ଦୁଇ ବର୍ଷ ପରେ ଗଡ଼ିଲା ରଥ, ମାଉସୀ ଘରେ ତିନି ଠାକୁର

ଭଜନ-କୀର୍ତ୍ତନରେ ଦୁଲୁକିଲା ରାଜଧାନୀ

ଭୁବନେଶ୍ବର: ଦୁଇ ବର୍ଷର ବ୍ୟବଧାନ ପରେ ରାଜଧାନୀ ରାଜଦାଣ୍ଡରେ ଭକ୍ତ ସହ ରଥାରୂଢ଼ ଭଗବାନଙ୍କର ହେଲା ମହାମିଳନ। ରଥ ଉପରେ ବଡ଼ଠାକୁରଙ୍କୁ ମନ ଭରି ଦେଖିଲେ ଭକ୍ତ। କିଏ ରଥ ଦଉଡ଼ି ଛୁଇଁ ଖୁସି ହେଉଥିଲା ତ କିଏ ମହାପ୍ରଭୁଙ୍କୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା। କିଏ ଉଦଣ୍ଡ ନାଚ ନାଚୁଥିଲା ତ କିଏ ବେସୁରା କଣ୍ଠରେ ବି ଭଜନ ଗାଇବାକୁ କୁଣ୍ଠା କରୁନଥିଲା। ଭାବ ବିନୋଦିଆ କାଳିଆ ଠାକୁରଙ୍କୁ ଏମିତି ମନ ପୂରାଇ ଭାବରେ ବିହ୍ବଳ ହୋଇ ଦେଖୁଥିଲା ଭକ୍ତ। ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିଲା ଗଗନ ପବନ। ଭକ୍ତ ଟାଣୁଥିଲା, ରଥ ଗଡ଼ୁଥିଲା। ପବିତ୍ର ଘୋଷଯାତ୍ରା ଅବସରରେ ଆଜି ସମଗ୍ର ରାଜଧାନୀର ପରିବେଶ ଏଭଳି ଭକ୍ତିମୟ ହୋଇଉଠିଥିଲା।

ଘଣ୍ଟଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଇସ୍କନ୍‌ ମନ୍ଦିରର ରଥଟଣା ସଂପନ୍ନ ହୋଇଛି। ସକାଳ ପ୍ରାୟ ୮ଟାରେ ତିନିଠାକୁରଙ୍କ ରଥକୁ ପ୍ରତିଷ୍ଠା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଭକ୍ତ ଗୌରବ ନାରାୟଣ ମହାରାଜ ଛେରାପହଁରା କରିଥିଲେ। ଅପରାହ୍‌ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କର୍ପୋରେଟର୍‌ ମାନସୀ ସୁନ୍ଦରରାୟ ପ୍ରଥମେ ରଥ ଟାଣିବା ପରେ ଭକ୍ତମାନେ ରଥ ଟାଣିଥିଲେ। ରଥ ମାଉସୀ ମା’ ମନ୍ଦିରରେ ରାତି ୮ଟାରେ ପହଞ୍ଚିଥିଲା।

ଏହି ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ଆରସିଏମ୍ ଜଗନ୍ନାଥ ମନ୍ଦିର, କିସ୍‌ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ପଟିଆ ଶ୍ରୀଜଗନ୍ନାଥ ମନ୍ଦିର ସମେତ ବାଲିଅନ୍ତା କାକରୁଦ୍ରପୁରସ୍ଥିତ ପତିତପାବନଦେବ ଆଦି ମନ୍ଦିରରେ ଧୁମ୍‌ଧାମ୍‌ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆରସିଏମ୍ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ବାହାରି ପ୍ରେସ୍ ଛକସ୍ଥିତ ମାଉସୀ ମା’ମନ୍ଦିରରେ ପହଞ୍ଚିଥିଲା। ସକାଳୁ ରଥଯାତ୍ରାର ସମସ୍ତ ପ୍ରାକ୍‌ ନୀତିକାନ୍ତି ପରେ ଅପରାହ୍‌ଣ ୪ଟାରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରବୀର ପାଲ ଛେରା ପହଁରା କରିଥିଲେ। ସନ୍ଧ୍ୟା ସାଢ଼େ ୬ଟାରେ ପ୍ରେସ୍‌ଛକସ୍ଥିତ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିଥିଲା ବୋଲି ମୁଖ୍ୟ ପୂଜକ ଶାରଦା ପ୍ରସାଦ ମିଶ୍ର କହିଛନ୍ତି।

କିସ୍ ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ତିନି ରଥ ଆଜି ସଂଧ୍ୟା ସୁଦ୍ଧା ଶିଖରଚଣ୍ଡୀ ପାହାଡ଼ ଛକ ନିକଟସ୍ଥ ନବନିର୍ମିତ ଗୁଣ୍ଡିଚା ମନ୍ଦିର ପରିସରରେ ପହଞ୍ଚିଛନ୍ତି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ମନ୍ଦିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍‌ଣ ସାଢ଼େ ୩ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା। ଅପରାହ୍‌ଣ ସାଢ଼େ ୪ଟାରୁ ରଥଟଣା ଆରମ୍ଭ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣିଥିଲେ। ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ଗହଣରେ ତିନି ରଥ ଗଡ଼ିଥିଲା। ସେହିଭଳି ପଟିଆ ଶ୍ରୀଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ରାଜଧାନୀର ସର୍ବବୃହତ୍‌ ରଥ ଦେଖିବା ପାଇଁ ଏଠାରେ ପ୍ରବଳ ଭିଡ଼ ହୋଇଥିଲା। ରଥ ପ୍ରତିଷ୍ଠା ନୀତିକାନ୍ତି ପରେ ପଟିଆ ରାଜା ଦିବ୍ୟସିଂହଦେବ ଛେରା ପହଁରା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାରେ କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ଛେରା ପହଁରା କରିଥିଲେ।

ଖଣ୍ଡଗିରି କୋଳଥିଆ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ଯଥାରୀତି ଘୋଷଯାତ୍ରା ସମ୍ପନ୍ନ ହୋଇଛି। ସକାଳ ନୀତି, ଖେଚୁଡି ଭୋଗ ଲାଗି ଓ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରେ ତିନି ଠାକୁରଙ୍କୁ ପହଣ୍ତିରେ ଆଣି ରଥାରୂଢ଼ କରାଯାଇଥିଲା। ଅପରାହ୍‌ଣ ୨ଟାରେ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରା ପହଁରା କରିଥିଲେ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ତିନି ଠାକୁର ଖଣ୍ଡଗିରି ପାହାଡ଼ ପାଦଦେଶସ୍ଥ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ।

ସେହିଭଳି ୫୦ବର୍ଷରେ ପଦାର୍ପଣ କରିଥିବା ୟୁନିଟ୍‌-୮ ଜଗନ୍ନାଥ ମନ୍ଦିର ରଥଯାତ୍ରା ଅବସରରେ ଅପରାହ୍‌ଣ ସାଢ଼େ ୧ଟାରେ ଠାକୁରଙ୍କ ପହଣ୍ଡି ନୀତି ହୋଇଥିଲା। ବାୟାବାବା ମଠ ମହନ୍ତ ହରିଶ୍ଚନ୍ଦ୍ର ସ୍ବାମୀ ଛେରା ପହଁରା କରିଥିଲେ। ସଂଧ୍ୟା ପ୍ରାୟ ୭ଟାରେ ରଥ ଓୟୁଏଟି ଝାଡ଼େଶ୍ବରୀ ମନ୍ଦିରରେ ପହଞ୍ଚିଥିଲା।

ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ରଥଯାତ୍ରା‌ରେ ପିପିଲି ମଙ୍ଗଳପୁରରୁ ଆସିଥି‌ବା ଘୋଡ଼ାନାଚ, ନାଗାବାବା, ହନୁମାନ, ଠାକୁରାଣୀ ମେଢ଼ ଉପସ୍ଥିତ ଭକ୍ତଙ୍କୁ ବିଭୋର୍‌ କରିଥିଲା। ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯାଇଥିଲା। ପୂର୍ବତନ ‌କର୍ପୋ‌ରେଟର୍‌ ରଘୁନାଥ ମହାନ୍ତି ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା।
ତମାଣ୍ଡୋ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ରଥଯାତ୍ରାରେ ମୁଦିରଥ ଦିଗାମ୍ବର ମହାରାଜ ଛେରା ପହଁରା କ‌ରିବା ପରେ ରଥଟଣା ହୋଇଥିଲା। ଏଠାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳା ଶ୍ରଦ୍ଧାଳୁମାନେ ଟାଣିଥିଲେ। ରଥ ୬ଟା ୩୦ରେ ମେଳଣ ପଡ଼ିଆସ୍ଥିତ ମାଉସୀ ମା’ ମନ୍ଦିରରେ ତିନି ରଥ ପହଞ୍ଚିଥିଲା।

ବାଲିଅନ୍ତା କାକରୁଦ୍ରପୁରସ୍ଥିତ ପତିତପାବନଦେବଙ୍କ ରଥଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନ ସୁଦ୍ଧା ପ୍ରଭୁ ପତିତପାବନଙ୍କୁ ପଣ୍ଡା ଓ ସେବାୟତମାନେ ମନ୍ଦିରରୁ ରଥ ନିକଟକୁ ଆଣିଥିଲେ। ରଥ ଚାରିପଟରେ ପତିତପାବନଙ୍କୁ ୩ ଘେରା ଗୋଟି ପହଣ୍ଡି କରାଇ ରଥ ଉପରେ ବିରାଜମାନ କରାଯାଇଥିଲା। ସଂଧ୍ୟା ସାଢ଼େ ୫ଟାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

କାନନ କ୍ଷେତ୍ର ନନ୍ଦନକାନନରେ ଅନୁଷ୍ଠିତ ଘୋଷଯାତ୍ରା‌ରେ ପ୍ରଥମ ସେବକ ଅଭୟ ସାମନ୍ତରାୟ ଛେରା ପହଁରା କରିଥିଲେ। ପରମ୍ପରା ଅନୁସା‌ରେ, ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ଥାନାରୁ ଭୋଗହାଣ୍ଡି ଆଣି ରଥାରୂଢ଼ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ବିଧାୟକ ସୁଶାନ୍ତ ରାଉତ ଭକ୍ତଙ୍କ ଗହଣରେ ରଥ ଦଉଡ଼ି ଟାଣିଥିଲେ। ବରିଷ୍ଠ ସେବକ ରବୀନ୍ଦ୍ର ପାତ୍ର, ଚକ୍ରଧର ବେହେରା, ବିଜୟ ରାଉତରାୟ, ମନ୍ଦିର ସଭାପତି ସୁବାସ ଚନ୍ଦ୍ର ପାତ୍ର, ସମ୍ପାଦକ ବିଜୟ କୁମାର ପାତ୍ର ଓ କମିଟିର ସମସ୍ତ ସଦସ୍ୟ ଏହି ପବିତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଆଜି ବାରଙ୍ଗ ପଦାସାହି, ଝିଙ୍କରଡିହ, କଲ୍ୟାଣପୁର, ତଳଗଡ଼, ନରାଜ, ବେଣ୍ଟକାରପଡ଼ା, ବ୍ରାହ୍ମଣୀଗାଁ, ବେଲଗଛିଆ, ତ୍ରିଶୁଳିଆ, ମଧୁବନ, ଫୁଲପୋଖରୀ, ପୁରୁଣା ବାରଙ୍ଗ ଓ କଣ୍ଟାପାଟଣାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର