ରାଜଧାନୀରେ ରଥଯାତ୍ରା: ସେ ଯେ ଭକତ ଭାବରେ ବନ୍ଧା…

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦେଖିବାକୁ ଚାରିଆଡୁ ଶ୍ରଦ୍ଧାଳୁମାନେ ରାଜଧାନୀରେ ରୁଣ୍ଢ ହୋଇଥିଲେ। ହେଲେ ଏତେ ଭକ୍ତଙ୍କ ଅପେକ୍ଷା ଦେଖି ମହାପ୍ରଭୁଙ୍କ ମନ ବି ବ୍ୟାକୁଳ। କାରଣ ସେ ଯେ ଭକତ ଭାବରେ ବନ୍ଧା କଳା ଠାକୁର। ତେଣୁ ସକାଳ ଯେତେ ବଢ଼ୁଥିଲା ଭକ୍ତଙ୍କ ମନ ବ୍ୟାକୁଳ ହେଉଥିଲା। ଚକାନୟନରେ ନିଜ ଆଖିକୁ ମିଶାଇବାକୁ ଭକ୍ତ ଚାହୁଁଥିଲେ। କିଏ ନିଜ ମନକଥା ତାଙ୍କ ସହ ବାଣ୍ଟିବାକୁ ବ୍ୟଗ୍ର ହେଉଥିଲେ ତ ଆଉ କିଏ ନିଜ ଲୁହରେ ନୈବେଦ୍ୟ କରିବାକୁ ଚାହୁଁଥିଲେ। ତେବେ ପ୍ରତିକ୍ଷାର ଅନ୍ତ ଘଟାଇ ସମୟ ଅନୁସାରେ ବିଭିନ୍ନ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ଗୋଟି ପହଣ୍ଡିରେ ବାହାରିଥିଲେ। ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ।

କାନନକ୍ଷେତ୍ରରେ ଘୋଷଯାତ୍ରା

ବାରଙ୍ଗ: ଆଜି ଭାବବିହ୍ୱଳ ପରିବେଶରେ ଶାନ୍ତି ଶୃଙ୍ଖଳାର ସହ କାନନ କ୍ଷେତ୍ର ନନ୍ଦନକାନନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ତିନି ଠାକୁରଙ୍କୁ ପହଣ୍ଡିରେ ଆଣି ରଥାରୂଢ଼ କରାଯାଇଥିଲା। ଛେରା ପହଁରା କରିଥିଲେ ଇଂ ଅଭୟ କୁମାର ସାମନ୍ତରାୟ। ପରମ୍ପରା ଅନୁସାରେ ନନ୍ଦନକାନନ ଥାନରୁ ଭୋଗ ହାଣ୍ଡି ଆସିବା ପରେ ରଥ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ରଥ ବାହାରି ରଘୁନାଥପୁରସ୍ଥିତ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲା। ମନ୍ଦିର କମିଟିର ସଭାପତି ସୁବାସ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ କର୍ମକର୍ତ୍ତାମାନେ ରଥ ଟଣା କାମ ପରିଚାଳନା କରିଥିଲେ।

ବାଲିଅନ୍ତାରେ ଭାବମୟ ପରିବେଶ

ବାଲିଅନ୍ତା ବଜାର: ଆଜି ବାଲିଅନ୍ତା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଭାବମୟ ପରିବେଶରେ ସମାହିତ ହୋଇଯାଇଛି। କାକରୁଦ୍ରପୁର ପଞ୍ଚାୟତର ପତିତପାବନ ଦେବଙ୍କ ରଥଯାତ୍ରା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ରୀତିନୀତି ଅନୁସା‌ରେ ପୂଜାର୍ଚ୍ଚନା ସରିବା ପରେ ୧୧ଟାରେ ପହଣ୍ଡି ବିଜେ ନୀତି କରାଯାଇଥିଲା। ଏହାପ‌ରେ ‌ଛେରା ପହଁରା ନୀତି ହୋଇଥିଲା ଏବଂ ବିଗ୍ରହମାନଙ୍କୁ ଧରି ରଥ ଗଡ଼ିଥିଲା। ପାରମ୍ପରିକ ବାଦ୍ୟ ସାଙ୍ଗକୁ ଘୋଡ଼ା, ହାତୀ, ନାଗାର୍ଜୁନ ନାଚ, ଘଣ୍ଟ, ମହୁରୀ ଆଦି ରଥ ପଥକୁ ବେଶ୍ ଗହଳଚହଳ କରିଥିଲା। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସେହିପରି ଅଣ୍ଡିଲୋସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏଠାରେ ଠାକୁରଙ୍କ ସେବାୟତ ତାମସ ପତି ଛେରା ପହଁରା କରିଥିଲେ। ସେହିଭଳି ପାଟଣା ଗ୍ରାମ, ବେଣୁପୁର ବାନା ଗୋସାଇଁ ଓ ଜଗନ୍ନାଥ ଛକରେ ଘୋଷଯାତ୍ରା ପାଳିତ ହୋଇଛି। ମନ୍ଦିର ପୂଜକ ଲକ୍ଷ୍ମୀଧର ପତି, ମହନ୍ତ ନାଲୁ ଜେନା ନୀତିକାର୍ଯ୍ୟ ସମ୍ପାଦନା କରିବା ପରେ ମହେଶ ଚନ୍ଦ୍ର ରାୟ ଛେରା ପହଁରା କରିଥିଲେ। ସୂଚନାଯୋଗ୍ୟ ଯେ ଅଟଳା, ଭିଙ୍ଗାରପୁର, ବଇଁଚୁଆ, ଜୟଦେବ ଆଦି ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ରଣପୁରରେ ଗଡ଼ିଲା କୁନି ରଥ

ବାଲିଅନ୍ତା: ଆଜି ସ୍ଥାନୀୟ ରଣପୁର ଗାଁରେ ମା’ କ୍ଷେତ୍ରପାଳୀଙ୍କ ପୀଠରେ ଗଡ଼ିଛି କୁନି ନନ୍ଦିଘୋଷ। ଗତ ୫ ବର୍ଷ ହେଲା ଛୋଟ ପିଲାଙ୍କ ଦ୍ବାରା ପ୍ରସ୍ତୁତ ରଥ ରଥଯାତ୍ରା ଦିନ ଗାଁ ଦାଣ୍ଡରେ ଗଡ଼ୁଛି। ନିଜ ଖର୍ଚ୍ଚରେ ଗାଁ ପିଲାମାନେ ରଥ ତିଆରି କରିଆସୁଛନ୍ତି। ଆଜି ସେମାନେ ରଥରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିବା ସହ ବାଳଭୋଗ ଲାଗି କରିଥିଲେ। ଏହାପରେ ସେନାପତିସାହି, ପ୍ରଧାନସାହି, ମହାନ୍ତିସାହି, ପରିଡ଼ାସାହି ଦାଣ୍ଡରେ ରଥ ଟାଣିଥିଲେ। ପିଣ୍ଟୁ, ଗାଗୁନା, ଅଭି, ସାନୁ, ପ୍ରଭୁ, ଚିନୁ, ସାଇରାମ, ଟୁଇଁ, ପାପୁନି, ବିଭୁନା ଏବଂ ପପୁ ପ୍ରମୁଖ ୪୦ ଜଣ ପିଲା ଘଣ୍ଟ, ଘଣ୍ଟି ବଜାଇ, ହରିବୋଲ ପକାଇ ରଥ ଟାଣିଥିଲେ। ସେହିଭଳି ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ଦାରୁ ପୀଠରେ ଅପରାହ୍ଣ ୩ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ଉକ୍ତ ରଥ ବାଳକାଟି ରଥିଜେମାସ୍ଥିତ ଭଗବତୀ ମନ୍ଦିର ନିକଟକୁ ଯାଇଥିଲା। ଆଜି କଇଜଙ୍ଗା ମା’ ଦୁଲ୍ଲାଦେବୀ ପୀଠ, ନୂଆପାଟଣା, ନନ୍ଦିଘରସାହି, ସରକଣା ଏବଂ ବ୍ରାହ୍ମଣ ସୁଆଁଲୋ ଆଦି ଗାଁରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।

ବାଲିପାଟଣା

ବାଲିପାଟଣା: ବାଲିପାଟଣାର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ୪୧ ବ‌ର୍ଷର ପୁରୁଣା ବାଲିପାଟଣା ବଜାର ରଥଯାତ୍ରା ଏଥର ବହୁ ଜାକଜମକରେ ଅନୁଷ୍ଠିତ ହୋଇଛି। ସକାଳୁ ପ୍ରଭୁଙ୍କ ଯଥାବିଧି ପୂଜାର୍ଚ୍ଚନା ସରିବା ପରେ ମଧ୍ୟାହ୍ନରେ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା ଏବଂ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ରଥ ଉପରେ ବିଜେ ହୋଇଥିଲେ। ଭାବଗ୍ରାହୀ ଗୋଛାୟତ ଛେରାପହଁରା କରିଥିଲେ। ପୂଜକ ବଳରାମ ତ୍ରିପାଠୀ ପୂଜା ଦାୟିତ୍ବ ତୁଲାଇଥିଲେ। ମାଗୁଣି ରଣା ଡାହୁକ ଓ କାଳନ୍ଦୀ ଦାସ ଘଣ୍ଟୁଆ କାର୍ଯ୍ୟ କରିଥିଲେ। ମୁଖ୍ୟ ଟ୍ରଷ୍ଟି ଗୁରୁପ୍ରସାଦ ମିଶ୍ର, ଜଗନ୍ନାଥ ସାହୁ, ଅଜୟ ହୋତା, ବଜାର କମିଟି ସଭାପତି ହେମନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ବନମାଳୀପୁର ନୂଆସାହି ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ରଥଯାତ୍ରାରେ ଛବୀନ୍ଦ୍ର ସାହୁ ଛେରା ପହଁରା କରିଥିଲେ। ସୌରଭ ପଣ୍ଡା ଓ କାର୍ତ୍ତିକ ପଣ୍ଡା ପୂଜା ଦାୟିତ୍ୱ ତୁଲାଇଥିଲେ। ଡାହୁକ ସେବାୟତ ରୂପେ ଲିଙ୍ଗରାଜ ସାହୁ ଓ ନିତ୍ୟାନନ୍ଦ ସାହୁ କାର୍ଯ୍ୟ ତୁଲାଇଥିଲେ। କ୍ଲବ୍‌ ସଭାପତି ବିଶ୍ୱଜିତ ସାହୁ ଓ କର୍ମକର୍ତ୍ତାମାନେ ରଥ ଟଣାରେ ସହଯୋଗ କରିଥିଲେ। ବନମାଳୀପୁର ଡେରାସାହି ଜୟ ଜଗନ୍ନାଥ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୦ ବର୍ଷର ପୁରୁଣା ରଥଯାତ୍ରାରେ ଶିବ ପ୍ରସାଦ ବେହେରା ଛେରାପହଁରା କରିଥିଲେ। କାହ୍ନୁ ଚରଣ ପଣ୍ଡା ପୂଜକ କାର୍ଯ୍ୟ କରିଥିଲେ। ନରିଶୋ ଶାସନରେ ଜଗନ୍ନାଥ ତ୍ରିପାଠୀ ଛେରା ପହଁରା କରିଥିବା ବେଳେ ସୁମନ୍ତ ପାଢ଼ୀ ପୂଜକ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଗୋବିନ୍ଦପୁର, ସରିପୁର ପ୍ରଭୃତି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।

ଆଚାର୍ଯ୍ୟ ବିହାର

ଆଚାର୍ଯ୍ୟ ବିହାରସ୍ଥିତ ମା’ ଭୁବନେଶ୍ୱରୀ ମନ୍ଦିର ସମିତି ଆନୁକୂଲ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଛି। ସମ୍ପାଦକ ଦେବେନ୍ଦ୍ର ନାଥ ଦାସ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିଷଦର ସଭପତି ଭାଗବତ ପ୍ରସାଦ ଦାସ, ଶିଶିର ମହାପାତ୍ର, ଶକ୍ତିରଂଜନ ପତି, ରବିନାରାୟଣ କାନୁନ୍‌ଗୋ, ବିମଳ ଦାସ, ସିଦ୍ଧାର୍ଥ ଦାସ, ରବୀନ୍ଦ୍ର ନାଥ ଦାସ, ଗଙ୍ଗାଧର ସାହୁ, ସତ୍ୟଜିତ୍‌ ମହାନ୍ତି, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆଚାର୍ଯ୍ୟ ବିହାରସ୍ଥିତ ମାଉସୀ ମା’ ମନ୍ଦିରକୁ ଠାକୁର ବିଜେ କରିଥିଲେ।

ସମ୍ବନ୍ଧିତ ଖବର