ଭୁବନେଶ୍ବର: ଆଜିର ସମୟରେ ଆମେ ଯେଉଁ ଓଡ଼ିଶାକୁ ଦେଖୁଛେ, ପୂର୍ବରୁ ତା’ର ସେମିତି କୌଣସି ନିର୍ଦ୍ଦିଷ୍ଟ ପରିଚୟ ନଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆବିର୍ଭାବ ପର୍ଯ୍ୟନ୍ତ ଓଡ଼ିଶାର ପରିକଳ୍ପନା ହୋଇ ନ ଥିଲା। ୧୮୬୬ ମସିହାରେ ଯେତେବେଳେ ଓଡ଼ିଶାରେ ନ’ଙ୍କ ଦୁର୍ଭିକ୍ଷ ହେଲା ଓ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, ସେ ସମୟ ପର୍ଯ୍ୟନ୍ତ ଦେଶରେ ଓଡ଼ିଶାକୁ କେହି ଜାଣି ନ ଥିଲେ। ଏକ ପରିଚୟହୀନ ଜାତିକୁ ମଧୁବାବୁ ହିଁ ଛିଡ଼ା କରାଇଛନ୍ତି। ସ୍ବାଭିମାନ ଶବ୍ଦର ଜନ୍ମ ମଧୁବାବୁଙ୍କୁ ନେଇ ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ରେନ୍ନସା ୟୁନିଭର୍ସାଲ ପକ୍ଷରୁ ଆଜି ହୋଟେଲ ଏମ୍ପାୟାର୍ସରେ ‘ଓଡ଼ିଶାର ନିର୍ମାତା-ମଧୁସୂଦନ ଓ ଗୋପବନ୍ଧୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅମୂଲ୍ୟ କୁମାର ପଣ୍ଡାଙ୍କ ପୌେରାହିତ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ଶ୍ରୀ ବେନହୁର ଯୋଗଦେଇ କହିଲେ, ଓଡ଼ିଶାର ପରିଚୟ ଏବେ ବି ଅଧାଗଢ଼ା। ଭାରତରେ ଓଡ଼ିଆଙ୍କ ପରିଚୟ ଶକ୍ତିଶାଳୀ କି ପ୍ରାଞ୍ଜଳ କି ସଂଭ୍ରାନ୍ତ ନୁହେଁ। ମାତ୍ର ପରିଚୟ ନ ଥିବା ଏହି ଜାତିକୁ ମଧୁବାବୁ ଓ ଗୋପବନ୍ଧୁ ପରିଚୟ ଦେବାକୁ ଚେଷ୍ଟା କରିଛନ୍ତି। ଇଂରାଜୀ ଓ ଓକିଲାତିକୁ ମାଧ୍ୟମ କରି ଉଭୟ ଇଂରେଜମାନଙ୍କ ସାମ୍ନା କରିଥିଲେ। ଇଂରେଜ ସରକାର ବିରୋଧରେ ଦି ଷ୍ଟେଟ୍ସମ୍ୟାନ୍ ଖବରକାଗଜରେ ବାହାରିଥିବା ଏକ ରିପୋର୍ଟକୁ ନେଇ ସେ ସମୟର ଜିଲ୍ଲାପାଳ ସାମ୍ବାଦିକଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା ଓ ଏହାର ପ୍ରତିବାଦରେ ପୁରୀରେ ହୋଇଥିବା ଆନ୍ଦୋଳନର ନେତୃତ୍ବ ଗୋପବନ୍ଧୁ ନେଇଥିଲେ। ଏପରିକି ଇଂରାଜୀ ଭାଷାରେ ବାହାରିଥିବା ଏହି ରିପୋର୍ଟ ଉକ୍ତ ସାମ୍ବାଦିକ ନୁହେଁ, ବରଂ ଗୋପବନ୍ଧୁ ଲେଖିଥିବା କୁହାଯାଏ। ଗାନ୍ଧୀଜୀ ଅହିଂସା ମାର୍ଗରେ ଦେଶକୁ ଆଗକୁ ନେବା ପାଇଁ ଆହ୍ବାନ ଦେବାର ଯଥେଷ୍ଟ ପୂର୍ବରୁ ଗୋପବନ୍ଧୁଙ୍କଠାରେ ଅହିଂସାକୁ ଅପଣାଇଥିବା ଦେଖିବାକୁ ମିଳିଥାଏ। କଂଗ୍ରେସ ଦଳ ଗଠନ ହେବାର ଯଥେଷ୍ଟ ପୂର୍ବରୁ ୧୮୮୨ ମସିହାରେ ମଧୁବାବୁ ଓଡ଼ିଶାରେ ଉତ୍କଳ ସଭାର ଆରମ୍ଭ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହେଉଥିଲା। କଂଗ୍ରେସ ପ୍ରତିଷ୍ଠା ହେବା ଦିନଠାରୁ ଓଡ଼ିଶା ଏଥିରେ ଯୋଗଦାନ କରି ଆସିଛି। ସ୍ବାଭିମାନ, ଅର୍ଥନୀତି, ଅତୀତ, ଶିଳ୍ପକଳା ଏହାକୁ ନେଇ ପ୍ରଥମେ ମଧୁବାବୁ ଗର୍ବ କରିଥିଲେ। ଲଣ୍ଡନରେ ଓଡ଼ିଶାରେ ତିଆରି କଳା ଓ ହସ୍ତଶିଳ୍ପକୁ ନେଇ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଉଭୟ ମଧୁବାବୁ ଓ ଗୋପବନ୍ଧୁ ଓଡ଼ିଶା ନିର୍ମାଣ ସ୍ଥପତି ବୋଲି ଶ୍ରୀ ବେନହୁର କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଇଂ ଧଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ରେନ୍ନସା ୟୁନିଭର୍ସାଲର ଆଲୋଚନାଚକ୍ର, ସ୍ବାଭିମାନ ଶବ୍ଦର ଜନ୍ମ ମଧୁବାବୁଙ୍କୁ ନେଇ ହୋଇଛି
/sambad/media/post_attachments/wp-content/uploads/2019/02/Untitled-24-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)