‘ରସୁଲଗଡ଼’ର ଏପରି ନାମକରଣ ପାଇଁ ଇତିହାସ ଦୁଇ ଭିନ୍ନ କାଳଖଣ୍ଡକୁ ଦାୟୀ କରେ। ଗୋଟିଏ, ରାଜା ଅନଙ୍ଗଭୀମଦେବଙ୍କ ରାଜତ୍ବ କାଳ ଓ ଅନ୍ୟଟି ବ୍ରିଟିସ୍ ଶାସନ ସମୟ। ଗଙ୍ଗବଂଶର ଅନ୍ୟତମ ପରାକ୍ରମୀ ରାଜା ଅନଙ୍ଗଭୀମଦେବଙ୍କ ସମୟରେ ଏ ଜାଗା ସୀମାନ୍ତବର୍ତ୍ତୀ ଅଞ୍ଚଳ ଥିଲା। ବାହ୍ୟଶତ୍ରୁ ଆକ୍ରମଣରୁ ରାଜ୍ୟକୁ ରକ୍ଷା କରିବାକୁ କ୍ଷତ୍ରିୟ ଜନପଦଙ୍କୁ ନେଇ ରାଜା ଏଠାରେ ‘ଗଡ଼ ଗୋପୀନାଥପ୍ରସାଦ’ ପ୍ରତିଷ୍ଠା କରିଥିଲେ। ସେହିପରି ବ୍ରିଟିସ୍ ଶାସନ ସମୟରେ ଆଫଗାନ୍ର କିଛି କଲୋରା ସମ୍ପ୍ରଦାୟର ମୁସଲମାନ ଯାଯାବର ଏଠାରେ ରହୁଥିଲେ। ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନ ଓ ଆଖପାଖ ଅଞ୍ଚଳରେ ସେମାନେ ଔଷଧୀୟ ବୃକ୍ଷ ବ୍ୟବସାୟ କରୁଥିଲେ। କଲୋରାଙ୍କ ଇଷ୍ଟ ‘ରସୁଲ’(ଆହ୍ଲାଙ୍କ ଅବତାର) ଓ ରାଜାଙ୍କ ‘ଗଡ଼’ (ଗୋପୀନାଥପ୍ରସାଦ) ଶବ୍ଦ ମିଶ୍ରଣରେ ଏ ଜାଗାର ନାମ ପରବର୍ତ୍ତୀ ସମୟରେ ‘ରସୁଲଗଡ଼’ ହୋଇଛି ଐତିହାସିକମାନେ ବୈଚାରିକ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି। ଏବେ ବି ସରକାରୀ ଖାତାରେ ରସୁଲଗଡ଼ରେ ‘ଗଡ଼ଗୋପୀନାଥ ପ୍ରସାଦ’ ଓ ‘କଲୋରାପୁଟ’ ନାମରେ ଦୁଇଟି ମୌଜା ରହିଛି।
୧୮ଟି କ୍ଷତ୍ରିୟ ପରିବାରର ଗାଁ
ଏହି ଗାଁ ପ୍ରଥମେ ୧୮ଟି କ୍ଷତ୍ରିୟ ପରିବାରରୁ ଆରମ୍ଭ ହୋଇଥିବା ବେଳେ ବଂଶାନୁକ୍ରମିକ ଭାବେ ତାହା ଏବେ ୨୪୨ରେ ପହଞ୍ଚିଲାଣି। ଏହାବ୍ୟତୀତ ଗ୍ରାମରେ ବ୍ରାହ୍ମଣ, ମହାଜନ ତେଲି, ବଢ଼େଇ, ଗୁଡ଼ିଆ, ବାରିକ, ବେହେରା, ଶବର ଆଦି ଅନେକ ସମ୍ପ୍ରଦାୟର ଲୋକ ଗାଁ ଚାରିପାଖରେ ବସବାସ କରୁଛନ୍ତି। ଏଠିକା ପୁରୁଖା ଲୋକ କହନ୍ତି, ୫୦ବର୍ଷ ତଳେ ଏଠି ପାଖାପାଖି ୨୫୦ ପରିବାରର ୩ରୁ ୪ହଜାର ଲୋକ ବସବାସ କରୁଥିଲେ। ଏବେ ତାହା ୧୦ ହଜାର ଡେଇଁ ଗଲାଣି। ଏହାବ୍ୟତୀତ ମୂଳ ବାସିନ୍ଦାଙ୍କ ଅପେକ୍ଷା ଭଡ଼ାଟିଆ ଓ ବାହାରୁ ଆସି ଏଠାରେ ଘର କରିଥିବା ଲୋକଙ୍କ ସଂଖ୍ୟା ଢେର୍ ଅଧିକ। ସୀମାନ୍ତବର୍ତ୍ତୀ ହୋଇଥିବାରୁ ଗାଁର ଗଠନଶୈଳୀ ସ୍ବତନ୍ତ୍ର। ଏଠି ଗୋଟିଏ ପ୍ରବେଶ ପଥ ଓ ଗୋଟିଏ ପ୍ରସ୍ଥାନ ପଥ ରହିଥିଲା। ଶତ୍ରୁ କୌଣସିମତେ ଗାଁରେ ପଶିଗଲେ, ଉଭୟ ପଟ ବନ୍ଦ କରି ତାକୁ ନିପାତ କରିଦିଆଯାଉଥିଲା ବୋଲି ଗ୍ରାମବାସୀ କହନ୍ତି।
ଚାଷ ଓ ପଥରଖଣି ଥିଲା ମୂଳ ବେଉସା
କଲୋରାପାଟ ଓ ଗଡ଼ଗୋପୀନାଥପ୍ରସାଦ ମୌଜାର ବ୍ୟାସାର୍ଦ୍ଧ ଖୁବ୍ ବଡ଼। ବର୍ତ୍ତମାନ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆରମ୍ଭ କରି ସତ୍ୟନଗର ଏବଂ ସହିଦନଗରରୁ ବାଣୀବିହାର ରେଳଷ୍ଟେସନ୍, ଇମ୍ଫା ଓ ପୁରୀ ବାଇପାସ୍ କୋରଡ଼କଣ୍ଟା ପର୍ଯ୍ୟନ୍ତ ଲମ୍ବିଥିଲା। ଏଠାରେ ଅଧିକାଂଶ ସ୍ଥାନରେ ଗାଁର ଚାଷ ଜମି ଥିଲା। ଲୋକେ ଚାଷବାସ କରି ଚଳୁଥିଲେ। ଏମିତିକି, ବର୍ତ୍ତମାନ ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଗ୍ରାମବାସୀମାନଙ୍କ ଚାଷ ଜମି ଓ ପୋଖରୀ ଥିଲା। ଏହାସହ କିଛି କିଛି ସ୍ଥାନରେ ପଥର ଖଣି ମଧ୍ୟ ଥିଲା। ଯେଉଁଥିରୁ ଲୋକମାନଙ୍କ ଦ୍ବାରା ପଥର କାଟି ଗ୍ରାମବାସୀମାନେ ଶଗଡ଼ ସାହାଯ୍ୟରେ ଭୁବନେଶ୍ବରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଯୋଗାଉଥିଲେ। ବର୍ତ୍ତମାନ କିନ୍ତୁ ଅଧିକାଂଶ ଲୋକ ବ୍ୟବସାୟ ଓ ଘରଭଡ଼ା ଉପରେ ନିର୍ଭରଶୀଳ। କାରଣ ୧୯୮୦ ମସିହା ପରେ ଚାଷ ଜମି ସବୁ ଘରଡିହରେ ପରିଣତ ହୋଇଯିବା ପରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।
‘ଡିହ ନଟା’ରେ ଜିଜିପି କଲୋନି
ଗାଁର ପୂର୍ବ ଦିଗରେ ଦୟାୱେଷ୍ଟ କେନାଲ କଡ଼ରେ ଗାଁର ଚାଷ ଜମି ସବୁ ଥିଲା। ସେ ଜମିକୁ ଯିବା ପାଇଁ ଦୟାୱେଷ୍ଟ କେନାଲ୍ରେ ବ୍ରିଜ୍ ନଥିଲା। ଲୋକମାନେ ସେହି ପାଣି ଭିତରେ ଚାଲି ଚାଲି ଓ ଶଗଡ଼ରେ ପାରି ହୋଇ ସେପଟକୁ ଯାଉଥିଲେ। ସେପଟେ ଚାଷଜମି ସହ ଗାଁ ମଶାଣି ଥିଲା। ଏବେ ବି ରହିଛି। କିଛି ଥୋରିଆ ସଂପ୍ରଦାୟର ଲୋକ ସେଠାରେ ବସବାସ କରୁଥିଲେ। ସେମାନେ ବଳଦ ଗାଡ଼ିରେ ଜିନିଷ ବୋହିବା କାମ କରୁଥିଲେ। ଗାଁ ଲୋକମାନେ ସେ ଜାଗାକୁ ‘ଡିହ ନଟା’ ବୋଲି କହୁଥିଲେ। ସେଠି ୨୫ ଏକରରୁ ଊର୍ଦ୍ଧ୍ବ ସରକାରୀ ଜାଗା ଥିଲା। ୧୯୮୦ ମସିହାରେ ବିଡିଏର ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ବିଧାୟକ ସତ୍ୟପ୍ରିୟ ମହାନ୍ତି ସେହି ସ୍ଥାନରେ ପ୍ରାୟ ୭ଶହ ଘର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେଇଥିଲେ। ପରେ ୧୯୯୦ରେ ଗାଁର ଧାନ ଗହୀରରେ ‘ସମ୍ବିତ ରେସିଡେନ୍ସି’, ୧୯୯୫ରେ ‘ସୃଷ୍ଟି ଭିଲ୍ଲା’ ଆଦି ଗଢ଼ି ଉଠିଥିଲା। ସହରୀକରଣ ବଢ଼ିବା ପରେ ଧାନ ଜମିଗୁଡ଼ିକ ବିକ୍ରି ହୋଇ ଭାଗବତ ସନ୍ଧାନ, ଶ୍ରୀରାମ ସିଟି, ମଳୟ ବିହାର ଆଦି ବିଭିନ୍ନ କଲୋନି ଗଢ଼ା ହୋଇଥିଲା।
ହେଟା ଘଉଡ଼ାଇବାକୁ ଥାଳିମାଡ଼
ଗାଁର ପୂର୍ବ ଦିଗରେ ଇଷ୍ଟଦେବୀ ମା’ ତାଳପଦିଆଣି ଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ତାଳପଦେଶ୍ବରୀ ଭାବେ ପୂଜା ପାଉଛନ୍ତି। ପୂର୍ବରୁ ଗାଁର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ହେଲେ ଲୋକମାନେ ଘନ ଜଙ୍ଗଲ ଭିତରେ ହେଟା ବାଘ କବଳରୁ ବଞ୍ଚିବା ପାଇଁ ଥାଳି ବାଡ଼େଇ ବାଡ଼େଇ ଯାଉଥିଲେ। ବିବାହ, ବ୍ରତ ସମୟରେ ଲୋକେ ସନ୍ଧ୍ୟା ପୂର୍ବରୁ କାମ ସାରି ଚାଲି ଆସୁଥିଲେ।
ଦଶହରାରେ ହୁଏ ଖଣ୍ଡାପୂଜା
ଦଶହରାରେ ଏଠାକାର କ୍ଷତ୍ରିୟ ପରିବାରମାନେ ଖଣ୍ଡା ପୂଜା କରିଥା’ନ୍ତି। ସେହିଭଳି ଗାଁର ବଡ଼ପର୍ବ ଦୋଳପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା, ରାଧାଷ୍ଟମୀ, ନନ୍ଦୋତ୍ସବ, ଅଗ୍ନି ଉତ୍ସବ, ଜାଗର, ରଜପର୍ବ, ବିଶ୍ବଶାନ୍ତି ଯଜ୍ଞ ଆଦି ଅନେକ ପର୍ବପର୍ବାଣୀ ପାଳନ ହୁଏ। କାଳକ୍ରମେ ଏବେ ଏଥିରୁ କିଛି ବନ୍ଦ ହୋଇଯାଇଥିବା ବେଳେ ଅଧିକାଂଶ ପର୍ବପର୍ବାଣୀ ଗାଁର ମୁରବି ଶ୍ରେଣୀୟ ବ୍ୟକ୍ତିମାନେ ପାଳନ କରୁଛନ୍ତି। ଦୋଳମେଳଣ ବେଳେ ଇଷ୍ଟଦେବ ଗୋପୀନାଥ ପ୍ରତ୍ୟେକ ଘରେ ଭୋଗ ଖାଇବା ପରମ୍ପରା ବହୁ କାଳରୁ ରହି ଆସିଛି। ଏହାସହ ସେ ବାଲିଅନ୍ତାର ଶ୍ରୀନିକୁଞ୍ଜବିହାରୀଙ୍କ ନିମନ୍ତ୍ରଣ ପାଇ ସେଠିକାର ମେଳଣରେ ଭାଗ ନେବା ପାଇଁ ପଟୁଆରରେ ବାଲିଅନ୍ତାକୁ ଯାତ୍ରା କରିଥା’ନ୍ତି। ଏହା ଏକ ବିରଳ ପରମ୍ପରା।
ଚାଷ ଜମିରେ ଶିଳ୍ପାଞ୍ଚଳ
ଗାଁ ଲୋକଙ୍କ ଧାନ କ୍ଷେତ ମଞ୍ଚେଶ୍ବର ମଉଜାରେ ଥିଲା, ବର୍ତ୍ତମାନ ଯେଉଁଠି ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରହିଛି। ପ୍ରଥମେ ସେଠାରେ ସରକାରଙ୍କ ଓଡ଼ିଶା କର୍ପୋରେସନ୍ କମ୍ପାନି ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଶିଳ୍ପାଞ୍ଚଳ ଗଢ଼ି ଉଠିଲା। ସେହିଭଳି ରସୁଲଗଡ଼ ଶିଳ୍ପାଞ୍ଚଳ ମଧ୍ୟ ଘଞ୍ଚ ଜଙ୍ଗଲ ଭିତରେ ଥିଲା। ଏଠି କିଛି କିଛି ଚାଷ ଜମି ଥିଲା। ଶିଳ୍ପାଞ୍ଚଳ କରିବା ପାଇଁ ତାହାକୁ ସରକାର ଲୋକଙ୍କଠାରୁ ନେଇ ଯାଇଥିଲେ।
କୋଚିଲା ବଣରେ ପୂଜା ପାଉଥିଲେ କୋଚିଲେଇ
ବର୍ତ୍ତମାନ ଯେଉଁ ସ୍ଥାନରେ ରାଜ୍ୟ ଫୋରେନସିକ୍ ଲାବରୋଟାରି ଠିଆ ହୋଇଛି, ସେ ଜାଗାରେ କୋଚିଲା ବଣ ଥିଲା। ତା’ ଭିତରେ ପୂଜା ପାଉଥିବା ଏକ ପଥର ବିଗ୍ରହକୁ ଲୋକେ ଗ୍ରାମଦେବତୀ ଭାବେ ପୂଜା କରୁଥିଲେ। କୋଚିଲା ବଣ ଭିତରେ ମା’ ପୂଜା ପାଉଥିବାରୁ ତାଙ୍କୁ କୋଚିଲେଇ ବୋଲି କୁହାଯାଉଥିଲା। ୧୯୭୫ରେ ଏସଏଫ୍ଏସ୍ଏଲ୍ ପ୍ରତିଷ୍ଠା ହେବାରୁ ମା’ଙ୍କୁ ଜାତୀୟ ରାଜପଥ କଡ଼ରେ ପୁନଃ ପ୍ରତିଷ୍ଠା କରାଗଲା। ହେଲେ ପୁଣି ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ମା’ଙ୍କ ପାଲା ମଣ୍ଡପ ସମ୍ମୁଖରେ ପ୍ରତିଷ୍ଠା କରାଯାଇଛି। ଏହାସହ ଗାଁରେ ଇଷ୍ଟଦେବ ଗୋପୀନାଥଙ୍କ ସମେତ ଶିବ ମନ୍ଦିର, ଚଣ୍ଡୀମାତା ମନ୍ଦିର, ବଢ଼େଇ ଠାକୁରାଣୀ ମନ୍ଦିର, ବାସୁଦେବ ମନ୍ଦିର, ତାରେଣୀ ମନ୍ଦିର, ମଙ୍ଗଳା ମନ୍ଦିର, ଦୁର୍ଗା ମନ୍ଦିର, ଗଣେଶ ମନ୍ଦିର ଆଦି ଏକାଧିକ ମନ୍ଦିର ରହିଛି। କୋଚିଳେଇ ମା’ଙ୍କ ନାମରେ ୧୯୯୭ ମସିହାରେ ପ୍ରତିଷ୍ଠା ହେଲା କୋଚିଲେଇ ହାଟ। ଏବେ ପ୍ରାୟ ୬ଶହରୁ ଊର୍ଦ୍ଧ୍ବ ବ୍ୟବସାୟୀ ଏ ହାଟରେ ବ୍ୟବସାୟ କରୁଛନ୍ତି। ଏହା ଗାଁର ଆବଶ୍ୟକତା ପୂରଣ କରିବାରେ ବେଶ ସହାୟକ ହୋଇଛି। ପୂର୍ବରୁ ଲୋକେ ପରିବାପତ୍ର ଓ ଗ୍ରୋସରି ପାଇଁ ଶଗଡ଼ରେ ବାଲିଅନ୍ତା ହାଟ ନଚେତ୍ ଲିଙ୍ଗରାଜ ହାଟକୁ ଯାଉଥିଲେ।
ଏଇଠୁ ଆରମ୍ଭ ହୋଇଥିଲା ଢାବା ପରମ୍ପରା
ଜାତୀୟ ରାଜପଥ ସେତେବେଳେ ଅଣଓସାରିଆ ଛୋଟ ସଡ଼କଟିଏ ଥିଲା। ଦୁଇପଟେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ବହୁତ ଆମ୍ବଗଛ ଥିଲା। ରସୁଲଗଡ଼ ଛକରେ ଦୁଇଜଣ ପଞ୍ଜାବୀ ଲୋକ ପ୍ରଥମେ ଢାବା କରିଥିଲେ। ସେଠି ସେମାନେ ଭଲ ବିରି ଲଡ଼ୁ ତିଆରି କରନ୍ତି। ଲଡ଼ୁ ପାଇଁ ସେ ଢାବାରେ ଆଖପାଖ ଅଞ୍ଚଳ ଲୋକଙ୍କ ଭିଡ଼ ଜମୁଥିଲା। ପାରାଦୀପ ବନ୍ଦର ତିଆରି ହେବା ବେଳେ ଖୋର୍ଦ୍ଧା ତାପଙ୍ଗରୁ ପଥର କଟା ହୋଇ ଟ୍ରକ୍ରେ ବୁହା ହେଉଥିଲା। ସେ ଟ୍ରକ୍ଗୁଡ଼ିକର ଚାଳକମାନେ ଏହି ଢାବାରେ ଖାଆନ୍ତି। ତେଣୁ ଏହି ତଥ୍ୟ ଆଧାରରେ ଏଇଠୁ ଭୁବନେଶ୍ବରରେ ‘ଢାବା ପରମ୍ପରା’ ଆରମ୍ଭ ହୋଇଛି ବୋଲି ଗ୍ରାମବାସୀମାନେ ଯୁକ୍ତି ବାଢ଼ନ୍ତି।
ଦୟାୱେଷ୍ଟ ଥିଲା ଜୀବନରେଖା
ଗାଁରେ ପୋଖରୀ ଥିଲେ ମଧ୍ୟ ଦୟାୱେଷ୍ଟ କେନାଲ ଲୋକଙ୍କ ଜୀବନରେଖା ଥିଲା। ଗାଧୋଇବାଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଏହାର ସ୍ବଚ୍ଛ ପାଣିକୁ ଲୋକେ ବ୍ୟବହାର କରୁଥିଲେ। ଏହି କେନାଲ ପାଇଁ ଭୂ-ତଳ ଜଳ (ଗ୍ରାଉଣ୍ଡ ୱାଟର୍) ଚାର୍ଜ ରହୁଥିଲା। ଜଳସ୍ତର ହ୍ରାସ ପାଉ ନଥିଲା। ଖରାଦିନେ ବି ଗାଁରେ କୂଅ, ନଳକୂପର ଜଳସ୍ତର ବିଶେଷ ଖସୁ ନଥିଲା। ଏବେ କିନ୍ତୁ ଏ କେନାଲ ଆର୍ବଜନା କୁଣ୍ଡରେ ପରିଣତ ହୋଇଥିବାରୁ ଲୋକଙ୍କ ପାଇଁ ବିପଦର କାରଣ ସାଜିଛି। ଏହାବ୍ୟତୀତ, ଗାଁରେ ଚାରୋଟି ପୋଖରୀ ଥିଲା। ବାସୁଦେବ ନଗର ମଠ ପୋଖରୀ ସବୁଠୁ ବଡ଼ ପୋଖରୀ ହୋଇଥିବା ବେଳେ ଶବରସାହି ପାଖରେ ଗୋଟେ ପୋଖରୀ ଓ ବଢ଼େଇ ଠାକୁରାଣୀଙ୍କ ପାଖରେ ଦୁଇଟି ପୋଖରୀ ଥିଲା। ଏବେ ଶବର ସାହି ପୋଖରୀ ପୋତି ହୋଇ ସେଠି ଜନବସତି ଗଢ଼ି ଉଠିଛି।
ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଐତିହାସିକ ପୃଷ୍ଠଭୂମିକୁ ନେଇ ମତ ରଖିଥିବା ବେଳେ ଗ୍ରାମ ସଭାପତି ମଳୟ ରାଉତରାୟ, ସମ୍ପାଦକ ପ୍ରଦୀପ ଜେନା, ଉପଦେଷ୍ଟା ନିରଞ୍ଜନ ରାଉତରାୟ, ସାରଙ୍ଗଧର ପରିଡ଼ା, ସଂଜୟ ବଳିୟାରସିଂହ, ଦିଲ୍ଲୀପ ଜଗଦେବ, ପ୍ରତାପ ରାଉତରାୟ, ପ୍ରମୋଦ ବରିସଲ, କାର୍ତ୍ତିକ ସାହୁ ପ୍ରମୁଖ ଗାଁର ୫୦-୬୦ବର୍ଷ ତଳର ଅତୀତ ସମ୍ପର୍କରେ ସୂଚନା ଦେଇଛନ୍ତି।