ଭୁବନେଶ୍ବର: କରୋନା କଟକଣା କୋହଳ ହୋଇଛି। ରାସ୍ତାଘାଟରେ ଆଗଭଳି ଗାଡ଼ିମଟରର ଗହଳି ବଢ଼ିଲାଣି। ହେଲେ କେତେକ ପ୍ରମୁଖ ଛକରେ ଏବେ ବି ଟ୍ରାଫିକ୍ ବିଶୃଙ୍ଖଳା ଦେଖାଦେଉଛି। ସକାଳେ ଓ ସନ୍ଧ୍ୟାରେ ଏଠାରେ ଟ୍ରାଫିକ୍ ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ୁଛି। କେଉଁଠି ଟ୍ରାଫିକ୍ ପୁଲିସ ଥାଇ ମଧ୍ୟ ଅସହାୟ ହୋଇପଡ଼ୁଛି ତ’ କେଉଁଠି ପୁଲିସ ନଥିବାରୁ ଅମାନିଆ ଚାଳକ ଅନ୍ୟମାନଙ୍କ ଧନଜୀବନ ପ୍ରତି ବିପଦ ହେଉଛନ୍ତି। ଟ୍ରାଫିକ୍ ପରିଚାଳନା ବିପର୍ଯ୍ୟସ୍ତ ତାଲିକାର ଶୀର୍ଷରେ ରସୁଲଗଡ଼ ଛକ ରହିଛି।
ସହରକୁ ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ହେଉଛି ରସୁଲଗଡ଼। ଭୁବନେଶ୍ବରରୁ ପୁରୀ ଓ କଟକ ତଥା ବାହାରକୁ ଯାଉଥିବା ବସ୍, ଭୁବନେଶ୍ବରକୁ ଆସୁଥିବା ବସ୍ ଏହି ଛକରେ ଛିଡ଼ା ହୋଇ ଭିଡ଼ କରନ୍ତି। କଟକ ଯାଉଥିବା ବସ୍ ତାରିଣୀ ମନ୍ଦିର ନିକଟରେ ଛିଡ଼ା ହୋଇ ରୁହେ। ଏହି ରାସ୍ତା ଦେଇ ରାଜ୍ୟର କୋଣ ଅନୁକୋଣକୁ ବସ୍ ଯାଉଥିବାରୁ ଗୋଟିଏ ସମୟରେ ଏକାଧିକ ବସ୍ ଛିଡ଼ା ହୋଇ ରହିଥାଏ। ଫଳରେ ଅନ୍ୟ ଗାଡ଼ିଗୁଡ଼ିକ ଅତିକ୍ରମ କରିବାରେ ସମସ୍ୟା ହୋଇଥାଏ। ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଏହା ପ୍ରମୁଖ ପ୍ରବେଶ ପଥ। ଏହି ଛକକୁ ଲାଗି ପାର୍କିଂ ଥିବାରୁ ଦିନ ସାରା ଶହ ଶହ ଟ୍ରକ୍ ଯିବା ଆସିବା କରୁଥାନ୍ତି। ଫଳରେ ପ୍ରବଳ ଭିଡ଼ ହୋଇଥାଏ। ଜିଜିପି କଲୋନି ଦେଇ କେନାଲ ରୋଡ୍କୁ ମଧ୍ୟ ଏଠାରେ ପ୍ରବେଶ ପଥ ରହିଛି। ଏହି ଗଳିରୁ ବାହାରି ଯେଉଁମାନେ କଟକ ଆଡ଼କୁ ଯିବାକୁ ଚାହାନ୍ତି, ସେମାନେ ରଙ୍ଗ୍ରୁଟ୍ରେ ଯାଇ ଶିଳ୍ପାଞ୍ଚଳ କଟ୍ରେ ବାମପାର୍ଶ୍ବ ରାସ୍ତା ଧରନ୍ତି। ଏହି କଟ୍ପାଖରେ ଥିବା ଏକ ପେଟ୍ରୋଲ ଟାଙ୍କିକୁ ମଧ୍ୟ ରଙ୍ଗ୍ରୁଟ୍ରେ ଲୋକ ଯାଇଥାନ୍ତି। ଏଣୁ ଏଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଆଶଙ୍କା ରହିଛି। ଏବେ ଏହି ଫ୍ଲାଏଓଭର ବ୍ରିଜ୍ ତଳେ ବାଇକ୍ ପାର୍କିଂ କରି କେତେକ ଡେଲିଭରି ବଏ ବସି ରହୁଛନ୍ତି। ଦୁଇଟି ଠେଲା ଗାଡ଼ି ମଧ୍ୟ ଛିଡ଼ା ହୋଇ ବ୍ୟବସାୟ କରୁଛନ୍ତି। କଟକ ଓ ଭୁବନେଶ୍ବରରୁ ପୁରୀ ଯାଉଥିବା ବସ୍ ଆଗପଛ ହୋଇ ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଥିବାରୁ ଏଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏହି ଛକରେ ଟ୍ରାଫିକ୍ ପୁଲିସ ମୁତୟନ ହୋଇଛି। ହେଲେ ଏହି ଟ୍ରାଫିକ୍ ପୋଷ୍ଟଟି ପୁରୀ ରାସ୍ତା ପଟକୁ ରହୁଥିବାରୁ ଛକର ଅନ୍ୟପାଖଗୁଡ଼ିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଛି।
ସେହିଭଳି ଏସ୍ପ୍ଲାନେଡ୍ ମଲ ସାମ୍ନା ତଥା ରସୁଲଗଡ଼ ଶିଳ୍ପାଞ୍ଚଳକୁ ପ୍ରବେଶ ଦ୍ବାରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ରସୁଲଗଡ଼ ଶିଳ୍ପାଞ୍ଚଳ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାନ ଓ ବାଣୀବିହାର ରେଳଷ୍ଟେସନକୁ ପ୍ରତିଦିନ ହଜାର ହଜାର ଲୋକ ଏହି ଛକ ଦେଇ ଯାଉଛନ୍ତି। ଏବେ ମଲ୍ ଖୋଲିଯିବା ପରେ ଭିଡ଼ ଦ୍ବିଗୁଣିତ ହୋଇଛି। ଅନେକ ବାଇକ୍ ଚାଳକ ରଙ୍ଗ୍ରୁଟ୍ରେ ବମିଖାଲ ଓଭରବ୍ରିଜ୍ ଦେଇ ଦ୍ରୁତଗତିରେ ଯାଉଛନ୍ତି। ଫଳରେ ବମିଖାଲ ପଟୁ ସର୍ଭିସ୍ ରୋଡ୍ରେ ରସୁଲଗଡ଼ ଆସୁଥିବା ଗାଡ଼ି ଚାଳକ ପ୍ରତି ବିପଦ ସୃଷ୍ଟି ହେଉଛି। ପୂର୍ବରୁ ଏଠାରେ ଟ୍ରାଫିକ୍ ପୁଲିସ ରହୁଥିବା ବେଳେ ଏବେ ରହୁନଥିବାରୁ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଛକ ଉପରେ ଆମର ନଜର ରହିଛି। ସକାଳେ ଓ ସନ୍ଧ୍ୟାରେ ପୁଲିସ ଟ୍ରାଫିକ୍ ଶୃଙ୍ଖଳିତ କରିବା ସହ ଜବରଦଖଲକାରୀଙ୍କୁ ହଟାଉଛି। ଏସ୍ପ୍ଲାନେଡ୍ରୁ ବମିଖାଲ ଆଡ଼କୁ ରଙ୍ଗ୍ରୁଟ୍ରେ ଯାଉଥିବା ଚାଳକମାନଙ୍କୁ ଧରିବା ପାଇଁ ଏକ ଟିମ୍ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଜଗି ରହୁଛି। ଆଗକୁ ଏହି ସବୁ ସ୍ଥାନଗୁଡ଼ିକରେ ଟ୍ରାଫିକ୍ ବ୍ୟବସ୍ଥା ଶୃଙ୍ଖଳିତ କରାଯିବ।