ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥ ପଶୁ ପଶୁ ଝୁଣ୍ଟିବ

ଭୁବନେଶ୍ବର: ଶୋଚନୀୟ ‌ହୋଇ ପଡ଼ିଛି ରସୁଲଗଡ଼ ଶିଳ୍ପାଞ୍ଚଳର ଏକମାତ୍ର ପ୍ରବେଶ ପଥ। ଏହି ରାସ୍ତାରେ ପାଦ ଦେଲା ମାତ୍ରେ ଜଣାପଡ଼ିଯିବ ଶିଳ୍ପାଞ୍ଚଳର ଦୟନୀୟ ସ୍ଥିତି। ଯୁଆଡ଼େ ଚାହିଁବ ଖାଲଢ଼ିପ। କେଉଁଠି ମାଟି, ବାଲି ଜମି ରହିଛି ତ’ କେଉଁଠି ଗୋଡ଼ି ଓ ଚିପ୍ସ ବାହାରି ଆସିଛି। ପଶୁ ପଶୁ ଦୁର୍ଘଟଣାକୁ ସାମ୍ନା କରିବାର ସମ୍ଭାବନା। ସହରର ମୁଖ୍ୟ ରାସ୍ତାକୁ ରଙ୍ଗିନ ଓ ଚକ୍‌ଚକ୍‌ କରି ବାହାବା ନେଉଥିବା ଅଧିକାରୀମାନେ ‌ରାଜଧାନୀବାସୀଙ୍କୁ ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବାରେ କେତେ ସମର୍ଥ, ଏଥିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି। ସହରର ଏହା ଏକ ଗୁରୁତ୍ବପୂର୍ଣ୍ଣ ଶିଳ୍ପାଞ୍ଚଳ। ୮୦ ଦଶକରେ ରାଜଧାନୀରେ ଶିଳ୍ପ ପାଇଁ ଯେଉଁ ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିଲା ରସୁଲଗଡ଼ ଶିଳ୍ପାଞ୍ଚଳ ସେଥିରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ନେଇଥିଲା। ଏହା ମଧ୍ୟରେ ରହିଛି ପ୍ରାୟ ଛୋଟ ବଡ଼ ୯୦ଟି ଶିଳ୍ପ ସଂସ୍ଥା। ସେଥିରେ କାର୍ଯ୍ୟରତ ଶହ ଶହ କର୍ମଚାରୀ ଏହା ମଧ୍ୟ ଦେଇ ଯା’ଆସ କରନ୍ତି। ଯେହେତୁ ଏହା ମଧ୍ୟରେ ଅନେକ ଶିଳ୍ପସଂସ୍ଥା ରହିଛି ତେଣୁ ବହୁତ ସଂଖ୍ୟାରେ ଭାରୀଯାନ ଏହା ମଧ୍ୟକୁ ପ୍ରବେଶ କରୁଛି। ପୁଣି ରସୁଲଗଡ଼‌ ଶିଳ୍ପାଞ୍ଚଳରେ ପ୍ରବେଶ କରୁ କରୁ ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଆଖପାଖ ବିଭିନ୍ନ ଶିଳ୍ପାନୁଷ୍ଠାନର କାମ ନେଇ ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନେକ ଲୋକ ଆସୁଛନ୍ତି। ଗତ କିଛି ମାସ ତଳେ ରାଜ୍ୟର ସର୍ବବୃହତ୍‌ ମଲ୍‌ ଏସ୍‌ପ୍ଲାନେଡ୍‌-ୱାନ୍‌କୁ ମଧ୍ୟ ଏଠାରେ କରିବାକୁ ଅନୁମତି ଦିଆଯାଇଛି। ମଲ୍‌ ଖୋଲିଯିବା ପରେ ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଆସୁଛନ୍ତି। ମଲ୍‌ର ପ୍ରସ୍ଥାନ ପଥଗୁଡ଼ିକ ରସୁଲଗଡ଼ ଶିଳ୍ପାଞ୍ଚଳର ମୁଖ୍ୟ ପ୍ରବେଶ ପଥରେ ରହିଛି। ତେଣୁ ଦୈନିକ ଶହ ଶହ ସଂଖ୍ୟାରେ ଗାଡ଼ି ମଲ୍‌ରୁ ବାହାରି ରସୁଲଗଡ଼ ଆଡ଼କୁ ଯାଉଛି। ପୁଣି ଏସ୍‌ପ୍ଲାନେଡ୍‌ରେ ବର୍ତ୍ତମାନ ୭ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ‘ସିନେପୋଲିସ୍‌’ ଖୋଲିଯିବା ଫଳରେ ଏହା ମଧ୍ୟକୁ ଗତ ସପ୍ତାହଠାରୁ ଲୋକଙ୍କର ଯା’ ଆସ ବଢ଼ିଯାଇଛି। ଖାଲି ଶିଳ୍ପାଞ୍ଚଳ କିମ୍ବା ମଲ୍‌ ନୁହେଁ, ବାଣୀବିହାର ଷ୍ଟେସନ୍‌ରେ ଓହ୍ଲାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଏହି ରାସ୍ତା ଦେଇ ରସୁଲଗଡ଼ ଆଡ଼କୁ ଯାଆନ୍ତି। ଟ୍ରେନ୍‌ରୁ ଓହ୍ଲାଉଥିବା ଯାତ୍ରୀମାନଙ୍କ ପାଇଁ ରସୁଲଗଡ଼ରେ ପହଞ୍ଚିବା ପାଇଁ ଏହି ରାସ୍ତା ହିଁ ଏକ ମାତ୍ର ମାଧ୍ୟମ। ପୁଣି ପାଖରେ କୋଚିଲେଇ ହାଟ ଥିବାରୁ ଅନେକ ଲୋକ ଏହି ରାସ୍ତାକୁ ବ୍ୟବହାର କରିଥା’ନ୍ତି। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ଏହି ରାସ୍ତା ଉପରେ ନିଭର୍ରଶୀଳ ଥିଲେ ମଧ୍ୟ ଏହା ଏବେ ବିପର୍ଯ୍ୟସ୍ତ। ଦୀର୍ଘ ଦିନ ଧରି ଏହି ରାସ୍ତା ଏମିତି ଖଣ୍ଡିଆଖାବରା ହୋଇ ଖାଲଢ଼ିପରେ ଭର୍ତ୍ତି ହୋଇ ରହିଛି। ଏନେଇ ଇଡ୍‌କୋରେ ଅଭିଯୋଗ ହୋଇଥିଲେ ମଧ୍ୟ କର୍ତୃପକ୍ଷ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଇଡ୍‌କୋର ସିଜିଏମ୍‌(ପ୍ଲାନିଂ ଆଣ୍ଡ କୋର୍ଡିନେସନ୍‌) ଜି ସି କରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଶିଳ୍ପାଞ୍ଚଳ ରାସ୍ତା ମରାମତି ପାଇଁ ବ୍ୟୟ ଅଟକଳ କରାଯାଇଛି। ଖୁବ୍‌ଶୀଘ୍ର ରାସ୍ତା କାମ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର