ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଅମୋଲ୍‌ ପାଲେକର: ମଞ୍ଚରେ ରୋମାଞ୍ଚ ଭରିଲେ, ଦର୍ଶକ ବିଭୋର

ଭୁବନେଶ୍ବର: କ୍ରିଂ..କ୍ରିଂ..କ୍ରିଂ କ୍ରିଂ…। ମତେ ବଞ୍ଚାଅ…ପ୍ଲିଜ୍‌..। ସେ ମତେ ମାରିଦବ..। ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ ଏଇ ଗୋଟିଏ କଲ୍‌ ହିଁ ତାଙ୍କୁ ଅସ୍ଥିର କରିଦେଲା। ଅପହୃତ ହୋଇଥିବା ଜଣେ ମହିଳାଙ୍କ ଏହି ବିକଳ ସ୍ବର ଶୁଣି ସେ ସ୍ଥାନୀୟ ପୁଲିସ୍‌କୁ ସେଠାକୁ ତୁରନ୍ତ ପଠାଇଲେ। ଅପହରଣ କରି ନେଉଥିବା ବ୍ୟକ୍ତିକୁ ଗାଡ଼ି ଭିତରେ ଥୁଆ ହୋଇଥିବା ବାଡ଼ିରେ ପିଟି ସେଠାରୁ ଖସି ପଳେଇ ଆସିବାକୁ ପ୍ରବର୍ତାଇଲେ। ସାହାଯ୍ୟ ଲୋଡ଼ୁଥିବା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ସବୁ ଉପାୟ ଆପଣେଇଲେ। ମାତ୍ର ତାଙ୍କୁ ଫୋନ୍‌ କରିଥିବା ସମ୍ପୃକ୍ତ ମହିଳା ଜଣକ ଯେ ମାନସିକ ବିକାରଗ୍ରସ୍ତ, ତାହା ଜାଣିବା ପରେ ତାଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଦ୍ବନ୍ଦ୍ବ.. ଅସ୍ଥିରତା..ପଶ୍ଚାତାପ..ର ଫେଣ୍ଟାଫେଣ୍ଟି କଥାକୁ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ପରସି ଦେଇଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମୋଲ ପାଲେକର। ମଞ୍ଚରେ ୧ଘଣ୍ଟା ୧୫ ମିନିଟ୍‌ରୁ ଅଧିକ ସମୟ ଧରି ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲେ ଏହି ଲୋକପ୍ରିୟ ଅଭିନେତା। ଦୀର୍ଘ ୨୫ ବର୍ଷ ପରେ ଅମୋଲ୍‌ ପାଲେକରଙ୍କୁ ମଞ୍ଚ ଉପରେ ଦେଖିବା ପାଇଁ ଆଜି ନିର୍ଧାରିତ ସମୟ ଆଗରୁ ପ୍ରେକ୍ଷାଳୟ ଭରପୂର ହୋଇଯାଇଥିଲା। ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶର ଅଂଶବିଶେଷ ଭାବେ ଏହା ମଞ୍ଚସ୍ଥ ହୋଇଥିଲା।

ନାଟକ ଦେଖି ଫେରୁଥିବା ଦର୍ଶକଙ୍କ ମୁହଁରେ ବି ଯେମିତି ଦ୍ବନ୍ଦ୍ବ ଲେସି ହୋଇଯାଇଥିଲା। ନିରବ ହୋଇ ସଭିଏଁ ପ୍ରେକ୍ଷାଳୟରୁ ବାହାରୁଥିଲେ। ବେଳେବେଳେ ମଣିଷ ଯାହା ଭାବୁଥାଏ, ଯାହା ଶୁଣୁଥାଏ ତାହା ଯେ ଠିକ୍‌ ହୋଇ ନ ପାରେ ତାହା ଅନ୍ତତଃ ଉପଲବ୍ଧି କରିବାକୁ ବାଧ୍ୟ କରିଦେଇ ଥିଲା ଏହି ନାଟକ। ସବୁଠୁ ବଡ଼ ବିଶେଷତ୍ବ ଥିଲା ଏହି ନାଟକର ଶବ୍ଦ ସଂଯୋଜନା। ଏକକାଳୀନ ୭ଟି ଫୋନ୍‌କୁ ଜଣେ ପରିଚାଳନା କରିବା, ତା’ ମଧ୍ୟରେ ସଂଳାପ ଉଚ୍ଚାରଣ କରିବା। ବିଭିନ୍ନ ଅବସ୍ଥାକୁ ସାମ୍ନା କରିବା ବେଳେ ଅମୋଲ ପାଲେକରଙ୍କ ଅଭିନୟ ଚାତୁରୀ ଦର୍ଶକଙ୍କୁ ନିରବ ହୋଇ ନାଟକ ଉପଭୋଗ କରିବାକୁ ବାଧ୍ୟ କରିଥିଲା।
ସନ୍ଧ୍ୟା ଗୋଖାଲେ ଏହାକୁ ଲେଖିଥିବା ବେଳେ ନିର୍ଦେଶନା ଦେଇଥିଲେ ଉଭୟ ସନ୍ଧ୍ୟା ଓ ଅମୋଲ୍‌ ପାଲେକର। ଏଥିରେ ଜଣାଶୁଣା ଅଭିନେତା ନରେଶ ସୂରି, ସିଦ୍ଧେଶ ଧୂରି, ଅଶ୍ବିନୀ ପାରାଞ୍ଜାପେ ପ୍ରମୁଖ ଅଭିନୟ କରିଥିଲେ।

ନାଟ୍ୟ ନିର୍ଦେଶକ ଅଭିନ୍ନ ରାଉତରାୟ ନାଟକ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି କହିଲେ, ନାଟକରେ ସମସାମୟିକ କଥା ସହ ବିଭିନ୍ନ କୌଶଳ ପ୍ରୟୋଗ କରାଯାଇଛି। ଶବ୍ଦ, ସଂଗୀତ ସବୁ ବିଭାଗକୁ ନ୍ୟାୟ ଦିଆଯାଇଛି। ଏହିଭଳି ନାଟକ ବାରମ୍ବାର ଦେଖିବା ଉଚିତ୍‌। ଲେଖକ ପୀତବାସ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଲେ, ନାଟକୀୟ ମୋଡ଼ ଏହି ନାଟକ ସହ ବାନ୍ଧି ହୋଇ ରହିବା ପାଇଁ ବାଧ୍ୟ କରୁଛି। ଏହା ବ୍ୟତୀତ ଫୋନ୍‌ ବାଜିବା, ଏକ ରହସ୍ୟମୟ ପରିବେଶ ମଧ୍ୟ ଦେଇ ଗତି କରିବାର କୌଶଳ ଏ ନାଟକକୁ ଉପଭୋଗ୍ୟ କରିଛି।

ସମ୍ବନ୍ଧିତ ଖବର