ରାଜପଥରେ ରାଣୀ : ଟ୍ରେନ୍‌ରେ ଭିକ୍ଷାବୃତ୍ତି ବନ୍ଦ ପରଠୁ ବଢ଼ିଛି ସମସ୍ୟା

ରାତିର ରାଜଧାନୀ

ଯେବେଠୁ ଟ୍ରେନ୍‌ରେ ଭିକ୍ଷାବୃତ୍ତି ବନ୍ଦ ହୋଇଛି, ସେବେଠୁ ଅନେକ ରାସ୍ତାକଡ଼ରେ ଛିଡ଼ା ହେଉଛନ୍ତି ବୋଲି କହିଛନ୍ତି କିଛି କିନ୍ନର। ଉଦୟଗିରି ପଛ ପାଖ ରାସ୍ତାରେ ଏଭଳି ବୃତ୍ତି ସହ ଜଡ଼ିତ ଜଣେ କିନ୍ନର କହିଛନ୍ତି, ଯେବେଠୁ ଟ୍ରେନ୍‌ରେ ଭିକ୍ଷା ବୃତ୍ତି ବନ୍ଦ ହୋଇଛି ଆମେ ବାଲି ସିମେଣ୍ଟ କାମ କରିବାକୁ ଯାଇଛୁ। ମାତ୍ର ସେଠି ବି ଆମକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ସବୁବେ‌ଳେ କେହି କାମ ଦେବାକୁ ରାଜି ହୁଅନ୍ତି ନାହିଁ। ଯେଉଁମାନେ କାମ ଦିଅନ୍ତି, ସେମାନେ ଆମଠୁ କିଛି ପାଇବାର ଆଶା ରଖନ୍ତି। ଯଦିଓ ଆମକୁ ସ୍ବତନ୍ତ୍ର ସ୍ବୀକୃତି ମିଳିଛି, କିନ୍ତୁ ଏବେ ବି ଅବହେଳିତ। ଆମକୁ ସମାନ ଦୃଷ୍ଟିରେ ଦେଖାଯାଉନାହିଁ କି ଆମ ପାଇଁ ସେମିତି କୌଣସି ସୁଯୋଗ ନାହିଁ। ନଚେତ୍‌ ଶୀତ, ବର୍ଷା, କାକରରେ କିଏ ଆସି ଏଠି ଛିଡ଼ା ହୁଅନ୍ତା ବୋଲି ସେ କହିଛନ୍ତି।

କରୋନା ବିଗାଡ଼ିଛି ବେପାର
ରାତି ୧ଟା ୩୦ ସୁଦ୍ଧା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ବୁଲିବା ପରେ କିନ୍ନରଙ୍କ ବେପାର ମାଡ଼ ଖାଇଛି ବୋଲି ଶୁଣିବାକୁ ମିଳିଥିଲା। ସହର ଭିତରେ ଆଉ ଆଗଭଳି କିନ୍ନରଙ୍କ ଗହଳି ଚହଳି ବି ନଥିଲା। ପୋଖରୀପୁଟ ଛକ, ଜୟଦେବ ବିହାର, ପଟିଆ, ବମିଖାଲ ଓଭରବ୍ରିଜ୍‌ ତଳ, ରାଜମହଲ ଛକ, ଲିଙ୍ଗିପୁର ଛକ ଓ ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନ ଆଦି ସ୍ଥାନରେ କିନ୍ନରଙ୍କ ସ୍ଥିତି ଅନୁଧ୍ୟାନ କରିଥିଲୁ। ଜଣେ କିନ୍ନର କହିଛନ୍ତି ଯେ କରୋନା ଯୋଗୁଁ ବେପାର ମାନ୍ଦା ହୋଇଯାଇଛି। ଗ୍ରାହକ ଆସୁନାହାନ୍ତି। ସହର ଭିତରେ ପୁଲିସର ତାଗିଦ୍‌ ‌ଯୋଗୁଁ ସହର ବାହାରକୁ ଯିବାକୁ ପଡ଼ୁଛି।

ଶହେ ଟଙ୍କା‌‌ରେ ବିକ୍ରି ହେବାକୁ ପଡ଼େ
ଜାଡ଼ ହେଉ କି ବର୍ଷା, ଫୁଟ୍‌ପାଥ୍‌ରେ ଛିଡ଼ା ହୋଇ ସେମାନେ ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି। ମୂଲ ଚାଲ ବେଳେ ୨ଶହ ଟଙ୍କା ଦାବି କରୁଥିଲେ ହେଁ କେବେକେବେ ଶହେ ଟଙ୍କାରେ ବି ସେମାନେ କିଛି ସମୟ ପାଇଁ ନିଜକୁ ବିକ୍ରି କରିଦିଅନ୍ତି। ଏଥିପାଇଁ ରାସ୍ତାକଡ଼ରେ ନିକାଞ୍ଚନ ଓ ଅନ୍ଧାରିଆ ରାସ୍ତାରେ ହିଁ ସଉଦା କରନ୍ତି। ଆଉ କିଛି ବ୍ୟକ୍ତି ସେମାନଙ୍କୁ କୌଣସି ସ୍ଥାନକୁ ଡାକି ନେଉଥିବା ବେଳେ ସେଥିପାଇଁ ୫ଶହରୁ ୧ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼େ ବୋଲି ଜଣେ କିନ୍ନର କହିଛନ୍ତି।

ବାଏ ୱାନ ଗେଟ୍‌ ୱାନ୍‌
ଉଦୟଗିରି ପଛପାର୍ଶ୍ବ ବସ୍‌ଷ୍ଟାଣ୍ଡ୍‌ ବାଟ ଦେଇ ଅତିକ୍ରମ କରିବା ବେଳେ ଦୁଇଜଣ ଏକ ଚାନ୍ଦିନୀ ଉପରେ ବସି ଚିରାଚରିତ ଭଙ୍ଗୀରେ ଲୋକଙ୍କୁ ସ୍ବାଗତ କରୁଥିଲେ। ଯେମିତି ସେମାନେ ତାଙ୍କ ପାଇଁ ଅତିଥି। ଗାଡ଼ି ଅଟକାଇବା ମାତ୍ରେ କହିଲେ, ଆସ ବାଏ ୱାନ୍‌ ଗେଟ୍ ୱାନ୍‌। କଥାଟା ହଠାତ୍‌ ବୁଝି ନହେବାରୁ ସେ ବୁଝାଇ ଦେଇ କହିଲେ, ୨ଶହ ଟଙ୍କା ଦେଇ ଦି’ଜଣଙ୍କୁ ନେଇଯାଅ। ଏହା ମଧ୍ୟକୁ ବି ଯେ ବଜାର ପ୍ରତ‌ିଯୋଗିତାର ସଂସ୍କୃତି ପଶି ଆସିଛି ତାହା ସେମାନଙ୍କ ବିକଳ ଡାକରୁ ବୁଝି ହୋଇଯାଉଥିଲା।

ଜନ୍ମଦିନରେ ବଧେଇ
ରାସ୍ତାରେ ଯିବା ବେଳେ ହାବୁଡ଼ରେ ପଡ଼ିଥିଲେ, ବାଣୀବିହାର କିନ୍ନର ବସ୍ତି ମମତା ଘରାନାର ମାଧୁରି କିନ୍ନର ଓ ତାଙ୍କ ଶିଷ୍ୟାବୃନ୍ଦ। ଏକ ଡାଲାରେ କିଛି ଶାଢ଼ି ଧରି ନିଜ ଘର ଅଭିମୁଖେ ଆଗଉଥିବା ବେଳେ ପଚାରିଥିଲୁ, କୁଆଡ଼େ ଯାଇଥିଲେ। ସେମାନଙ୍କ ଉତ୍ତର ଥିଲା, ଝାରପଡ଼ାର ଜଣେ ବ୍ୟକ୍ତିଙ୍କ ଜନ୍ମଦିନର ବଧେଇ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛୁ। ସେମାନେ ୭ଜଣଙ୍କୁ ୭ଟି ଶାଢ଼ି ଦେବା ସହ ୨୧ଶହ ଟଙ୍କା ବି ଦେଇଥିବା ସ୍ବୀକାର କରିଥିଲେ। ଢୋଲ, ଘୁଙ୍ଗୁର ଓ ତାସାର ବାଦ୍ୟ ତାଳେତାଳେ ନୃତ୍ୟ କରିବା ସହ ଆଶୀର୍ବାଦ ଦେଇ ସେମାନେ ସେଠାରୁ ଫେରିଥିବା କହିଥିଲେ।

ରାଜପଥରେ ଡ୍ୟାନ୍ସିଂ କାର
ରାତି ପ୍ରାୟ ୧୨ଟା ୧୦। ଆମେ ପହଞ୍ଚିଥିଲୁ ଫୁଲନଖରା ଛକ ନିକଟରେ। ଜାତୀୟ ରାଜପଥ ହୋଇଥିବାରୁ ଅହରହ ଗାଡ଼ି ଚାଲିଥାଏ। ଅନ୍ୟ ଗାଡ଼ି ତୁଳନାରେ ଟ୍ରକ୍‌ଗୁଡ଼ିକ ସଂଖ୍ୟା ଅଧିକ ଥା‌ଏ। ନଖରାରୁ ଭୁବନେଶ୍ବର ଆଡ଼କୁ ଆସିବା ବେଳେ ରାସ୍ତାପାର୍ଶ୍ବ ଗଛ ନିକଟରେ ଯୁବତୀ ବେଶ୍‌ରେ ଛିଡ଼ା ହୋଇଥାନ୍ତି ଜଣେ କିନ୍ନର। ଆମକୁ ଦେଖିବା କ୍ଷଣି କିନ୍ନର ଜଣକ ତାଙ୍କ ସହ ଯିବାକୁ ଇସାରା ଦେଲେ। ଶହେ ଟଙ୍କା ଦେଇ ସୁଖ ନିଅ ବୋଲି ସେ କହିଲେ। ସେଠାରୁ କିଛି ବାଟ ଆଗକୁ ଯିବା ପରେ ଏକ ପେଟ୍ରୋଲ୍‌ ପମ୍ପର କିଛି ବାଟ ପୂର୍ବରୁ କାର ଅଟକି ଥିଲା। ରାଜପଥରେ ଡ୍ୟାନ୍ସିଂ କାର୍‌ ଦେଖି ସେଠାରୁ କିଛି ଦୂରରେ ଅଟକିଲୁ। ଆଖପାଖରେ ୩ରୁ ୪ ଜଣ କିନ୍ନର ଛିଡ଼ା ହୋଇଥିଲେ। ୧୦ ମିନିଟ୍‌ର ଅପେକ୍ଷା ପରେ କାର୍‌ ଭିତରୁ ଜଣେ କିନ୍ନର ବାହାରିବା ଦେଖିବାକୁ ପାଇଲୁ।

ଧୀରେଧୀରେ ରୋକ୍‌ ଲାଗିବ
ଯଦିଓ ସରକାରୀ ସ୍ତରରେ ଦକ୍ଷତା ବିକାଶ ସହ କିନ୍ନରମାନଙ୍କ ପାଇଁ ଥଇଥାନର ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ସତ୍ତ୍ବେ ବର୍ତମାନ ପରିସ୍ଥିତିରେ ସେମାନଙ୍କ ଚଳିବା ପାଇଁ ବିସ୍ତୃତ ବିକଳ୍ପ ନଥିବାରୁ ରାସ୍ତାକଡ଼ରେ ଛିଡ଼ା ହେଉଛନ୍ତି। ଏଥିରେ ରୋକ୍‌ ଲାଗିବା ଆବଶ୍ୟକ। ସରକାରୀ ସ୍ତରରେ ଯେଉଁ ପଦକ୍ଷେପମାନ ନିଆଯାଇଛି କିଛିଦିନ ମଧ୍ୟରେ ଏଥିରେ ରୋକ୍‌ ଲାଗିବ ବୋଲି ମୋର ବିଶ୍ବାସ। ଜାତୀୟ ସହର ଜୀବିକା ମିସନ ଜରିଆରେ ପାଖାପାଖି ୨୬ ଜଣ କିନ୍ନର ବିଭିନ୍ନ ଏନ୍‌ଏସି ଓ ନଗରପାଳିକାରେ ସହାୟିକା ଭାବେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ ମଧ୍ୟ ଏପରି ବ୍ୟକ୍ତି ବିଶେଷ ଅଛନ୍ତି; ଯେଉଁମାନେ ଦିନେ ରାସ୍ତାକଡ଼ରେ ଛିଡ଼ା ହେଉଥିଲେ। ଯଦି ଏହି ଧାରା ଜାରି ରୁହେ, ଦିନ ଆସିବ ରାସ୍ତାକଡ଼ରେ ଆଉ କୌଣସି କିନ୍ନରଙ୍କୁ ରାତିରେ ରାସ୍ତାକଡ଼ରେ ଛିଡ଼ା ହେବା ଦେଖିବାକୁ ମିଳିବ ନାହିଁ।
ମୀରା ପରିଡ଼ା (ସଦସ୍ୟ, ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ କାଉନ୍‌ସିଲ୍‌)

ମୁଖ୍ୟଧାରାରେ ଯୋଡ଼ିବାକୁ ପଡ଼ିବ
ରାଜ୍ୟରେ ପାଖାପାଖି ୨୦ ହଜାର କିନ୍ନର ଥିବା ବେଳେ ରାଜଧାନୀରେ ସେମାନଙ୍କ ସଂଖ୍ୟା ୧ହଜାରରୁ ଊର୍ଧ୍ବ। ତେବେ ସେମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ଯଥେଷ୍ଟ ନୁହେଁ। ଅମ୍ବ୍ରେଲା ଯୋଜନାରେ ସେମାନଙ୍କୁ ଥଇଥାନ କରିବା ପାଇଁ ଯେଉଁ ରୂପରେଖ ପ୍ରସ୍ତୁତ ହୋଇଥିଲା ତାହା ଏପର୍ଯ୍ୟନ୍ତ ସମ୍ଭବ ହେଲା ନାହିଁ। ଟ୍ରେନ୍‌ରେ ଭିକ୍ଷାବୃତ୍ତି ବନ୍ଦ ହେଇଗଲା ପରେ ସେମାନେ ଯେତେବେଳେ ମୂଲ ଲାଗିଲେ ସେଠି ବି ତାଙ୍କ ସହିତ ଅସଦାଚରଣ କରାଗଲା। ବାଟରେ ଚାଲିବା ବେଳେ ଟାହି ଟାପରାର ଶିକାର ହେବାକୁ ପଡ଼ୁଛି, ସେଭଳି ସ୍ଥିତିରେ ସେମାନେ କାମ ‌କରିବେ କେଉଁଠି? ରୋଜଗାର ନଥିବାରୁ କିଛି କିନ୍ନର ବାଧ୍ୟ ହୋଇ ରାସ୍ତାକଡ଼ରେ ଛିଡ଼ା ହେଉଛନ୍ତି। ଯେପର୍ଯ୍ୟନ୍ତ ସେମାନେ ମୁଖ୍ୟସ୍ରୋତକୁ ନ ଆସିଛନ୍ତି ଏବଂ ତାଙ୍କୁ କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ଭଳି ସୁବିଧା ନମିଳିଛି ଏଥିରେ ରୋକ୍‌ ଲଗାଇବା ସମ୍ଭବ ନୁହେଁ।
ପ୍ରତାପ ସାହୁ, (ସଭାପତି, ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ)

ସମ୍ବନ୍ଧିତ ଖବର