କେବେ ସୁଧୁରିବ ପ୍ରେକ୍ଷାଳୟ ସ୍ଥିତି

ଭୁବନେଶ୍ବର: ବାତ୍ୟା ଯିବା ଦେଢ଼ମାସ ବିତିଲାଣି। ଅଥଚ ପ୍ରେକ୍ଷାଳୟକୁ ଏଯାଏଁ ସଜାଡ଼ି ପାରିନାହିଁ ସଂସ୍କୃତି ବିଭାଗ। ଭଂଜ କଳାମଣ୍ଡପ ପରିସରର ଦ୍ବିତୀୟ ଫାଟକ ନିକଟରୁ ଏବେ ବି ଭାଙ୍ଗି ପଡ଼ିଥିବା ଗଛ ଉଠି ପାରୁନାହିଁ। ବଡ଼ କଥା ହେଉଛି, ତାହା ଯେ ଭଂଜ କଳାମଣ୍ଡପ; ଜାଣିବାକୁ ବି ସୁଯୋଗ ନାହିଁ। ବାତ୍ୟା ବେଳୁ ଭାଙ୍ଗି ଉଡ଼ିଯାଇଥିବା ବଡ଼ ନାମଫଳକକୁ ଏଯାଏଁ ଲଗା ଯାଇନାହିଁ। ବାଥରୁମ୍‌ର ଝରକା ଭାଙ୍ଗି ଯାଇଥିଲେ ସୁଦ୍ଧା ସେସବୁକୁ ସଜଡ଼ା ଯାଉନାହିଁ। ଗୋଟେ ପ୍ରେକ୍ଷାଳୟର ପ୍ରାଥମିକ ଆବାଶ୍ୟକତାକୁ ପୂରଣ କରିବା ପାଇଁ ବି ସଂସ୍କୃତି ବିଭାଗକୁ ଦେଢ଼ ମାସ ନିଅଣ୍ଟ ପଡ଼ିଲାଣି। ଜୟଦେବ ଭବନର ସ୍ଥିତି ବି ସମାନ। ଭବନ ଅଛି ସିନା ଜୟଦେବ ଉଡ଼ି ଯାଇଥିଲେ ବି ତାହା ଏପର୍ଯ୍ୟନ୍ତ ଲେଖା ଯାଇପାରିନି। ରବୀନ୍ଦ୍ର ମଣ୍ଡପ ପରିସରରେ ଥିବା ଗଛଗୁଡ଼ିକ ବି ଅଧା ଭଙ୍ଗା ଅବସ୍ଥାରେ ରହିଛି। ଉତ୍କଳ ମଣ୍ଡପ ମୁକ୍ତାକାଶ ପ୍ରେକ୍ଷାଳୟ ଫାଟକ ସମ୍ମୁଖରେ କୁକୁରର ମୃତ ଶରୀର ଦୀର୍ଘ ଦିନ ହେଲା ପଡ଼ିଛି ଯେ ତାକୁ ଉଠା ଯାଇପାରିନାହିଁ। ସୌଖୀନପ୍ରିୟ ବ୍ୟକ୍ତିବିଶେଷ ନିଜର ମନୋରଂଜନ ପାଇଁ ପ୍ରେକ୍ଷାଳୟକୁ ଯାଉଥିବା ବେଳେ ପ୍ରେକ୍ଷାଳୟର ଏତାଦୃଶ ସ୍ଥିତି ତାଙ୍କୁ ବ୍ୟଥିତ କରୁଛି।

ଅବ୍ୟବସ୍ଥିତ ପରିସରକୁ ବାଦ୍‌ ଦେ‌ଲେ ପ୍ରେକ୍ଷାଳୟକୁ ନେଇ ଅନେକ ସମସ୍ୟା ରହିଛି। ଏନେଇ ଜଣାଶୁଣା ନାଟ୍ୟ ନିର୍ଦେଶକ କହିଛନ୍ତି, ରାଜଧାନୀରେ ଖଣ୍ଡଗିରି, ଉତ୍ତରା, ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁରରେ ପ୍ରେକ୍ଷାଳୟ ପାଇଁ ଦାବି ହୋଇଆସୁଛି। ଯଦିଓ ସୈନିକ ସ୍କୁଲ୍‌ ନିକଟରେ କଳାମଣ୍ଡଳ ପ୍ରେକ୍ଷାଳୟର କାମ ଚାଲୁଛି, ମାତ୍ର ଅନ୍ୟ ୩ଟି ସ୍ଥାନରେ ବହୁବିଧ କାର୍ଯ୍ୟକ୍ରମ ହେବା ଭଳି ପ୍ରେକ୍ଷାଳୟ କରିବାକୁ ଏଯାଏଁ ଯୋଜନା ବି ହୋଇନାହିଁ। ଏମିତିରେ ଯେଉଁ ପ୍ରେକ୍ଷାଳୟ ଅଛି ତାହା ଅଣ୍ଟୁ ନଥିବାରୁ କାର୍ଯ୍ୟକ୍ରମ କରିବାକୁ ଚାହୁଁଥିବା ଅନୁଷ୍ଠାନକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଜେନେରେଟର ଚାଲିଲାନି, ପରଦା ଉଠିଲାନି: ପ୍ରେକ୍ଷାଳୟ ପ୍ରତି ସଂସ୍କୃତି ବିଭାଗ କେତେ ଯତ୍ନବାନ୍‌, ତାହା ନିକଟରେ ଦୁଇଟି ନାଟକ ପରିବେଷଣ ବେଳେ ଜଣାପଡ଼ିଛି। ମେ’ ୨୭ରେ ଭଂଜ କଳାମଣ୍ଡପରେ ଅଭିନ୍ନ ରାଉତରାୟଙ୍କ ନିର୍ଦେଶନାରେ ନାଟକ ‘ପାର୍କ’ ମଞ୍ଚସ୍ଥ ହେବାର ଥାଏ। ସାଢ଼େ ୭ରେ ପ୍ରାରମ୍ଭିକ ସଭା ତ ସରିଗଲା କିନ୍ତୁ ସାଢ଼େ ୮ଟା ଯାଏଁ ନାଟକ ଆରମ୍ଭ ହେଲାନି। ବୁଝିବାରୁ ଜଣାପଡ଼ିଲା ପରଦା ଉଠୁନି। ପ୍ରେକ୍ଷାଳୟର କର୍ମଚାରୀ ବହୁ ଚେଷ୍ଟା କରି ବିଫଳ ହେବା ପରେ ପରଦା ଲାଗିଥିବା ତାରକୁ କାଟି ପରଦା ଉଠାଇବା ପରେ ୮ଟା ୪୫ରେ ନାଟକ ମଂଚସ୍ଥ ହୋଇଥିଲା। ସେମିତି ରବୀନ୍ଦ୍ର ମଣ୍ଡପରେ ମେ’ ୩୧ ତାରିଖରେ ଅନୁଷ୍ଠିତ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମରେ ‘ଶତାବ୍ଦୀର କଳାକାର’ ଅନୁଷ୍ଠାନ ପକ୍ଷରୁ ନାଟକ ‘ବାଇଶି ପାହାଚ’ ମଞ୍ଚସ୍ଥ ହେବାର ଥାଏ। ତେବେ ନାଟକ ଘଣ୍ଟାଏ ଚାଲିବା ପରେ ବ‌ର୍ଷା ପବନ ଯୋଗୁଁ ବିଦ୍ୟୁତ୍‌ ଚାଲିଗଲା। ଜେନେରେଟର୍‌ ଖରାପ ଥିବାରୁ ନାଟକ କରିବା ଅସମ୍ଭବ ହୋଇପଡ଼ିଲା। ନାଟକ ବନ୍ଦ କରିବାକୁ ପଡ଼ିବ ବୋଲି ନାଟ୍ୟାନୁଷ୍ଠାନର ମୁଖ୍ୟ ଶ୍ରୀ ମଲ୍ଲିକ ମଞ୍ଚ ଉପରେ ଦର୍ଶକଙ୍କୁ କହିଥିଲେ। ଦର୍ଶକଙ୍କ ଅନୁରୋଧ ଯୋଗୁଁ ଇନଭର୍ଟର ସହାୟତାରେ ଦୁଇଟି ଲାଇଟ୍‌ ଜଳାଇ ବିନା ସାଉଣ୍ଡ୍‌ରେ ନାଟକ କରିବାକୁ ପଡ଼ିଥିଲା।

ବୁକିଂ ବ୍ଲାକ୍‌: ସବୁପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହେବା ଭଳି ପ୍ରେକ୍ଷାଳୟ ରାଜଧାନୀରେ କେବଳ ୨ଟି। ଗୋଟିଏ ରବୀନ୍ଦ୍ର, ଅନ୍ୟଟି ଭଂଜ କଳାମଣ୍ଡପ। ଏହି ପ୍ରେକ୍ଷାଳୟ ପାଇବା ପାଇଁ ବର୍ଷେ ଆଗରୁ ବୁକିଂ କରିବାକୁ ପଡ଼େ। ମାତ୍ର ବାସ୍ତବ କଥା ଟିକେ ଭିନ୍ନ। ଯେଉଁ କିଛି କିଛି ଦିନ ମଝିରେ ଖାଲି ରହୁଛି, ତାହାକୁ ବି ବୁକିଂ କରି ଦିଆଯାଇ ପର ମୁହୂର୍ତରେ ବ୍ଲାକ୍‌ରେ ଦିଆଯାଉଛି। ରବୀନ୍ଦ୍ର ମଣ୍ଡପ କ୍ଷେତ୍ରରେ ଏହି ବୁକିଂ ବ୍ଲାକ୍‌ ଦେଖିବାକୁ ମିଳିଛି ବୋଲି ଜଣେ ଥିଏଟର ନିର୍ଦେଶକ କହିଛନ୍ତି। ବାସ୍ତବ କଥା ହେଉଛି, ଏଥିରେ ସେଇ ପ୍ରେକ୍ଷାଳୟର କିଛି କର୍ମଚାରୀଙ୍କର ସଂପୃକ୍ତି ରହୁଛି। ଅନ୍‌ଲାଇନ୍‌ରେ ପ୍ରେକ୍ଷାଳୟ ବୁକିଂ ହେବ ବୋଲି ୨୦୧୭ ମସିହାରେ ଘୋଷଣା ହୋଇଥିଲେ ହେଁ ତାହା ଏଯାଏଁ ହୋଇପାରିନାହିଁ।

ସମ୍ବନ୍ଧିତ ଖବର