ପ୍ରବାସୀ ଓଡ଼ିଆଙ୍କ ରଥଯାତ୍ରା, ଥାଇଲାଣ୍ଡରେ ଦୁଇ ଦିନ ପୂର୍ବରୁ

ରଥଯାତ୍ରାର ଇତିହାସ ବହୁ ପ୍ରାଚୀନ। ଋଗ୍‌ ଓ ଅଥର୍ବ ବେଦ ଏବଂ ଶତପଥ ବ୍ରାହ୍ମଣରେ ମଧ୍ୟ ଏହାର ସୂଚନା ଦେଖିବାକୁ ମିଳିଥାଏ। ସୂର୍ଯ୍ୟଦେବ ୭ଟି ଅଶ୍ବଯୁକ୍ତ ରଥରେ ବସି ପୃଥିବୀ ପରିକ୍ରମା କରନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା ଅଛି। ପ୍ରକୃତରେ ଏହା ହେଉଛି ସୂର୍ଯ୍ୟଙ୍କ ରଶ୍ମିରେ ଥିବା ୭ଟି ରଙ୍ଗ। କିନ୍ତୁ ସେହି ପୁରାଣ କଥାକୁ ଧରି ବହୁ ପ୍ରାଚୀନ କାଳରେ ସୂର୍ଯ୍ୟଙ୍କ ରଥଯାତ୍ରାର ପରିକଳ୍ପନା ହୋଇଥିଲା।। ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହୋଇଛି। ଆଗେ ବୌଦ୍ଧମାନଙ୍କର ବି ରଥଯାତ୍ରା ପରି ଏକପ୍ରକାର ଯାତ୍ରା ହେଉଥିଲା। ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ବସାଇ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ। ଅତୀତରେ ବା ବର୍ତ୍ତମାନ ଯେତେ ରଥଯାତ୍ରା ହେଉଥିଲା ବା ହେଉଛି, ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଭୁବନବିଖ୍ୟାତ। ଏହାର ଲୋକପ୍ରିୟତା ଏତେ ବୃଦ୍ଧି ପାଇଛି ଯେ ଏହା କେବଳ ଓଡ଼ିଶା ବା ଭାରତରେ ନୁହେଁ, ଦେଶବିଦେଶରେ ପାଳନ କରାଯାଉଛି। ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଳନ କରାଯାଏ। ପୃଥିବୀ ସାରା ତିଥିର ଆରମ୍ଭ ଓ ଶେ‌ଷ ସମୟ ସମାନ ହେଲେ ହେଁ ଅକ୍ଷାଂଶ, ଦ୍ରାଘିମା, ସମୁଦ୍ରପୃଷ୍ଠରୁ ଉଚ୍ଚତା ଏବଂ ଆଲୋକର ପ୍ରତିସରଣରେ ଭିନ୍ନତା ହେତୁ ସୂର୍ଯ୍ୟୋଦୟ ସମୟରେ ଫରକ ରହୁଥିବାରୁ ବିଭିନ୍ନ ଦେଶରେ ରଥଯାତ୍ରା ପାଳନରେ ଦିନେ-ଅଧେ ଏପଟସେପଟ ହୋଇପାରେ। ପ୍ରାୟ ୧୯୨ଟି ଦେଶରେ ରଥଯାତ୍ରା ପାଳିତ ହେଉଥିବା ବେଳେ କେବଳ ଇସ୍କନ୍‌ ପକ୍ଷରୁ ଇଟାଲି, କୋରିଆ, ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଷ୍ଟିନା, ରୁଷ୍‌, ଫ୍ରନ୍‌ ଚୀନ୍‌ ସମେତ ମୋଟ ୯୫ଟି ଦେଶରେ ଏହି ପବିତ୍ର ଯାତ୍ରା ପାଳିତ ହୁଏ।

ଜର୍ମାନୀ
୨୦୧୬ ପରଠାରୁ ବର୍ଲିନ୍‌ର ବ୍ରାଣ୍ଡେନ୍‌ବର୍ଗ ଗେଟ୍‌ରେ ପାରମ୍ପରିକ ରୀତିନୀତିରେ ରଥଯାତ୍ରା ପାଳିତ ହୋଉଛି। ଇସ୍କନ୍‌ ପକ୍ଷରୁ ଆୟୋଜିତ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ହଜାର ହଜାର ଜର୍ମାନ୍‌ରେ ରହୁଥିବା ଭାରତୀୟ ତଥା ବିଦେଶୀଙ୍କର ଭିଡ଼ ଜମିଥାଏ। ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣାରେ ଅତି କମ୍‌ ଭକ୍ତଙ୍କ ସମାଗମରେ ଏହି ପବିତ୍ର ଯାତ୍ରା ପାଳିତ ହୋଇଥିଲା। ଚଳିତ ବର୍ଷ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।
(କ୍ଷୀରୋଦ କୁମାର ସାହୁ, ଜର୍ମାନୀରେ ରହୁଥିବା ପ୍ରବାସୀ ଓଡ଼ିଆ)

ଧାମରାଇ‌‌ରେ ଶତାବ୍ଦୀ ପୁରୁଣା ପରମ୍ପରା
ବାଂଲାଦେଶ ଢାକାର ଧାମରାଇରେ ରଥଯାତ୍ରା ଉତ୍ସବ ଏକ ଶତାବ୍ଦୀ ପୁରୁଣା ପରମ୍ପରା ଅଟେ। ପୁରୀ ପରେ ଏହା ଦ୍ୱିତୀୟ ବୃହତ୍ତମ ରଥଯାତ୍ରା ଭାବରେ ବେଶ୍‌ ଜଣାଶୁଣା। ୧୯୭୧ମସିହାରେ ବାଂଲାଦେଶ ଯୁଦ୍ଧ ସମୟରେ ପାକିସ୍ତାନୀ ସୈନ୍ୟମାନେ ଧାମରାଇରେ ଥିବା ଐତିହାସିକ ରଥକୁ ପୋଡ଼ି ଦେଇଥିବା ବେଳେ ବାଂଲାଦେଶରେ ଭାରତୀୟ ହାଇକମିସନଙ୍କ ସହଯୋଗରେ ୨୦୧୦ ମସିହାରେ ପୁନର୍ବାର ନୂତନ ରଥ ନିର୍ମାଣ କରାଯାଇଥିଲା। ଭାରତ-ବାଂଲାଦେଶୀ ମଣିପୁରୀ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ ରଥଯାତ୍ରା ପାଳନ କରନ୍ତି।

ଥାଇଲାଣ୍ଡରେ ଦୁଇ ଦିନ ପୂର୍ବରୁ

ଥାଇଲାଣ୍ଡରେ ଚଳିତ ବର୍ଷ ରଥଯାତ୍ରାର ଦୁଇ ଦିନ ଆଗରୁ ଏହା ପାଳିତ ହୋଇଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ଲାଗି ରହିଥିବା ବେଳେ କଟକଣା ହଟିବା ପରେ ଚଳିତ ବର୍ଷ ମହାଆଡ଼ମ୍ବରରେ ଏହା ପାଳିତ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ମିଳିଥିବା ନିର୍ଦ୍ଦେଶରେ ଏହାର ତିଥି ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୯ ତାରିଖରେ ପାଳିତ ହୋଇଛି। ଏହା ଇସ୍କନ୍‌ ଏବଂ ବିଷ୍ଣୁ ମନ୍ଦିର ପକ୍ଷରୁ ଆୟୋଜିତ ହୋଇ ଥାଇଲାଣ୍ଡରେ ଥିବା ହଜାରହଜାର ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କ ସହ ବିଦେଶୀମାନଙ୍କର ସମାଗମରେ ଭଗବାନଙ୍କ ଆରାଧନା କରାଯାଇଛି। ଚଳିତ ବର୍ଷ ଦୁଇ ଦିନ ଆଗରୁ ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସଂପୂର୍ଣ୍ଣ ପରମ୍ପରା ଏବଂ ରୀତିନୀତି ସହ ଗୋଟିଏ ରଥରେ ତିନି ଠାକୁରଙ୍କୁ ବସାଇ ନଗର ପରିକ୍ରମା କରାଯାଇ ସହ ଜଗନ୍ନାଥଙ୍କ ଜୟଗାନ କରାଯାଇଛି।
(ବିଶ୍ବରଞ୍ଜନ ମହାନ୍ତି, ଥାଇଲାଣ୍ଡରେ ରହୁଥିବା ପ୍ରବାସୀ ଓଡ଼ିଆ)

ଆମେରିକା
ଆମେରିକା ଅନେକ ରାଜ୍ୟରେ ବହୁମାତ୍ରାରେ ଓଡ଼ିଆ ରହୁଥିବା ବେଳେ ଏହାର ଅନେକ ସ୍ଥାନରେ ଇସ୍କନ୍‌ ତଥା ଓଡ଼ିଆ ସଂଘ ପକ୍ଷରୁ ପବିତ୍ର ରଥଯାତ୍ରା ପାଳିତ ହୁଏ। ଲସ୍‌ ଆଞ୍ଜେଲସ୍‌ ଠାରୁ ଆରମ୍ଭ କରି କାଲିଫର୍ଣ୍ଣିଆ, ଟେକ୍ସାସ୍‌ ଆଦି ସ୍ଥାନରେ ମହାଆଡ଼ମ୍ବରରେ ରଥଯାତ୍ରା ପାଳନ ହୁଏ।

ସମ୍ବନ୍ଧିତ ଖବର