ପାର୍ବଣର ରଙ୍ଗିନ ପରିବେଶରେ ରାଜଧାନୀ ରଙ୍ଗେଇ ହେଲାଣି।  କାଶତଣ୍ଡୀ ଫୁଲରେ ସଜେଇ ହୋଇ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆବାହନୀ ସଙ୍ଗୀତ ଗାଇବାକୁ ମା’ ଧରିତ୍ରୀରାଣୀ ପ୍ରସ୍ତୁତ ହେଲେଣି। ଅନ୍ୟଠାରୁ ଭିନ୍ନ, ସ୍ବତନ୍ତ୍ର ତୋରଣ କରିବା ଦୌଡ଼ରେ ପୂଜାକମିଟିଗୁଡ଼ିକ ଦିନରାତି ଏକ କଲେଣି। ପାର୍ବଣର ସବୁଠାରୁ ବଡ଼ ଝଲକ୍‌ ଦେଖାଇବାକୁ ବିଭିନ୍ନ ମହଲରେ ପ୍ରସ୍ତୁତି ଜୋର୍‌ ଧରିଲାଣି। ମା’ ଆସିବେ ବୋଲି ମନ୍ଦିରଠୁ ପୀଠ ପର୍ଯ୍ୟନ୍ତ, ଘରଠାରୁ ମଣ୍ଡପ ପର୍ଯ୍ୟନ୍ତ ସମସ୍ତେ ସଜାଗ ହୋଇ ଉଠିଲେଣି। ଦୁର୍ଗାପୂଜାକୁ ମାସେରୁ ବି କମ୍‌ ସମୟ ଥିବା ବେଳେ କାରିଗରଙ୍କଠାରୁ ଶିଳ୍ପୀମାନେ ଅବିଶ୍ରାନ୍ତ ପରିଶ୍ରମରେ ଲାଗିଛନ୍ତି। ମହାମାୟାଙ୍କ ସ୍ବାଗତ ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପର ପ୍ରସ୍ତୁତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ‘ ଆସୁଛନ୍ତି ମହାମାୟା’।

Advertisment

ଭୁବନେଶ୍ବର, ୨୯/୮(ଇମିସ): ଉତ୍ତରାଖଣ୍ଡରେ ଭୁସ୍ଖଳନ ଯୋଗୁ ଯାତ୍ରୀଙ୍କ ମୃତ୍ୟୁ ଏବେ ଖବରର ଶିରୋନାମା ପାଲଟିଛି। ଏ‌ଣୁ ଲୋକ ଏବେ ଉତ୍ତରାଖଣ୍ଡ ଯିବାକୁ ଡରୁଛନ୍ତି। ତେବେ ରାଜଧାନୀରେ ରହି ବି ଶ୍ରଦ୍ଧାଳୁଙ୍କୁ ଉତ୍ତରାଖଣ୍ଡ ପାହାଡ଼ ଗୁମ୍ଫାର ଅନୁଭବ ଦେବାକୁ ଅଣ୍ଟା ଭିଡ଼ିଛି ରସୁଲଗଡ଼ ଦୁର୍ଗା ପୂଜା କମିଟି। ଆଖି ଝଲସା ତୋରଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି କମିଟି ଚଳିତ ବର୍ଷ ଉତ୍ତରାଖଣ୍ଡର ପାହାଡ଼ ଗୁମ୍ଫା ସଦୃଶ ତୋରଣ ନିର୍ମାଣ କରୁଛି। ପ୍ରାୟ ୮୫ ଫୁଟ ଉଚ୍ଚ ଓ ୧୩୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣଟି ଚଳିତ ବର୍ଷର ତୋରଣଗୁଡ଼ିକ ମଧ୍ୟରେ ଅନ୍ୟତମ ଆକର୍ଷଣ ପାଲଟିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପାହାଡ଼ ଉପରେ ଗଛଲତା ସହ ଗୁମ୍ଫା ଭିତରେ ପ୍ରବେଶ କରି ମା’ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାର ରୋମାଞ୍ଚକର ଅନୁଭୂତି ଦେବ ଏହି ତୋରଣ। ରାଖୀପୂର୍ଣ୍ଣିମାଠାରୁ ୪୫ ଜଣ ବଙ୍ଗୀୟ କାରିଗର ଏହି ତୋରଣ ନିର୍ମାଣ କରିବାକୁ ଲାଗିପଡ଼ିଥିବା ବେଳେ ମୂର୍ତ୍ତି ଉପରେ ବି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। 

୧୯୯୩ ମସିହାରେ ରସୁଲଗଡ଼ ଅଞ୍ଚଳରେ ଆରମ୍ଭ ହୋଇଥିବା ମା’ ଦୁର୍ଗାଙ୍କ ପୂଜା ଏଥର ୩୩  ବର୍ଷରେ ପାଦ ଥାପିଛି। ପ୍ରତିବର୍ଷ ମା’ଙ୍କ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସଦସ୍ୟମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥାନ୍ତି। ତୋରଣ ନିର୍ମାଣରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉ ନଥିବା ବେଳେ ୨୪ ଫୁଟ ଉଚ୍ଚତାର ପରିବେଶ ଅନୁକୂଳ ମୂର୍ତ୍ତି ଓ ମେଢ଼ ନିର୍ମାଣ କରାଯାଉଛି। ମେଢ଼ ଓ ମୂର୍ତ୍ତି ନିର୍ମାଣ ପାଇଁ ବି କୋଲକାତାରୁ କାରିଗର ଆସିଛନ୍ତି। ପୂଜାମଣ୍ଡପକୁ ରଙ୍ଗିନ ଆଲୋକମାଳାରେ ସଜାଇବା ପାଇଁ ଏଥର ମଡର୍ଣ୍ଣ ଥିମ୍‌ରେ ଲାଇଟ୍‌ ପ୍ରସ୍ତୁତ ହୋଇଛି। ୫ଟି ବଡ଼ ଏଲ୍‌ଇଡି ଲାଇଟ୍‌ ଗେଟ୍‌ରେ ଚାରି ପାଖକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରବଳ ଜନଗହଳି ମଧ୍ୟରେ ସୁରକ୍ଷାକୁ ଧ୍ୟାନ ଦେଇ ୪୦ଟି ସିସି କ୍ୟାମେରା ଲଗାଯିବ। ପ୍ରାୟ ୨୦୦ ଜଣ ସଦସ୍ୟଙ୍କ ସମେତ ୫୦ ଜଣ ସୁରକ୍ଷା କର୍ମୀ ଓ କମିସନରେଟ୍‌ ପୁଲିସଙ୍କ ସହାୟତାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବ। ମନୋରଞ୍ଜନ ପାଇଁ ଷଷ୍ଠୀଠାରୁ ୫ଦିନ ଧରି ଓଡ଼ିଶୀ ନୃତ୍ୟ, ଭଜନ ସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ରଖାଯାଇଛି। ପୂଜାମଣ୍ଡପ ବାହାରେ ମୀନାବଜାର ସହ ରାମଦୋଳି ମୁଖ୍ୟ ଆକର୍ଷଣ ପାଲଟିବ। ଏଥିସହ ବିଭିନ୍ନ ଖାଦ୍ୟ ଷ୍ଟଲ୍‌ ଖୋଲାଯିବ।

ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଭସାଣି
ପ୍ରାୟ ୭୦ ଲକ୍ଷ ଟଙ୍କାର ‌ବଜେଟ୍‌ରେ ଏଥର ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୨ ଦିନ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି। ଷଷ୍ଠୀ ଦିନ ବିଲ୍ବବରଣୀ କରି ମା’ଙ୍କ ଆବାହନ କରାଯିବା ପରେ ପୂଜା ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରସୁଲଗଡ଼ ପୂଜା କମିଟି ନିଜର ସ୍ୱତନ୍ତ୍ର ଭସାଣି କରିବ। ରସୁଲଗଡ଼ରୁ ହଂସପାଳ ହୋଇ କୁଆଖାଇ ଯାଏ ଭସାଣି ଯାତ୍ରା ଯିବ। ଭସାଣିରେ ଏଥର ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ। ନାଗାନାଚ, ଅଘୋରୀ ନାଚ, ଘୋଡ଼ାନାଚ, ଦୁଲଦୁଲି ଦର୍ଶକଙ୍କୁ ଆକର୍ଷିତ କରିବ। ଭସାଣି ସମୟରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ପୁଲିସ ସହ କମିଟିର ସଦସ୍ୟ ନିୟୋଜିତ ରହିବେ। -ପ୍ରକାଶ କୁମାର ରାଉତରାୟ, ସଭାପତି

ପାର୍କିଂ ପାଇଁ ୪ଟି ମାଗଣା ପାର୍କିଂ ସ୍ଥଳ
ପୂଜା ସମୟରେ ପାର୍କିଂ ପାଇଁ କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୪ଟି ସ୍ଥାନରେ ମାଗଣା ପାର୍କିଂ ସୁବିଧା କରାଯାଇଥିବା ବେଳେ ଯା’ଆସରେ ସୁବିଧା ପାଇଁ ପୂଜା ୫ ଦିନ ୱାନ୍‌-ୱେ ବ୍ୟବସ୍ଥା କରାଯାଇଛି।  ପୂଜାମଣ୍ଡପରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ୧୦ଜଣ ମହିଳା ସ୍ବେଚ୍ଛାସେବୀ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ।
-ସଞ୍ଜୟ ବଳିୟାରସିଂହ, ସମ୍ପାଦକ