ଏଥର ବି ଗଡ଼ିବନି ରଥ, ଝୁରିବ ରାଜଧାନୀ ରାଜପଥ

ଭୁବନେଶ୍ବର: ଏଥର ବି ରାଜଧାନୀର ରାଜପଥରେ ମହାପ୍ରଭୁଙ୍କ ରଥ ଗଡ଼ିବନି। ଗତବର୍ଷ ଭଳି ଚଳିତବର୍ଷ ବି ରାଜଧାନୀର ରାଜପଥ ରଥକୁ ଝୁରିବ। ରାଜଧାନୀବାସୀଙ୍କ ପାଇଁ ମହାପ୍ରଭୁ ଓହ୍ଲାଇ ଆସିବେନି ରାଜପଥକୁ। ତେଣୁ ରଥରେ ଭଗବାନଙ୍କୁ ଦେଖିବା ମଉକା ହରାଇବେ ଭକ୍ତ। ଭଗବାନଙ୍କ ଏହି ଦିବ୍ୟରୂପ ଦର୍ଶନରୁ ବଞ୍ଚିତ ହୋଇ ପୁଣି ଅତୃପ୍ତ ରହିବ ଭକ୍ତଙ୍କ ଅଭିଳାଷ। ଗତ କିଛି ମାସ ହେଲା ରାଜଧାନୀର ସମସ୍ତ ମନ୍ଦିର କରୋନା କଟକଣା ପାଇଁ ବନ୍ଦ ରହିଛି। ତେଣୁ ଭଗବାନଙ୍କୁ ଦେଖିବା ମଉକା ହରାଇ ଭକ୍ତ ଘୋର୍‌ ମାନସିକ ଅବସାଦରେ ରହିଛି। ତେବେ କଟକଣା ଭିତରେ ହେଉ ପଛେ, ଭଗବାନ ରାସ୍ତାକୁ ଆସିଥିଲେ, ରଥାରୂଢ଼ ଠାକୁରଙ୍କୁ ଦେଖି ଭକ୍ତ ବିମୋହିତ ହୋଇଥାଆନ୍ତା।

ରାଜଧାନୀବାସୀ କେତେ ଆଶା କରିଥିଲେ। କିନ୍ତୁ ରଥଯାତ୍ରା ବନ୍ଦ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆର୍‌ସି)ଙ୍କ ଘୋଷଣା ପରେ ସବୁ ଆଶା ମଉଳି ଯାଇଛି। ଏଥର ବି ବିନା ଭକ୍ତରେ କେବଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହେବ। ଅନ୍ୟ କେଉଁଠାରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ଏସ୍‌ଆର୍‌ସିଙ୍କ ଘୋଷଣା ପରେ ରାଜଧାନୀର ସମସ୍ତ ଜଗନ୍ନାଥ ମନ୍ଦିରର ପୂଜକ ଓ ସେବାୟକ ନିରାଶ ହୋଇଛନ୍ତି।
ଇସ୍କନରେ କେବଳ ନୀତିକାନ୍ତିରେ ହେବ ରଥଯାତ୍ରା। ପ୍ରତିବର୍ଷ ଇସ୍କନ ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ଧୁମ୍‌ଧାମରେ ପାଳିତ ହୁଏ। ଗତବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ଥିଲା। ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ କେବଳ ନୀତିକାନ୍ତିରେ ରଥଯାତ୍ରା ‌ପାଳିତ ହେବ ଓ ମନ୍ଦିର ଭିତରେ ଯାହା ସମ୍ଭବ, ତାହା କରାଯିବ ବୋଲି ଇସ୍କନ ମନ୍ଦିରର ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସ ସୂଚନା ଦେଇଛନ୍ତି। କିସ୍ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ଗତ ବର୍ଷ ସରକାର ରଥଯାତ୍ରା ବନ୍ଦ କରିଥିଲେ। ଚଳିତବର୍ଷ ସମାନ ପ୍ରକାର କଟକଣା ରହିଛି। ତେଣୁ ମନ୍ଦିର ପରିଚାଳନା କମିଟି ସରକାର ଗାଇଡ୍‌ ଲାଇନ୍ ଅନୁଯାୟୀ ମହାପ୍ରଭୁଙ୍କ ପୂଜା ଓ ରଥଯାତ୍ରା ବିଧି ପାଳନ କରାଯିବ। ଦାଣ୍ଡରେ ରଥଯାତ୍ର ନ କରି ମନ୍ଦିର ପରିସରରେ ସମସ୍ତ ପ୍ରକାର ରୀତିନୀତି ପାଳନ କରାଯିବ।

ଠାକୁରଙ୍କ ପୂଜାକାର୍ଯ୍ୟରେ ଯୋଗ ଦେଉଥିବା ସମସ୍ତ ସେବାୟତଙ୍କ ପ୍ରାରମ୍ଭିକ ସ୍ବାସ୍ଥ୍ୟ ପରୀକ୍ଷା ଓ ସାନିଟାଇଜ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଜନଗହଳିକୁ ଏଡ଼ାଇବା ପାଇଁ କମିଟି ପକ୍ଷରୁ ମୁଖ୍ୟ ଫାଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଆର୍‌ସିଏମ୍‌ ଶ୍ରୀଜଗନ୍ନାଥ ମନ୍ଦିରରେ ସରକାରୀ ଗାଇଡ୍‌ ଲାଇନ୍‌ ଅନୁସାରେ ବିଧି ପାଳନ କରାଯିବ। ଚଳିତ ବର୍ଷ ମଧ୍ୟ ଗମ୍ଭୀରା ମଧ୍ୟରେ ଠାକୁରଙ୍କ ରଥ ନୀତିକାନ୍ତି କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ବେଢ଼ା ପରିସରରେ ଯଥାସମ୍ଭବ ଅଳ୍ପସଂଖ୍ୟାର ସେବାୟତଙ୍କୁ ନେଇ ସମସ୍ତପ୍ରକାର ରୀତିନୀତି କରାଯିବ। ଏହି ସମୟରେ ମନ୍ଦିର ପରିସରରେ ଅନ୍ୟ ଏକ ସ୍ଥାନରେ ଠାକୁରଙ୍କ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯିବ। ରଥଠାରୁ ବାହୁଡ଼ା ଯାଏ ୯ଦିନର ସମସ୍ତ କର୍ମ ପୃଥକ୍‌ ପୃଥକ୍‌ ଭାବେ ମନ୍ଦିର ପରିସରରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର