ଭୁବନେଶ୍ବର : ତାରିଣୀ ବସ୍ତିର ବିଚିତ୍ରାନନ୍ଦ ବେହେରା। କର୍କଟ ପୀଡ଼ିତା ପତ୍ନୀ କିନା ବେହେରାଙ୍କ ୧୮ମାସ ତଳୁ ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଏବେ ବି ମୃତ ପତ୍ନୀଙ୍କ ନାଁରେ ଉଠୁଛି ପିଡିଏସ୍ ସାମଗ୍ରୀ। କୋଉ ମାସ କିଲେ ଚାଉଳ ସହ ୪ କେଜି ଗହମ ତ କୋଉ ମାସରେ ୫କେଜି ଚାଉଳ। ଏସବୁ ସାମଗ୍ରୀ ବିଚିତ୍ରାନନ୍ଦଙ୍କ ରାସନ୍ ଖାତାରେ ଉଲ୍ଲେଖ କରାଯାଉଥିଲେ ହେଁ ତାଙ୍କ ପରିବାରକୁ ମିଳୁନି। ବରଂ ଡିଲର୍ ନିଜେ ହରଣଚାଳ କରିଆସୁଛନ୍ତି। ମୃତ୍ୟୁ ପରଠାରୁ ରାସନ୍ କାର୍ଡରୁ କିନାଙ୍କ ନାମ କଟି ଯାଇଥିବା କହି ଗରିବ, ନିରୀହ ବିଚିତ୍ରାନନ୍ଦ ଓ ସରକାରଙ୍କୁ ଏମିତି ବେଶ୍ ଆରାମରେ ଠକି ଚାଲିଥିଲେ ଡିଲର୍। କିନ୍ତୁ ସରକାରଙ୍କ ‘ଜୀବିକା ମିସନ୍ ସହାୟତା’ ଏବେ ଡିଲର୍ଙ୍କ କେଳେଙ୍କାରୀରେ ପାଣି ମିଶାଇ ଦେଇଛି। ଡିଲର୍ଙ୍କ ଚାଲ୍ ପଦାକୁ ଆସିଯାଇଛି।
ସୂଚନାନୁସାରେ, ବିଏମ୍ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ତାରିଣୀ ବସ୍ତିର ବିଚିତ୍ରାନନ୍ଦଙ୍କ ପତ୍ନୀ କିନା ଗତ ୨୦୨୦ ଜୁନ୍ ୧୦ରେ ପ୍ରାଣ ହରାଇଥିଲେ। ମୃତ୍ୟୁର ୮ ଦିନ ପରେ ବିଚିତ୍ରାନନ୍ଦ ପିଡିଏସ୍ ସାମଗ୍ରୀ ଆଣିବା ପାଇଁ ସଂପୃକ୍ତ ୱାର୍ଡ଼ରେ ଥିବା ଡିଲର୍ଙ୍କ ପାଖକୁ ଯିବାରୁ ତାଙ୍କୁ କିନାଙ୍କ କୋଟା ଚାଉଳ ମିଳି ନଥିଲା। କିନାଙ୍କ ନାମ କାର୍ଡରୁ କଟି ଯାଇଛି ଏବଂ ତାଙ୍କ କୋଟା ଚାଉଳ ଆଉ ମିଳିବ ନାହିଁ ବୋଲି ସଂପୃକ୍ତ ଡିଲର୍ ରୋକଠୋକ୍ ମନା କରି ଦେଇଥିଲେ। ତେଣୁ ଦୁଇ ପୁଅଙ୍କ କୋଟାକୁ ମିଶାଇ ବିଚିତ୍ରାନନ୍ଦ ୧୫ କେଜି ଚାଉଳ ପାଉଥିଲେ। କିନ୍ତୁ ସେ ୨୦ କେଜି ଚାଉଳ ନେଉଛନ୍ତି ବୋଲି ଡିଲର୍ ସେତେବେଳଠାରୁ ତାଙ୍କ ରାସନ୍ ଖାତାରେ ଉଲ୍ଲେଖ କରି ଆସୁଥିଲେ। ବିଚିତ୍ରାନନ୍ଦ ପାଠଶାଠ ପଢ଼ି ନଥିବାରୁ ଡିଲର୍ଙ୍କ ଏ କେଳେଙ୍କାରୀ ସଂପର୍କରେ ଜାଣିପାରୁନଥିଲେ। ତେଣୁ ଦେଢ଼ବର୍ଷ ହେଲା ବେଶ୍ ଆରାମରେ ଡିଲର୍ ମୃତ କିନାଙ୍କ କୋଟାକୁ ହଡ଼ପ କରି ଚାଲିଥିଲେ।
କିନାଙ୍କ ନାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟକାର୍ଡ ଆସିବା ପରେ ବିଚିତ୍ରାନନ୍ଦଙ୍କ ସନ୍ଦେହ ହୋଇଥିଲା। ଯଦି ପିଡିଏସ୍ ଖାତାରୁ ନାମ କଟି ଯାଇଛି, କିନାଙ୍କ ନାମରେ କେମିତି ସ୍ବାସ୍ଥ୍ୟକାର୍ଡ ଆସିଲା ବୋଲି ସେ ଡିଲର୍ଙ୍କୁ ପଚାରିଥିଲେ। ସେତେବେଳେ ଡିଲର୍ ତାଙ୍କୁ ଏଣୁତେଣୁ ବୁଝାଇ ଫେରାଇ ଦେଇଥିଲେ। କିନ୍ତୁ ଗତକାଲି ରାଜ୍ୟ ସରକାରଙ୍କ ଜୀବିକା ମିସ୍ନରେ ଟଙ୍କା ବଣ୍ଟା ଯାଉଥିବା ବେଳେ ଡିଲର୍ଙ୍କ ଏହି କେଳେଙ୍କାରୀ ଧରା ପଡ଼ିଯାଇଥିଲା। ବିଚିତ୍ରାନନ୍ଦ ଗତକାଲି ଟଙ୍କା ଆଣିବା ପାଇଁ ଯାଇଥିଲେ। କିନ୍ତୁ ରାସନ୍କାର୍ଡର ପ୍ରଥମ ହିତାଧିକାରୀ କିନା ହୋଇଥିବାରୁ ଅଧିକାରୀମାନେ ତାଙ୍କୁ ଟଙ୍କା ଦେଇ ନଥିଲେ। କିନାଙ୍କୁ ଧରି ଆସିବା ପାଇଁ କହିଥିଲେ। ଦେଢ଼ବର୍ଷ ତଳୁ କିନାର ମୃତ୍ୟୁ ଘଟି ସାରିଥିବାରୁ ଏବେ ସେ କୋଉଠୁ ତାଙ୍କୁ ଆଣିବେ ବୋଲି କହିଥିଲେ। ଟଙ୍କା ବାଣ୍ଟୁଥିବା ଅଧିକାରୀଙ୍କ ବିଶ୍ବାସ ନ ହେବାରୁ ସେମାନେ ତାଙ୍କୁ କିନାଙ୍କ ମୃତ୍ୟୁ ପ୍ରମାଣପତ୍ର ଦେଖାଇବାକୁ କହିଥିଲେ। କରୋନା ସମୟରେ ମୃତ୍ୟୁ ହୋଇଥିବାରୁ ସେ ପ୍ରମାଣପତ୍ର କରି ପାରିନାହାନ୍ତି ବୋଲି କହିଥିଲେ। ତେଣୁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ପାଖରୁ ଏକ ଲେଖା ଆଣି ଅଧିକାରୀଙ୍କୁ ଦେଖାଇଥିଲେ। ଏସବୁ ସତ୍ତ୍ବେ ଟଙ୍କା ବାଣ୍ଟୁଥିବା ଅଧିକାରୀମାନେ ବିଚିତ୍ରାନନ୍ଦଙ୍କୁ ଟଙ୍କା ନଦେଇ ଫେରାଇ ଦେଇଥିଲେ। ତେଣୁ ବିଚିତ୍ରାନନ୍ଦଙ୍କ ମନରେ ସନ୍ଦେହ ହୋଇଥିଲା। ରାସନ୍କାର୍ଡ କଥା ଯାଞ୍ଚ କରୁକରୁ ସେ ଡିଲର୍ଙ୍କ କଳା କାରନାମା ଜାଣିବାକୁ ପାଇଥିଲେ। ଡିଲର୍ ତାଙ୍କୁ ୧୫ କେଜି ରାସନ୍ ଦେଉଥିବା ବେଳେ କାର୍ଡରେ ୨୦ କେଜି ନେଉଥିବା ଉଲ୍ଲେଖ ଥିବା ଦେଖିବାକୁ ପାଇଥିଲେ।
ବିଚିତ୍ରାନନ୍ଦଙ୍କ କହିବାନୁସାରେ, ଡିଲର୍ ଦେଢ଼ବର୍ଷ ଧରି ତାଙ୍କ ସ୍ତ୍ରୀଙ୍କ କୋଟାର ଚାଉଳ ହରଣଚାଳ କରି ଆସୁଛନ୍ତି। କିନ୍ତୁ ସେ ଅପାଠୁଆ ହୋଇଥିବାରୁ କୋଉଠି ଅଭିଯୋଗ କରିବେ, କାହା ପାଖକୁ ଦୌଡ଼ିବେ ବୋଲି ଦୁଃଖର ସହ କହିଛନ୍ତି। ଏଥିପାଇଁ ସେ ‘ସମ୍ବାଦ’ର ସହାୟତା ଲୋଡ଼ିଥିଲେ। ନିଜର ରାସନ୍ ଖାତାର ସମସ୍ତ ତଥ୍ୟ ଦେବା ସହ କିନାଙ୍କ ନାମରେ ଆସିଥିବା ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ବି ଦେଖାଇଥିଲେ।
ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଗଦା ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ଅଭିଯୋଗକୁ ଭିତ୍ତି କରି ଉପଯୁକ୍ତ ତଦନ୍ତ କରାଯିବ। ଏଥିରେ ଯେଉଁମାନଙ୍କର ସଂପୃକ୍ତି ଥିବ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ଏହି ଘଟଣାର ଖୋଳତାଡ଼ ହେଲେ ଆହୁରି ଏମିତି ଅନେକ କେଳେଙ୍କାରୀ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଥିରେ ଡିଲର୍ଙ୍କ ସମେତ ଯୋଗାଣ ବିଭାଗର ବଡ଼ ବାବୁମାନଙ୍କ ସଂପୃକ୍ତି ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।