ଗଡ଼ିଲାନି ରଥ ଝୁରିଲା ପଥ: ଇସ୍କନ ବେଢ଼ାରେ ଶଗଡ଼ି ରଥ

ବେଢ଼ାରେ ରଥାରୂଢ଼ ହେଲେ

ଭୁବନେଶ୍ବର: ରଥ ପଥ ଲାଗୁଥିଲା ଖାଁ ଖାଁ। କରୋନା ପାଇଁ ଲାଗୁ ହୋଇଥିବା ଆଂଶିକ ଲକ୍‌ଡାଉନ୍‌ ବି ରାଜଧାନୀର ରାସ୍ତାଘାଟକୁ ଜନଶୂନ୍ୟ କରିଥିଲା। ଯେଉଁଠି ଆଜି ଜନସମୁଦ୍ର ଦୃଶ୍ୟମାନ ହୋଇଥା’ନ୍ତା, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଭିତରୁ କାଳିଆ ଠାକୁରର ନାମକୀର୍ତ୍ତନ ଶୁଭୁଥାନ୍ତା, ସେସବୁ ସ୍ଥାନରେ ଥିଲା ଗଭୀର ନିରବତା ଓ ନିର୍ଜନତା। ରଥକୁ ଝୁରୁଥିଲା ପଥ। ଭଗବାନଙ୍କୁ ଝୁରୁଥିଲେ ଭକ୍ତ। ସବୁଠୁ ବଡ଼ ନିରବତା ଥିଲା ରାଜଧାନୀର ଗୁଣ୍ଡିଚା ମନ୍ଦିରମାନଙ୍କରେ। ଯେଉଁଠି ମେଳା ବସିବା କଥା, ସେଠି ଆଜି କାଉ କୋଇଲି ବି ଉଡ଼ିବା ଦେଖିବାକୁ ମିଳି ନଥିଲା। ତେବେ ଜଗନ୍ନାଥଙ୍କ ମନ୍ଦିରରେ ଚାଲିଥିଲା ବିଧି ପୂଜା। ବିନା ଭକ୍ତଙ୍କ ଗହଣରେ ମନ୍ଦିର ଭିତରେ ବା ପରିସରରେ ହିଁ ସେବାୟତ ଓ ପୂଜକମାନେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ସେଇଠି ପହଣ୍ଡି, ସେଇଠି ଚାଲିଥିଲା ଛେରାପହଁରା, ପୁଣି ସେଇଠି ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ଠାକୁରଙ୍କ ବିଜେ ନୀତି। ଅବଶ୍ୟ କିଛି କିଛି ମନ୍ଦିର ବେଢ଼ାରେ ଶଗଡ଼ି ରଥ ପ୍ରତୀକାତ୍ମକ ଭାବେ ଗଡ଼ିଥିଲା। କିନ୍ତୁ ରଥ ଦାଣ୍ଡକୁ ଆସି ପାରିନଥିଲା କି ଭକ୍ତ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ସୁଯୋଗ ନଥିଲା।

ଇସ୍କନ୍‌ ମନ୍ଦିର ବେଢ଼ାରେ ଗଡ଼ିଥିଲା ଶଗଡ଼ି ରଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଗଡ଼ି ରଥରେ ବସାଇ ସେଇ ବେଢ଼ାରେ ନିର୍ମାଣ ହୋଇଥିବା ମାଉସୀ ମା’ ମନ୍ଦିରକୁ ନିଆଯାଇଥିଲା। ସୂଚନାନୁସାରେ ଏଠାରେ ରଥଯାତ୍ରା କେବଳ ପରମ୍ପରା ଓ ବିଧି ରକ୍ଷାପୂର୍ବକ ଅନୁଷ୍ଠିତ ହୋଇଯାଇଛି। ୩୨ତମ ଏହି ରଥଯାତ୍ରାକୁ କରୋନା ନିୟମାବଳୀ ଅନୁସାରେ ପାଳନ କରାଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ପ୍ରତୀକାତ୍ମକ ଶଗଡ଼ି ରଥକୁ ଠାକୁରମାନଙ୍କୁ ପହଣ୍ଡି କରି ଅଣାଯାଇଥିଲା। ପରେ ବିଧି ମୁତାବକ ଛେରା ପହଁରା ନୀତି ହୋଇଥିଲା। ଶଗଡ଼ି ରଥରେ ଠାକୁରଙ୍କୁ ଭୋଗ ଲାଗି ହୋଇଥିଲା। ଏହା ପରେ ମନ୍ଦିର ବେଢ଼ାରେ ରଥଟଣା ହୋଇଥିଲା। ଏହି ବିଧି ସମାପନ ହେବା ପରେ ଠାକୁରମାନଙ୍କୁ ଭୋଗ ଗୃହକୁ ନିଆଯାଇଥିଲା। ସବୁ ନୀତି ମୁଖ୍ୟ ମନ୍ଦିରରେ ହେବାରୁ ଏପଟେ ୟୁନିଟ-୮ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସର ଖାଁ ଖାଁ ହୋଇପଡ଼ିଥିଲା। ପ୍ରତିବର୍ଷ ଠାକୁର ୯ଦିନ ପାଇଁ ସେଠାରେ ରହୁଥିଲେ। ସେଠି ମେଳା ବସୁଥିଲା। ଚଳିତବର୍ଷ ଇସ୍କନ ମନ୍ଦିର ପରିସରସ୍ଥିତ ପ୍ରସାଦ ଗୃହକୁ ମାଉସୀ ମା’ ମନ୍ଦିର କରାଯାଇଛି। ବାହୁଡ଼ା ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ ନୀତିକାନ୍ତି ପ୍ରସାଦ ଗୃହରେ କରାଯିବ। ମନ୍ଦିର ସଭାପତି ଉପେନ୍ଦ୍ର ମିଶ୍ର ଦାସଙ୍କ କହିବା କଥା, କରୋନା କଟକଣା ଭିତରେ ଠାକୁରଙ୍କ ରଥଟଣା ନୀତି ଅନୁଷ୍ଠିତ ହୋଇଛି। ବାହୁଡ଼ା ପର୍ଯ୍ୟନ୍ତ ଠାକୁର ପ୍ରସାଦ ଭବନରେ ରହିବେ। ଏହି ରହଣି କାଳରେ ସେଠାରେ ଭଜନ, କୀର୍ତ୍ତନ ଚାଲୁ ରହିବ। ଆଜି ଶଗଡ଼ି ରଥ ଟଣା ସମୟରେ ପ୍ରେମାନନ୍ଦ ଦାସ, ଶାଶ୍ବତ ପତି ଦାସ, ବନମାଳୀ ଜଗନ୍ନାଥ ଦାସ, କାଶୀନାଥ ପଣ୍ଡିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବେଢ଼ାରେ ରଥାରୂଢ଼ ହେଲେ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା କେବଳ ବିଧିରେ ସମାହିତ ହୋଇଛି। କେଉଁଠି ବି ରଥ ଦାଣ୍ଡ(ରାଜପଥ)କୁ ଆସି ନାହିଁ। କିନ୍ତୁ ପ୍ରାୟ ସବୁଠାରେ ମନ୍ଦିର ବେଢ଼ାରେ ଠାକୁର ରଥାରୂଢ଼ ହୋଇଛନ୍ତି। ରଥଯାତ୍ରାର ବିଧି ଅନୁସାରେ ପୂଜା କରାଯାଇଛି। ଏମିତିକି ରତ୍ନ ସିଂହାସନରୁ ଠାକୁରଙ୍କୁ ପହଣ୍ଡି କରାଯାଇ ରଥକୁ ଅଣାଯାଇଛି। ତେବେ ମନ୍ଦିର ବେଢ଼ାରେ ରଥ ଗଡ଼ିବା ସମ୍ଭବ ହୋଇ ନଥିବାରୁ ସେମିତି ରଥ ସିଂହାସନରୁ ଠାକୁରଙ୍କୁ ଓହ୍ଲାଇ ମାଉସୀ ମା’ ମନ୍ଦିରକୁ ନିଆଯାଇଛି। ଚନ୍ଦ୍ରଶେଖରପୁର ଶ୍ରୀଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର, କିସ୍‌ ଶ୍ରୀବାଣୀ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର, ପଟିଆ ଶ୍ରୀଜଗନ୍ନାଥ ମନ୍ଦିର, ଆରସିଏମ୍‌ ଶ୍ରୀଜଗନ୍ନାଥ ମନ୍ଦିର ଓ ମଞ୍ଚେଶ୍ବର ରେଲୱେ କଲୋନି ଶ୍ରୀଜଗନ୍ନାଥ ମନ୍ଦିରରେ ଏମିତି ରଥଯାତ୍ରା ନୀତି ସମ୍ପନ୍ନ ହୋଇଛି। ସେବାୟତମାନେ ସକାଳୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ମଇଲମ ଲାଗି, ସ୍ନାନ, ନୂତନ ବସ୍ତ୍ର ପରିଧାନ କରାଇବା ସହ ଟାହିଆ ଲଗାଇ ପହଣ୍ଡି କରିଥିଲେ। ଠାକୁରଙ୍କୁ ମନ୍ଦିର ପରିସର‌ସ୍ଥ ଆଡ଼ପ ମଣ୍ଡପକୁ ନେବା ବେଳେ ଛେରା ପହଁରା କରାଯାଇଥିଲା। ଏହାପରେ ବେଶ ଲାଗି, ଭୋଗ ପଣା ଲାଗି ଓ ଫୁଲ ଚନ୍ଦନ ଓ ତୁଳସୀ ଲାଗି କରାଯାଇଥିଲା। ଆସନ୍ତା ବାହୁଡ଼ା ଦିନ ଅନୁରୂପ ଭାବେ ବିଧି ହେବ ବୋଲି ଜଣାପଡ଼ିଛି।

ଗୁଣ୍ଡିଚା ମନ୍ଦିରରେ ଚଳନ୍ତି ପ୍ରତିମା

ବାଲିଅନ୍ତା: ମହାମାରୀ କରୋନା କଟକଣା ପାଇଁ ଗଡ଼ିଲାନି କାକରୁଦ୍ରପୁର ପତିତପାବନ ଦେବଙ୍କ ନନ୍ଦିଘୋଷ। ପୁରୀ ଏମାର ମଠ ନିର୍ଦ୍ଦେଶରେ ପରିଚାଳିତ ବହୁ ପ୍ରାଚୀନ ତଥା ନିଆରା ଏହି ରଥଯାତ୍ରା କରୋନା କଟକଣା ପାଇଁ ବନ୍ଦ ହୋଇଗଲା। ତେବେ ରଥ ସିନା ଗଡ଼ିଲାନି, ଠାକୁରଙ୍କ ଚଳନ୍ତି ପ୍ରତିମା ଗୁଣ୍ଡିଚା ମନ୍ଦିର ଯାତ୍ରା ବନ୍ଦ ହୋଇନାହିଁ। ରଥ ଗଡ଼ି ନଥିଲେ ବି ଚଳନ୍ତି ପ୍ରତିମା ମାଉସୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି।
ଅକ୍ଷୟ ତୃତୀୟା ଦିନ ବଡ଼ଦାଣ୍ଡରେ ରଥ ନିର୍ମାଣ ପାଇଁ କାଠ ଅନୁକୂଳ ହୋଇଥିଲା। ରଥ ତିଆରି ଲାଗି କାଠ ସଂଗ୍ରହ ଠାରୁ ଆରମ୍ଭ କରି ସବୁ ପ୍ରକାରର ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୁହୂର୍ତ୍ତରେ କରୋନା କଟକଣା ସବୁ ବନ୍ଦ କରାଇ ଦେଲା। ତେଣୁ ବିଧି ରକ୍ଷା କରିବାକୁ ଆଜି ଠାକୁର ପତିତପାବନଙ୍କ ଚଳନ୍ତି ପ୍ରତିମାକୁ ପୂଜକ ଓ ସେବାୟତମାନେ ନେଇ ଗୁଣ୍ଡିଚା ମନ୍ଦିରରେ ବିଜେ କରାଇଥିଲେ। ପ୍ରତ୍ୟୁଷରେ ମଇଲମ, ତଡ଼ପଲାଗି, ସୂର୍ଯ୍ୟପୂଜା, ଗୋପାଳ ବହ୍ଲଭ ଆଦି ପୂଜାନୀତି ସଂପନ୍ନ ହୋଇଥିଲା। ଏହାପରେ ପତିତପାବନଦେବଙ୍କ ଚଳନ୍ତି ପ୍ରତିମାକୁ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଏହି ରଥଯାତ୍ରାରେ ଏକ ନିଆରା ପରମ୍ପରା ରହିଛି। ଏଠାରେ ବାସି ବାହୁଡ଼ା ବିଧି ରହିଛି। ତେଣୁ ଶ୍ରୀକ୍ଷେତ୍ର ବାହୁଡ଼ା ପରଦିନ ଏଠାରେ ବାହୁଡ଼ା ବିଧି ହେବ ଓ ପତିତପାବନ ଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିରକୁ ଫେରିବେ।

ସମ୍ବନ୍ଧିତ ଖବର