ରସୁଲଗଡ଼ : ପଥରରେ ଝଟକିବ ଆଲବର୍ଟ ହଲ୍‌

ମା’ ଆସୁଛନ୍ତି

ଭୁବନେଶ୍ୱର : ଝଲମଲ ପଥରରେ ଝଲସିବ ତୋରଣ। ସଜେଇ ହେବ ଲଣ୍ଡନର ଆଲବର୍ଟ ହଲ୍‌। ଚିକିମିକି ରତ୍ନ ପଥର ସଦୃଶ ଝଟକିବ ଏଥର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପର ତୋରଣ। କେବେ କାଚ ତ କେବେ ଜଙ୍ଗଲକୁ ତୋରଣରେ ଆଙ୍କି ଚର୍ଚିତ ହୋଇଥିବା ରସୁଲଗଡ଼ ଦୁର୍ଗାପୂଜା କମିଟି ୨୬ ବର୍ଷରେ ପଦାର୍ପଣ କରିଛି। ଏଥର ପୂଜା ବଜେଟ୍‌ ୩୦ରୁ ୩୫ ଲକ୍ଷ ରହିଥିବା ବେଳେ କେବଳ ତୋରଣ ପ୍ରସ୍ତୁତିରେ ୧୮ ଲକ୍ଷ ଟଙ୍କା ଖର୍ଚ ହେବ। ପ୍ଲାଏ ଓ ସନ୍‌ମାଇକା ଉପରେ ପଥର ଖଞ୍ଜାଯିବ। ୧୨୦ ଫୁଟ ଦୀର୍ଘ ଏବଂ ୮୦ ଫୁଟ ଉଚ୍ଚର ଏହି ସୁଦୃଶ୍ୟ ତୋରଣ ଠିଆ ହେବ। ତୋରଣ ପ୍ରସ୍ତୁତିରେ ତାପସଙ୍କ ନେତୃତ୍ୱରେ ୪୦ଜଣ କାରିଗର ସାମିଲ୍‌ ହୋଇଥିବା ବେଳେ ପ୍ରସ୍ତୁତି ପାଇଁ ୨ ମାସ ସମୟ ନେଇଛନ୍ତି।

କେବଳ ବାହାର ପାର୍ଶ୍ୱ ଏହି ଅନୁଭବ ଦେବ ନାହିଁ। ତୋରଣର ଭିତର ପାର୍ଶ୍ୱ ମଧ୍ୟ ଏହି ରତ୍ନ ସଦୃଶ ପଥରରେ ସଜେଇ ହେବ। କିଛି ପ୍ରତୀକଧର୍ମୀ ମୂର୍ତି ତୋରଣ ଉପରେ ସ୍ଥାନିତ ହେବ। ଏଥିସହ ପୂଜା ମଣ୍ଡପରେ ୧୬ ଫୁଟ ଉଚ୍ଚର ମୃଣ୍ମୟୀ ମା’ ଏବଂ ୨୦ଫୁଟ ଉଚ୍ଚର ମେଢ଼ ଶୋଭା ପାଇବ। ଏଥର ପୂଜା କମିଟି ପକ୍ଷରୁ ଷଷ୍ଠୀରେ ଭଜନ, ସପ୍ତମୀ ଓ ଅଷ୍ଟମୀରେ ମେଲୋଡ଼ି ଏବଂ ନବମୀ ଓ ଦଶମୀରେ ଅନୁଷ୍ଠିତ ହେବାକୁ ଥିବା ଷ୍ଟାର୍‌ ନାଇଟ୍‌ କାର୍ଯ୍ୟକ୍ରମରେ ବଲିଉଡ୍‌ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ। ମା’ଙ୍କ ମୂର୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଥିବା ବେଳେ ଏଥର ପଲିଥିନ୍‌ ବିଲ୍‌କୁଲ୍‌ ବ୍ୟବହାର ହେବ ନାହିଁ। କମିଟିର କର୍ମକର୍ତା ଏ କ୍ଷେତ୍ରରେ ଧ୍ୟାନ ଦେବେ। ପୂଜା ଅବସରରେ ଅନ୍ନ ପ୍ରସାଦ ସହ ଖେଚେଡ଼ି, ଖିରି, ଦହିପଖାଳ, ପିଠା, ଚରୁ ଅନ୍ନ ମା’ଙ୍କ ନିକଟରେ ଭୋଗ ହେବା ସହ ଭକ୍ତଙ୍କୁ ପ୍ରସାଦ ପାଇବାର ସୁଯୋଗ ମିଳିବ।

