ବିଳମ୍ବ ହେବ ରସୁଲଗଡ଼-ପାଣ୍ଡରା ରାସ୍ତା କାମ

ଭୁବନେଶ୍ବର: ରସୁଲଗଡ଼ଠାରୁ ଜିଜିପି କଲୋନି ଦେଇ ପାଣ୍ଡରା ନିକଟ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା କାମ ହେବାରେ ବିଳମ୍ବ ହେବ। ବର୍ଷା ଦିନ ପରେ କିମ୍ବା ତା’ଠାରୁ ବିଳମ୍ବରେ କାମ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ବର୍ତ୍ତମାନ ଧୂଳି, ଧୂଷର ଖାଲ, ଢିପ ରାସ୍ତାରେ ଘାଣ୍ଟି ହେଉଛନ୍ତି ହଜାର ହଜାର ଲୋକ। ପୂର୍ବ ବର୍ଷ ଗୁଡ଼ିକ ପରି ଏଥର ବର୍ଷା ଦିନେ ମଧ୍ୟ ଅଧିକ ସମସ୍ୟା ଭୋଗିବେ ଅଞ୍ଚଳବାସୀ। ବର୍ଷା‌ ପୂର୍ବରୁ ଚକାଚକ୍‌ ରାସ୍ତାରେ ଯାତାୟାତ କରିବାକୁ ସ୍ବପ୍ନ ଦେଖିଥିବା ଅଞ୍ଚଳବାସୀଙ୍କ ଆଶା ମଉଳି ଯାଇଛି।

ବର୍ଷ‌ା ଦିନେ ସମସ୍ୟା ଭୋଗିବେ ଅଞ୍ଚଳବାସୀ
ଚୁକ୍ତି କରିବାକୁ ପଛଘୁଞ୍ଚା ଦେଉଛନ୍ତି ଠିକାଦାର
ସ୍ବେରେଜ୍‌ କାମ ସରିବାରେ ଅନିଶ୍ଚିତତା ନେଇ ସମସ୍ୟା ବଢ଼ୁଛି

ରସୁଲଗଡ଼-ପାଣ୍ଡରା ରାସ୍ତା ଦୀର୍ଘଦିନ ହେବ ଖରାପ ହୋଇ ପଡ଼ିଛି। ଅଢ଼େଇ କିଲୋମିଟର ରାସ୍ତାରେ ଶହଶହ ଖାଲ। ଅଞ୍ଚଳବାସୀଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ରାସ୍ତାର ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ସଙ୍କୁଚିତ ରାସ୍ତା ହୋଇଥିବାରୁ ଟ୍ରାଫିକ୍‌ ସମସ୍ୟାରେ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି ଲୋକ। ଏହି ରାସ୍ତାରେ ସକାଳ ଅଫିସ୍‌ ସମୟ ଏବଂ ସନ୍ଧ୍ୟା ସମୟରେ ଭୀଷଣ ଟ୍ରାଫିକ୍‌ ସମସ୍ୟା‌ ଦେଖିବାକୁ ମିଳୁଛି। ଘଣ୍ଟାଘଣ୍ଟା ଧରି ଗାଡ଼ିଗୁଡ଼ିକ ଟ୍ରାଫିକ୍‌ ଜାମ୍‌ରେ ଫସି ରହୁଛନ୍ତି। ଅଢ଼େଇ କିଲୋମିଟର ରାସ୍ତାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏମିତିକି ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକୁ ବି ରାସ୍ତା ମିଳିବା କଷ୍ଟକର ହୋଇପଡ଼ୁଛି। ସଂକୁଚିତ ରାସ୍ତାକୁ ରାସ୍ତା ମଝିରେ ଇଲେକ୍ଟ୍ରିକ୍‌ ପୋଲ୍‌ ଅଧିକ ସଙ୍କୁଚିତ କରୁଛି। ଆଉ କିଛି ସ୍ଥାନରେ ଉଠାଦୋକାନୀ ଅଧା ରାସ୍ତାଯାଏ ମାଡ଼ି ବସିଛନ୍ତି।

ରାସ୍ତା ସମ୍ପ୍ରସାରଣ କରିବା ସହ ଜବରଦଖଲ ଉଚ୍ଛେଦ ନେଇ ବାରମ୍ବାର ଦାବି ହୋଇଆସୁଛି। ସ୍ଥାନୀୟ ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ବିଭାଗୀୟ ପଦାଧିକାରୀଙ୍କ ନିକଟରେ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି। ତେବେ କିଛି ଦିନ ତଳେ ଦାବି ପୂରଣ ହେବା ନେଇ ଖବର ପାଇବା ପରେ ଆସ୍ବସ୍ତ ହୋଇଥିଲେ ସ୍ଥାନୀୟବାସିନ୍ଦା। ହେଲେ ଏବେର ପରିସ୍ଥିତି ପୁଣି ଅଞ୍ଚଳବାସୀଙ୍କୁ ନିରାଶ କରିଛି।

ଏହି ଅଢ଼େଇ କିମି ରାସ୍ତାକାମ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ କାମ ପାଇଥିବା ଠିକାସଂସ୍ଥା ବିଭାଗ ସହ ଚୁକ୍ତି କରିନାହିଁ। ଫଳରେ କାମ ହେବାରେ ବିଳମ୍ବ ହେଉଛି। ଏନେଇ ଏସ୍‌ଡିଓ ଅକ୍ଷୟ ମହାନ୍ତି କହିଛନ୍ତି ଯେ ରସୁଲଗଡ଼ ଠାରୁ ପାଣ୍ଡରା ପର୍ଯ୍ୟନ୍ତ ରାସ୍ତା ପାଇଁ ୨ କୋଟି ୨୮ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ସଂପ୍ରସାରଣ କରାଯାଇ ରାସ୍ତାର ଓସାର ୨୫ଫୁଟ୍‌ କରାଯିବ। ଏଥିସହ ରାସ୍ତାର ଦୁଇପାର୍ଶ୍ବରେ ୩ ଫୁଟ୍‌ ଲେଖାଏ ପାଦଚଲା ରାସ୍ତା (ପେଭର ବ୍ଲକ୍‌) ମଧ୍ୟ ନିର୍ମାଣ କରାଯିବ। ସରକାରୀ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରି ଏସବୁ ନିର୍ମାଣ କରାଯିବ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଠିକାଦାର ଚୁକ୍ତି କରି ନହାନ୍ତି। ବର୍ଷାଦିନେ କାମ କରିବା ସମ୍ଭବ ହୋଇନପାରେ।

ଚଳିତ ବର୍ଷ ଶେଷ ଆଡ଼କୁ କାମ ଆରମ୍ଭ ହେବ ବୋଲି କହିଛନ୍ତି। ବର୍ତ୍ତମାନ ଥିବା ରାସ୍ତା ଉପରେ କେବଳ ୪ ଇଞ୍ଚର ଢଳେଇ ହେବ। ତେଣୁ ରାସ୍ତା କାମ ଆରମ୍ଭର ତିନି ମାସ ଭିତରେ କାମ ସରିବ ବୋଲି କହିଛନ୍ତି। ପ୍ରକୃତରେ ଏବେ ଜିଜିପି କଲୋନିରେ ସ୍ବେରେଜ୍‌ କାମ କରାଯାଉଛି। ମନ୍ଥର ଗତିରେ ସ୍ବେରେଜ୍‌ କାମ ହେଉଥିବାରୁ ଏହା କେବେ ସରିବ ତା’ର କୌଣସି ଠିକ୍‌ ଠିକଣା ନାହିଁ। ଅନ୍ୟପଟେ ବର୍ଷାଦିନ ଆସୁଥିବାରୁ ଠିକାଦାର ଚୁକ୍ତି କରିବାକୁ ପଛଘୁଞ୍ଚା ଦେଉଥିବା ନେଇ ଆଲୋଚନା ହେଉଛି। ଏସବୁ ଭିତରେ ଫସି ରହି ସାଧାରଣ ଲୋକ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର