ଚନ୍ଦ୍ରଶେଖରପୁର : ରଥଯାତ୍ରା ଅବ୍ୟବହିତ ପୂର୍ବରୁ କିସ୍ ଶ୍ରୀବାଣୀ କ୍ଷେତ୍ର ସଜେଇ ହୋଇ ଅପେକ୍ଷା କରିଛି। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ୩ ରଥର ସାଜସଜ୍ଜା ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ରଥଦାଣ୍ଡରେ ଝଲୁସୁଛି ରଙ୍ଗିନ୍ ଆଲୋକମାଳା। ପ୍ରାୟ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ଘୋଷଯାତ୍ରା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟା ୩୦ମିନିଟ୍ ସମୟରେ ରଥଟଣା ଆରମ୍ଭ ହେବ। ରଥ ସମ୍ମୁଖରେ ଶୋଭା ପାଇବ ବିଭିନ୍ନ ପ୍ରକାରର ପାରମ୍ପରିକ ଆଦିବାସୀ ନୃତ୍ୟ।
ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥଙ୍କୁ ପୁରୁଷମାନେ ଟାଣିଥା’ନ୍ତି। ମା’ ସୁଭଦ୍ରାଙ୍କ ରଥକୁ ମହିଳା ଶ୍ରଦ୍ଧାଳୁମାନେ ଟାଣିବା ବିଧି ରହିଛି। ଏଥର ୯ ଦିନବ୍ୟାପୀ ଶ୍ରୀଜିଉମାନେ ନବନିର୍ମିତ ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିବେ। ତେଣୁ ନୂଆ ଗୁଣ୍ଡିଚା ମନ୍ଦିରକୁ ବି ବିଭିନ୍ନ ଫୁଲରେ ସଜେଇ ଦିଆଯାଇଛି। ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉମାନଙ୍କ ନବ ଦିନବ୍ୟାପୀ ରହଣି ସମୟରେ ପ୍ରତ୍ୟେକ ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଭଜନ ସମାରୋହ ବ୍ୟବସ୍ଥା କରାଯାଇଛି। ଦୀର୍ଘ ଦୁଇ ମାସ ଧରି କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି ଉପରେ ବୈଠକ ଅନୁଷ୍ଠିତ ହେଉଥିଲା।
ରଥଯାତ୍ରା ପାଇଁ ସ୍ବତନ୍ତ୍ର ରୁଟ୍ ଚାଟ୍
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁଲିସ୍ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଶ୍ରୀବାଣୀ କ୍ଷେତ୍ର, ଆର୍ସିଏମ୍ ଓ ଶୈଳଶ୍ରୀବିହାର ରଥ ଜନଗହଳି ରାସ୍ତାରେ ଦେଇ ଗଡ଼ିବାକୁ ଥିବାରୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରୁଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। କିସ୍ ଶ୍ରୀବାଣୀ କ୍ଷେତ୍ରରୁ ତିନି ରଥ ବାହାରି ଶିଖରଚଣ୍ଡୀ ଛକ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଆସିବ। ସେହି ସମୟରେ ପଥରଗାଡ଼ିଆ କିସ୍ ରାସ୍ତାକୁ ବ୍ୟାରିକେଡ୍ ପକାଇ ବନ୍ଦ କରି ଦିଆଯିବ। ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଟ୍ରାଫିକ୍ ବ୍ୟବସ୍ଥା ସ୍ବାଭାବିକ କରାଯିବ। ସେହିଭଳି ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର ରଥ ପାଖାପାଖି ଏକ କିଲୋମିଟର ଦୂରରେ ଥିବା ମଙ୍ଗଳା ମନ୍ଦିର ଛକ ପର୍ଯ୍ୟନ୍ତ ଯିବ। ଏହି ସମୟରେ ତାରିଣୀ ମନ୍ଦିରଠାରୁ ଇନ୍ଫୋସିଟି ରାସ୍ତାର ଗୋଟିଏ ପାଖକୁ ବ୍ଲକ୍ କରିଦିଆଯିବ। ଆରସିଏମ୍ ଶ୍ରୀଜଗନ୍ନାଥ ମନ୍ଦିରର ତିନି ରଥ ନାଲ୍କୋ ଛକ ଦେଇ ପ୍ରେସ୍ କଲୋନି କାଳୀ ମନ୍ଦିର ପରିସରକୁ ଆସିବ। ପାଖାପାଖି ଦେଢ଼ କିଲୋମିଟର ଦୂର ଗଡ଼ିବ ତିନି ରଥ। ତେଣୁ ରଥ ଟଣା ବେଳେ ଜାଭିୟର୍ ଛକରୁ ନାଲ୍କୋ ଏବଂ ନାଲ୍କୋ ଛକରୁ ପ୍ରେସ୍ କଲୋନି ପର୍ଯ୍ୟନ୍ତ ରାସ୍ତାକୁ ୱାନ୍ ୱେ କରି ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ratha-cspur.jpg)
