ରାତିର ରାଜଧାନୀ : ରାଜପଥରେ ରାଣୀ

ସଞ୍ଜ ନଇଁଲେ ସଜେଇ ହୁଅନ୍ତି। ମୁହଁରେ ମେକଅପ୍‌, ଓଠରେ ଗାଢ଼ ଲିପ୍‌ଷ୍ଟିକ୍‌ ଓ ଫରଫର ଚୁଟି ଉଡ଼େଇ ଓହ୍ଲାଇ ଆସନ୍ତି ରାଜରାସ୍ତାକୁ। ରାତି ଗାଢ଼ ହେଲେ ରାଜରାସ୍ତା ତାଙ୍କ ପାଇଁ ସାଜେ ରଙ୍ଗମଞ୍ଚ ଓ ପଣ୍ୟଶାଳା। କିଛି ସମୟ ପାଇଁ ପାଲଟି ଯାଆନ୍ତି ସଉଦା। ଚାଲେ ମୂଲଚାଲ। ଗ୍ରାହକଙ୍କୁ ମନେଇ ଦେହ ବିକିବାକୁ ଆରମ୍ଭ ହୁଏ ପ୍ରତିଯୋଗିତା। ଏଥି‌ରେ ସିନା କାହା ମନର ଭୋକ ମରେ, କିନ୍ତୁ ସେମାନଙ୍କର ପେଟର ଭୋକ ମେଣ୍ଟେ। ପରିଚୟ ତାଙ୍କର କିନ୍ନର। ଯେତେବେଳେ ସମ୍ଭ୍ରାନ୍ତ ରାଜଧାନୀ ଶୋଇଯାଏ, ସେତେବେଳେ କିଛି କିନ୍ନର ହୋଇଉଠନ୍ତି ସକ୍ରିୟ। ଏମାନଙ୍କ ପାଇଁ ଅନ୍ଧାର ରାତି ପାଲଟି ଯାଏ ରୋଜଗାରର ମାଧ୍ୟମ। ଦିନରେ ଚଳଚଞ୍ଚଳ ରାଜଧାନୀ ସମସ୍ତଙ୍କୁ କର୍ମମୟ କରିଥିବା ବେଳେ ଏମାନେ କିନ୍ତୁ ଅପେକ୍ଷା କରିଥାନ୍ତି ନିରବ ରାତିର ଅନ୍ଧାରକୁ। କାରଣ ଅନ୍ଧାରି ଦୁନିଆ ଛଡ଼ା ସେମାନଙ୍କ ପାଇଁ ବିକଳ୍ପ ରୋଜଗାରର ପନ୍ଥା ନାହିଁ। ସରକାର କିମ୍ବା ସ୍ଥାନୀୟ ପ୍ରଶାସନ କେହି ଏମାନଙ୍କ ଦୁର୍ଦ୍ଦଶାର ଚିତ୍ର ଉପଲ୍‌ବଧି କରନ୍ତି ନାହିଁ। ତେଣୁ ସେମାନେ ରାତି ହେଲେ ରାଜରାସ୍ତାକୁ ଆପଣେଇ ନେଇଛନ୍ତି। କଥାଛଳରେ ସେମାନେ କୁହନ୍ତି, ରାତି ଆମର ରଜା, ଆଉ ଆମେ ରାତିର ରାଣୀ। ଏଥର ‘ରାତିର ରାଜଧାନୀ’ରେ ଆମେ ସାଉଁଟିଥିଲୁ ରାସ୍ତାରେ ଗ୍ରାହକଙ୍କ ଅପେକ୍ଷାରେ ଛିଡ଼ା ହୋଇଥିବା କିଛି କିନ୍ନରଙ୍କ ମନର ବ୍ୟଥା ଓ ସେ ସ୍ଥାନର ଚିତ୍ର।

ସନ୍ଧ୍ୟା ୭ରୁ ଭୋର
ସଂଜ ବୁଡ଼ି ୭ଟା ହେଲା ବେଳକୁ ଅନ୍ଧାରିଆ ସ୍ପଟ୍‌ ତାଙ୍କ ପାଇଁ ପାଲଟିଯାଏ ବଜାର। ଭୋର୍‌ ପର୍ଯ୍ୟନ୍ତ ସେମାନେ ପେଟ ପାଇଁ ସେଠାରେ ସଂଘର୍ଷ କରନ୍ତି। ଯଦିଓ ଅନେକ ଭଲ ଆୟ କରନ୍ତି, ମାତ୍ର ଅଧିକାଂଶ ଦିନକୁ ୨ଶହ ଆୟ କରିବା ଦୁରୂହ ବ୍ୟାପାର ହୋଇପଡ଼େ ବୋଲି ଜଣେ କିନ୍ନର କହିଛନ୍ତି। ଖଣ୍ଡଗିରି ନିକଟରେ ଭେଟ ହୋଇଥିବା କିନ୍ନର ଜଣକ କହିଲେ, ଆମେ ରାତିରେ ରଜନୀଗନ୍ଧା। ଭୋର ହେଲା ବେଳକୁ ଆମେ ଝଡ଼ି ଯାଇଥିବା ଗଙ୍ଗଶିଉଳି। ବେ‌ଳେବେଳେ ଶୀତ ଓ ବର୍ଷାର ଦାଉ ସହିବାକୁ ପଡ଼େ। ଘରକୁ ଫେରି ଆସିବାକୁ ଇଚ୍ଛା ହୁଏ। ହେଲେ ପେଟର ଜ୍ବାଳା ସବୁ ସହିଯିବାକୁ ବାଧ୍ୟ କରେ।

ବିଳମ୍ବିତ ରାତିରେ ଲାଗେ କାର୍‌, ବାଇକ୍‌
ଖଣ୍ଡଗିରି-ଜୟଦେବ ବାଟିକା ରାସ୍ତାରେ ଯିବା ବେଳେ ରାସ୍ତାରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିଲେ କିଛି କିନ୍ନର। ସେମାନଙ୍କୁ ଦେଖିବା ମାତ୍ରେ କିଛି ବାଇକ୍‌ ଓ କାର୍‌ ଅଟକି ଯାଉଥିଲା। ମୂଲଚାଲ ଛିଣ୍ଡିବା ପରେ ଦଳଦଳ ହୋଇ ଆସିଥିବା କିଛି ବ୍ୟକ୍ତି ତାଙ୍କୁ ନିଜ କାର୍‌ରେ ନେଇ ଯାଉଥିଲେ। ଆଉ କିଛି ବ୍ୟକ୍ତି ବାଇକ୍‌ରେ ବସାଇ ଆଖି ପିଛୁଳାକେ ଉଭାନ ହୋଇଯାଉଥିଲେ। ପୁଣି କିଛି ବ୍ୟକ୍ତି ଦେହର ତୃଷ୍ଣା ମେଣ୍ଟାଇବାକୁ ସେହି ଫୁଟ୍‌ପାଥ୍‌ରେ ନିକାଞ୍ଚନ ଅଞ୍ଚଳକୁ ଆପଣାଉଥିଲେ।

ଟଙ୍କା ପାଇଁ ଝଗଡ଼ା
ରାତି ପ୍ରାୟ ୧୨ଟା ୪୦ ହେବ। ହଂସପାଳ ଛକ ପୂର୍ବରୁ ଏକ ସପିଂ ମଲ୍‌ ନିକଟ ରାସ୍ତାରେ ୩ରୁ ୪ ଜଣ କିନ୍ନର ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲୁ। ନିକଟରେ ଦୁଇ ଜଣ ଯୁବକ ବି ଥା’ନ୍ତି। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଝଗଡ଼ା ବି ଚାଲିଥାଏ। ଅଧ ରାତିରେ କ’ଣ ହୋଇଥିବ ଜାଣିବା ଲାଗି ସେମାନଙ୍କ ନିକଟରେ ପହଞ୍ଚିଥିଲୁ। ତେବେ ଆମକୁ ଦେଖିବା କ୍ଷଣି ଯୁବକମାନେ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। କିନ୍ନରମାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ କହିଥିଲେ ଯେ ଆମ ସହ ସମ୍ପର୍କ ରଖିବାକୁ କହିଲେ। ଟଙ୍କା ବି ଛିଣ୍ଡିଲା। ସବୁ କାମ ସରିବା ପରେ ୨୦୦ ଟଙ୍କା ବଦଳରେ ୧୦୦ ଟଙ୍କା ଦେଇ ପଳାଇ ଯିବାକୁ ବସିଥିଲେ।

ଟ୍ରକ୍‌ ଭରସା
ରାତିର ରାଣୀ ସାଜିଥିବା କିନ୍ନରଙ୍କ ଯିବା ଆସିବାର ଏକ ମାତ୍ର ମାଧ୍ୟମ ଟ୍ରକ। ସେମାନଙ୍କୁ ନେବା ଲାଗି କେହି ପସନ୍ଦ କରୁନଥିବା ବେଳେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଫୁଲନଖରାଠାରୁ ଆରମ୍ଭ କରି ଖଣ୍ଡଗିରି ମଧ୍ୟରେ ପ୍ରାୟ ୬ଟି ସ୍ଥାନରେ କିନ୍ନରମାନେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲୁ। କେଉଁଠି ୪ ଜଣ ଛିଡ଼ା ହୋଇଥିଲେ ତ ଆଉ କେଉଁଠି ୮ରୁ ୧୦ ଜଣ। ପଚାରିବାରୁ ସେମାନେ କହିଥିଲେ ଯେ ଟ୍ରକ୍‌କୁ ଅପେକ୍ଷ‌ା କରି ରହିଛୁ। ବାଣୀବିହାର ଛକରେ ଥିବା ଜଣେ କିନ୍ନର କହିଥିଲେ, ଏଠାରେ ଯେତିକି ବେପାର ହେବା କଥା ହେଲା। ଟୋଲ୍‌ ଗେଟ୍‌ ନିକଟରେ ବେପାର ଭଲ ହେଉଥିବାରୁ ସେଠାକୁ ଟ୍ରକ୍‌ରେ ଯାଉ ବୋଲି କହିଥିଲେ।

ଅନ୍ଧାରକୁ ଆସ
କଟକ-ପୁରୀ ବାଏପାସ୍‌ ନିକଟରେ ପହଞ୍ଚିଲା ବେଳକୁ ରାତି ୧ଟା ହୋଇଥାଏ। ରାସ୍ତା ପାର୍ଶ୍ବରେ ୩ ଜଣ କିନ୍ନର ଛିଡ଼ା ହୋଇଥିବା‌ର ଦେଖି ଅଟକିଲୁ। ଆମକୁ ଦେଖିବା କ୍ଷଣି ଜଣେ କିନ୍ନର ଗାଡ଼ି ରଖି ସାଙ୍ଗରେ ଯିବାକୁ ଇସାରା ଦେଲେ। କହିଲେ, ଶହେ ଟଙ୍କା ଦେଇ ଅନ୍ଧାରକୁ ଚାଲ। ଆମେ ଗଣମାଧ୍ୟମରୁ ଆସିଥିବା କହିବାରୁ ସେମାନେ ଆଉ କିଛି କହିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ। କରୋନା ସମୟରେ ବେପାର କିଭଳି ଚାଲିଛି ଜାଣିବାକୁ ପ୍ରୟାସ କରିଥିଲେ ମଧ୍ୟ ମୁ‌ହଁ ଖୋଲି ନ ଥିଲେ।

ରିପୋର୍ଟ: ସତ୍ୟ, କେଶବ ଫଟୋ: ବିଭୂତି, ସ୍ବଦେଶ

ସମ୍ବନ୍ଧିତ ଖବର