ଭୁବନେଶ୍ବର : ଅସତ୍‌ ଉପରେ ସତ୍ୟର ବିଜୟ ସ୍ମାରକ ସ୍ବରୂପ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି ରାବଣ ପୋଡ଼ି। ବିଜୟା ଦଶମୀରେ ରାବଣର ପ୍ରତିକୃତିରେ ବାଣ ସଂଯୋଗ କରି ଅଧର୍ମକୁ ନାଶ କରିବାର ପରମ୍ପରା ସୃଷ୍ଟି କରିଛନ୍ତି ପୂଜା କମିଟି। କଟକଣା ଯୋଗୁଁ ରାଜଧାନୀରେ କେବଳ ୫ଟି ପୂଜା ମଣ୍ଡପକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଥିଲା।

Advertisment

ବରମୁଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ବରମୁଣ୍ଡା ଖେଳ ପଡ଼ିଆରେ ସନ୍ଧ୍ୟାରେ ରାବଣଙ୍କ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ପ୍ରଦୀପ ମହାରଥୀ। ରାତି ୯ଟାରେ ହୋଇଥିବା ରାବଣ ପୋଡ଼ି ଓ ଆତସବାଜି ପ୍ରଦର୍ଶନ ଦେଖିବାକୁ ବିପୁଳ ସମାଗମ ହୋଇଥିଲା। ସଭାପତି ରାମଚନ୍ଦ୍ର ରଣସିଂହ, ସମ୍ପାଦକ ନରେନ୍ଦ୍ରନାଥ ସାହୁ, ବିଜୟ ସ୍ବାଇଁ, ଅକ୍ଷୟ ପାଇକରାୟ, ରଂଜନ ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ସାଢ଼େ ୧୦ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ‌ଲୋକେ ଏହାକୁ ଉପଭୋଗ କରିଥିଲେ।

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଉପଦେଷ୍ଟା ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ୬୫ ଫୁଟର ରାବଣ ପ୍ରତିକୃତି ଦହନ କରାଯାଇଥିଲା। ବିଧାୟକ ସୁଶାନ୍ତ ରାଉତ ବ୍ରହ୍ମ ଅସ୍ତ୍ର ସ୍ବରୂପ ପ୍ରତୀକାତ୍ମକ ଅସ୍ତ୍ର ମାରି ରାବଣକୁ ଦହନ କରିଥିଲେ। ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ‌ମହେନ୍ଦ୍ର ବଳବନ୍ତରାୟ, ଦେବେନ୍ଦ୍ର ମହାକୁଡ଼ ଓ ଅନ୍ୟ ସଦସ୍ୟଙ୍କ ଦ୍ବାରା ରାବଣ ପୋଡ଼ି ପରିଚାଳିତ ହୋଇଥିଲା। ଝାରପଡ଼ା ପକ୍ଷରୁ ମଧ୍ୟ ସନ୍ଧ୍ୟାରେ ଆୟୋଜିତ ରାବଣ ପୋଡ଼ି ଦେଖିବାକୁ ବିପୁଳ ଜନ ସମାଗମ ହୋଇଥିଲା। ଡମଣାରେ ହୋଇଥିବା ରାବଣ‌ ପୋଡ଼ିରେ ବିଧାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ। ଏଥିସହ ପଳାଶୁଣିରେ ଆୟୋଜିତ ରାବଣ ପୋଡ଼ି ମଧ୍ୟ ଆକର୍ଷଣ ପାଲଟିଥିଲା।