ଭସାଣିରେ ୨୫୦ ପାରମ୍ପରିକ କଳାକାର

ରସୁଲଗଡ଼ ପୂଜା କମିଟି ପକ୍ଷରୁ ମା’ଙ୍କୁ କୌଣସି ମିଳିତ ଭସାଣି ଉତ୍ସବକୁ ନିଆଯାଏ ନାହିଁ। ବରଂ ନିଜସ୍ୱ ଭସାଣି ଯାତ୍ରାରେ ମା’ ପୂଜା ମଣ୍ଡପରୁ ବାହାରି ରସୁଲଗଡ଼ ଗ୍ରାମ ପରିକ୍ରମା କରି ପଳାଶୁଣି ଦେଇ କୁଆଖାଇରେ ବିସର୍ଜନ ହେବେ। ୨୦ରେ ଆୟୋଜିତ ହେବାକୁ ଥିବା ଭସାଣିରେ ସମ୍ବଲପୁରୀ, ଦୁଲଦୁଲି, ଘୋଡ଼ାନାଚ ସମେତ ବହୁ ପାରମ୍ପରିକ ନୃତ୍ୟ ଓ କଳାର ସମାଗମ ହେବ। ପ୍ରାୟ ୨୫୦ କଳାକାର ସାମିଲ୍‌ ହେବେ। ମୀନା ବଜାର ପାଇଁ ରସୁଲଗଡ଼ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ମଧ୍ୟ ରାମଦୋଳିଠୁ ଆରମ୍ଭ କରି ବିଭିନ୍ନ ଖେଳର ଅବସର ମିଳିବ। ଏଥିସହ ଅସ୍ଥାୟୀ ମାର୍କେଟ୍‌ ଖୋଲାଯିବ।
ପ୍ରଦୀପ ବରିସଲ (ସଭାପତି)

ଵାକିଟକି ସହ ପୂଜା ସ୍ଥଳରେ ରହିବେ ସ୍ୱେଚ୍ଛାସେବୀ

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ୨ ପ୍ଲାଟୁନ୍‌ ପୁଲିସ୍‌ ରହିବେ। ୪୦ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୦୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ୩୦ ସିସିଟିଭି କ୍ୟାମେରା ପୂଜା ମଣ୍ଡପ ଆଖପାଖ ଏବଂ ମୀନା ବଜାରରେ ଖଞ୍ଜାଯିବ। ୫୦ଜଣ ସ୍ୱେଚ୍ଛାସେବୀ ଵାକିଟକି ସହ ପ୍ରସ୍ତୁତ ରହିବେ। ଫଳରେ କେଉଁଠି ବି ଚୋର କୌଣସି ଵାକିଟକି ଥିବା ସ୍ୱେଚ୍ଛାସେବୀଙ୍କ ହାବୁଡ଼ରେ ପଡ଼ିଲେ ଅନ୍ୟମାନଙ୍କ ପାଖକୁ ଏହାର ଖବର ଯିବ। ଫଳରେ ଚୋର ଖସିବାକୁ ସୁଯୋଗ ପାଇବ ନାହିଁ।
ଧ୍ରୁବଚରଣ ରାଉତରାୟ (ସମ୍ପାଦକ)

ସମ୍ବନ୍ଧିତ ଖବର