଶ୍ମଶାନ ଉପରେ ନିର୍ଭର କରିବାକୁ ପଡ଼ୁଛି। ରସୁଲଗଡ଼ ଅଞ୍ଚଳ ଭୁବନେଶ୍ବର ମହାନଗର ନିଗମର ୧୮ ନମ୍ବର ୱାର୍ଡରେ ଆସୁଛି। ରସୁଲଗଡ଼ ଶ୍ମଶାନ ଉପରେ ୧୦ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏହି ଶ୍ମଶାନ ଉପରେ ନିର୍ଭରଶୀଳତା ଅଧିକ ଥିବାରୁ ୨୦୧୯ ମସିହାରେ ଭୁବନେଶ୍ବର ମହାନଗର ନିଗମ ଏହାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲା। ପ୍ରାୟ ୨୬ଲକ୍ଷ ଟଙ୍କାର ଅନୁଦାନ ବି ମଞ୍ଜୁର ହେଲା। କିନ୍ତୁ  ଶ୍ମଶାନକୁ ଅଧାଗଢ଼ା ଓ ଭଗ୍ନ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଯେଉଁ ବିକାଶର ସ୍ବପ୍ନ ଦେଖାଯାଇଥିଲା, ସେଭଳି କରାଗଲାନି। ଓଲଟା ଶ୍ମଶାନକୁ ଆହୁରି କଦର୍ଯ୍ୟ କରି ଦିଆଗଲା। ଉନ୍ନତି ପାଇଁ ଯେଉଁ ପୁରୁଣା ନିର୍ମାଣ ସବୁ ଭଙ୍ଗାଯାଇଥିଲା, ତା’ର ଭଗ୍ନାଂଶକୁ ଠିକାଦାର ସେହିଭଳି ଶ୍ମଶାନ ଭିତରେ ଗଦାଇ ରଖିଛନ୍ତି।  ଇତିମଧ୍ୟରେ ୫ ବର୍ଷ ବିତିଗଲାଣି, କିନ୍ତୁ ଏହି ଭଗ୍ନାଂଶ ସେହିଭଳି ଶ୍ମଶାନ ପରିସରରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି। ସେପଟେ ଯେଉଁ ପୁରୁଣା ନିର୍ମାଣକୁ ଭଙ୍ଗାଗଲା ତାର ପୁନରୁଦ୍ଧାର କରାଗଲାନି। ଏଣୁ ଏସବୁ ବି ଭଗ୍ନ ଅବସ୍ଥାରେ। ଏହା ପରିସରରେ ଥିବା ଶୌଚାଳୟ ବି ଭାଙ୍ଗିଯାଇଛି। ପାଣି ଆସୁନି କି ବ୍ୟବହାର ଉପଯୋଗୀ ନୁହେଁ। 

Advertisment

Violence crosses the line: ସୀମା ଟପିଲା ଅତ୍ୟାଚାର: ନିଜକୁ ଜାଳିଦେଲେ କଲେଜ ଛାତ୍ରୀ, ଅଭିଯୁକ୍ତ ଗିରଫ, ପୁଲିସର ତନାଘନା

ଶେଷକୃତ୍ୟ ପାଇଁ ଆତ୍ମୀୟସ୍ବଜନ କଲବଲ
ପରିସର ଭଗ୍ନାଂଶରେ ଭର୍ତ୍ତି
ଭଗ୍ନ ଅବସ୍ଥାରେ ଶୌଚାଳୟ ଓ ଅନ୍ୟାନ୍ୟ ଆସବାବ
ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଦୁର୍ଭାଗ୍ୟଜନକ କଥା ହେଲା, ଏହି ଶ୍ମଶାନ ପରିସରରେ ବିଏମ୍‌ସି ଆଖପାଖ ଅଞ୍ଚଳରୁ ସଂଗୃହୀତ ଆବର୍ଜନା ଫିଙ୍ଗୁଛି। ଯେଉଁ ସଫେଇ କର୍ମଚାରୀମାନେ ଆବର୍ଜନା ସଂଗ୍ରହ କରୁଛନ୍ତି, ସେମାନେଏହାକୁ ଆଣି ଏହି ଶ୍ମଶାନ ପରିସରରେ ଫିଙ୍ଗି ଦେଉଛନ୍ତି। ଏଣୁ ଶ୍ମଶାନ ପରିସର ଆବର୍ଜନାରେ ଭରିଗଲାଣି। ପ୍ରବେଶପଥର ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଶ୍ମଶାନରେ ଅନାବନା ଗଛ ଭର୍ତ୍ତି ହୋଇଗଲାଣି। ବିଷଧର ସାପଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷାକ୍ତ ଜନ୍ତୁଜନ୍ତା ଏହା ପରିସରରେ ଚଳପ୍ରଚଳ କରୁଛନ୍ତି। ସ୍ଥିତି ଏପରି ଯେ ଅଞ୍ଚଳବାସୀ ଶ୍ମଶାନ ପରିସରକୁ ଯିବାକୁ ଡରୁଛନ୍ତି। ଅନ୍ୟତ୍ର ଶବଦାହକୁ ଶ୍ରେୟ ମଣୁଛନ୍ତି। ୧୮ ନମ୍ବର ୱାର୍ଡ କର୍ପୋରେଟର୍ ବିପ୍ଳବ ବେହେରା କହିଛନ୍ତି, ଯେହେତୁ ଏହି ଶ୍ମଶାନ ଅଞ୍ଚଳବାସୀଙ୍କ ଏକ ଜରୁରି ଆବଶ୍ୟକତା, ସେ ଦୃଷ୍ଟିରୁ ବହୁବାର ଏହାର ଉନ୍ନତୀକରଣ କଥା କର୍ପୋରେସନ୍‌ ବୈଠକରେ ଉଠାଇଛି। ଅନେକ ଥର ଲିଖିତ ଭାବେ ବି ଜଣାଇଛି। ନିକଟରେ ଶ୍ମଶାନର ଉନ୍ନତି ପାଇଁ ଏକ ଡିପିଆର ବି ପ୍ରସ୍ତୁତ ହୋଇଛି। ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଅଛି। ଯେଉଁଥିରେ ଶବଦାହ ପିଣ୍ଡି, ବିଶ୍ରାମ ଗୃହ, ଶୌଚାଳୟ, ଆଲୋକୀକରଣ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ପାଖକୁ ଲାଗି ଏକ ପାର୍କ ବି ହେବ। ପାରମ୍ପରିକ ବ୍ୟବସ୍ଥାରେ କାଠରେ ଶବଦାହ ବ୍ୟବସ୍ଥା ରହିବ, କିନ୍ତୁ ଶ୍ମଶାନକୁ ଅତ୍ୟାଧୁନିକ ରୂପ ଦିଆଯିବ। ଟେଣ୍ଡର ପରେ ଏହି କାମ ଆରମ୍ଭ ହେବ। କିନ୍ତୁ କେବେ ଟେଣ୍ଡର ହେବ ସେ ସଂପର୍କରେ ବିଏମ୍‌ସି କିଛି ସ୍ପଷ୍ଟ କରିନି। ଯେହେତୁ ବିକାଶ କାର୍ଯ୍ୟ ବିଳମ୍ବ ହେଉଛି, ଏହା ଅଞ୍ଚଳବାସୀଙ୍କ ଅସୁବିଧାକୁ ବଢ଼ାଉଛି ବୋଲି ଶ୍ରୀ ବେହେରା କହିଛନ୍ତି।

Inhuman, barbaric: ଅମାନୁଷିକ, ବର୍ବର: ଯୁବକଙ୍କୁ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରିଲେ