ଭୁବନେଶ୍ବର : ଘର ଖୋର୍ଦ୍ଧା ଜିଲ୍ଲାରେ। କିନ୍ତୁ ରାସନ୍ କାର୍ଡରେ ଠିକଣା ଦେଖାଉଛି ଜଗତସିଂହପୁର ଜିଲ୍ଲା। ଏହି ପରିବର୍ତ୍ତନ ପୁଣି ହଠାତ୍ ହୋଇଯାଇଛି। ୨୦୧୩ ମସିହାରୁ ବିଏମ୍ସିରେ ଥିବା ରାସନ୍ କାର୍ଡ ହଠାତ୍ ୨୦୨୧ ମସିହାରେ ଚାଲିଯାଇଛି ଜଗତସିଂହପୁର ଜିଲ୍ଲାକୁ। ତେଣୁ ବିଏମ୍ସି ଅଞ୍ଚଳରେ ରହୁଥିବା ହିତାଧିକାରୀ ୪ ମାସ ହେଲା ରାସନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ଖୋଦ୍ ହିତାଧିକାରୀ ଜଗତସିଂହପୁର ଯାଇ ରାସନ୍ କାର୍ଡ କଟାଇଥିଲେ ବି ତାଙ୍କୁ ଆଉ ବିଏମ୍ସିରୁ ନୂଆ କାର୍ଡ ମିଳୁନାହିଁ। ଫଳରେ ୬ ପ୍ରାଣୀ କୁଟୁମ୍ବ ଏବେ ଏହି ସରକାରୀ ସହାୟତା ବିନା ବଡ଼ କଷ୍ଟରେ ଚଳୁଛନ୍ତି। ଯୋଗାଣ ବିଭାଗର ଏଭଳି ବିଚିତ୍ର ନୀତି ପାଇଁ ଏମିତି ସମସ୍ୟାରେ ପଡ଼ିଛନ୍ତି ବିଏମ୍ସି ୧୭ ନମ୍ବର ୱାର୍ଡରେ ରହୁଥିବା ସୁକାନ୍ତ ପଲେଇ। ଭୁଲ୍ କଲା କିଏ, ଅଥଚ ୪ ମାସ ହେଲା ନିଜ ହକ୍ରୁ ବଞ୍ଚିତ ହେଉଛନ୍ତି ସୁକାନ୍ତ।
ଅଭିଯୋଗ ଅନୁସାରେ ସୁକାନ୍ତଙ୍କ ଘର ଖୋର୍ଦ୍ଧା ଜିଳ୍ଲା ବନମାଳୀପୁର ଅଞ୍ଚଳରେ। ଦୀର୍ଘ ୨୦ବର୍ଷ ହେଲା ସେ ଏହି ୱାର୍ଡ ଅଧୀନ ତାରିଣୀ ବସ୍ତିରେ ରହୁଛନ୍ତି। ଗାଡ଼ିଚାଳକ ଭାବେ କାମ କରି ୬ପ୍ରାଣୀ କୁଟୁମ୍ବଙ୍କ ପାଇଁ ସେ ବଡ଼ କଷ୍ଟରେ ଦାନା ଯୋଗାଡ଼ କରୁଛନ୍ତି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ଗହମ ଗଣ୍ଡେ ପାଇବା ଫଳରେ ତାଙ୍କର ଏହି କଷ୍ଟ କିଛି ଲାଘବ ହୋଇଯାଏ। ୨୦୧୩ ମସିହାରୁ ସେ ଭିଏସ୍ଏସନଗର ଡିଲରଙ୍କଠାରୁ ୩୦ କେଜି ପିଡିଏସ୍ ସାମଗ୍ରୀ ପାଉଥିଲେ। କିନ୍ତୁ ଗତ ଅକ୍ଟୋବର ୨୦୨୧ରୁ ଆଉ ତାଙ୍କ ପିଡିଏସ୍ ସାମଗ୍ରୀ ମିଳିଲା ନାହିଁ। ତାଙ୍କ ରାସନ୍ କାର୍ଡ ଜଗତସିଂହପୁର ବ୍ଲକ୍ରେ ଦେଖାଉଥିବା ଡିଲର୍ କହିଥିଲେ। ଡିଲର୍ଙ୍କଠାରୁ ଏହା ଶୁଣିବା ପରେ ସୁକାନ୍ତଙ୍କ ମୁଣ୍ଡ ଘୁରାଇ ଦେଇଥିଲା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବନମାଳୀପୁର ହୋଇଥିବା ବେଳେ ଜଗତସିଂହପୁରକୁ ତାଙ୍କ ରାସନ୍ କାର୍ଡ କେମିତି ଗଲା, ସେ ବୁଝିପାରିଲେ ନାହିଁ। ତାଙ୍କୁ ବିଏମ୍ସି ଯୋଗାଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା ଯେ ସେ ଜଗତସିଂହପୁରରୁ ରାସନ୍ କାର୍ଡ କଟାଇବା ପରେ ଯାଇ ବିଏମ୍ସିରୁ ନୂଆ କାର୍ଡ ମିଳିବ।
ବିଚରା ସୁକାନ୍ତ ଖର୍ଚ୍ଚାନ୍ତ ହୋଇ ଜଗତସିଂହପୁର ବ୍ଲକ ଧାଇଁଲେ। ସେଠାରେ ରାସନ୍ କାର୍ଡ ଦେଖି ସେ ବିସ୍ମିତ ହୋଇଯାଇଥିଲେ। ୪୦ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ନାଁରେ କାର୍ଡ ଦେଖାଉଥିଲା। ଅବଶ୍ୟ ସେଥିରେ ସୁକାନ୍ତଙ୍କ ପରିବାରର ସବୁ ସଦସ୍ୟଙ୍କ ନାମ ଥିଲା। ସମ୍ପୃକ୍ତ ଅଧିକାରୀଙ୍କ ସବୁ କଥା କହିବା ପରେ ଉକ୍ତ କାର୍ଡକୁ ସେ ଖାରଜ କରିଥିଲେ। ଏହା ପରେ ସୁକାନ୍ତ ବିଏମ୍ସି ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଆସି ଜଣାଇବା ପରେ ବି ତାଙ୍କୁ କାର୍ଡ ମିଳିନଥିଲା। ତାଙ୍କୁ ଫେବ୍ରୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଗଲା। ଏବେ ବି ତାଙ୍କୁ ନୂଆ କାର୍ଡ ମିଳିନାହିଁ। ହଠାତ୍ ବିଏମ୍ସିରୁ କାର୍ଡ କିଭଳି କଟିଲା ଓ ଜଗତସିଂହପୁର ବ୍ଲକ୍ରେ ସାମିଲ୍ ହେଲା, ତାହା ଏବେ ବି ସୁକାନ୍ତଙ୍କ ପାଇଁ ଅବୁଝା ହୋଇ ରହିଛି। କିଏ ଭୁଲ୍ କଲା, ଅଥଚ ବିଚରା ଗରିବ ସୁକାନ୍ତ ୪ ମାସ ହେଲା ହକ୍ରୁ ବଞ୍ଚିତ ହୋଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ସୁକାନ୍ତ ନିଜେ ଆସି ତାଙ୍କ ଅସୁବିଧା ବିଷୟରେ ଏକ ଦରଖାସ୍ତ ଦିଅନ୍ତୁ। ତଦନ୍ତ କରାଯିବା ପରେ ସମସ୍ୟାର ସମାଧାନ କରାଯିବ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଗଦା ମୁର୍ମୁ କହିଛନ୍ତି ଏବେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଥିବାରୁ କୌଣସି ଅଭିଯୋଗ କିମ୍ବା ନୂତନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଉକ୍ତ ସାଇଟ୍ ବନ୍ଦ ରହିଛି। ସୁକାନ୍ତ ଦରଖାସ୍ତ ଦିଅନ୍ତୁ। ସାଇଟ୍ ଖୋଲିଲେ ପ୍ରାଥମିକତା ଭିତ୍ତିରେ ତାଙ୍କୁ ନୂଆ କାର୍ଡ ଯୋଗାଇ ଦିଆଯିବ।