ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ଘଟଣା : କିଛି ଶୁଣିଲେନି, ଭାଙ୍ଗିଲେ, ଆଜି ମୁରବିଙ୍କ ଆଲୋଚନା

ପୁରୁଣା ଭୁବନେଶ୍ବର : ବିରୋଧ ସତ୍ତ୍ବେ ଜାରି ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ। ପ୍ରଶାସନ ଜିଦ୍‌ ଆଗରେ ହାର ମାନିଛି ଭାବପ୍ରବଣତା ଓ ଧାର୍ମିକ ଭାବନା। ଆଜି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ତଥାପି ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ବାର ନିକଟ ତଥା ରକ୍ତ ଭଣ୍ଡାର ପାର୍ଶ୍ବ, ବିଏମ୍‌ସି ହସ୍ପିଟାଲ ନିକଟ, ହସ୍ପିଟାଲ ଗଳି, ବଢ଼େଇବାଙ୍କ ଛକରୁ ପଥୁରିଆ ବଡ଼ୁ ସାହି ପର୍ଯ୍ୟନ୍ତି ସରକାରୀ ଜମିରୁ ଉଚ୍ଛେଦ କରାଯାଇଥିଲା। ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ ୨୦ଟି କ୍ୟାବିନ୍‌, ୩ଟି ଛାତ ଘର, ୧୧ଟି ଦୋକାନ ଓ ଘର ଆଗକୁ ଆସିଥିବା ପାହାଚ ଭଙ୍ଗା ଯାଇଥିଲା। ପଥୁରିଆ ବଡ଼ୁ ସାହି ନିକଟରେ ଡ୍ରେନ୍‌ ଉପରେ ଥିବା ଚିହ୍ନଟ ପାହାଚ ଭାଙ୍ଗିବା ବେଳେ ବୁଲ୍‌ଡୋଜର ବଡ଼ୁ ନିଯୋଗର ସମ୍ପାଦକଙ୍କ ସ୍ଥିତିବାନ ଜମିର ପାହାଚ ଭାଙ୍ଗି ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି, ମହାପ୍ରଭୁଙ୍କ ରୁକୁଣା ରଥ ଯିବା ବେ‌ଳେ ବଢ଼େଇବାଙ୍କ ଛକଠାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ସମସ୍ୟା ହୁଏ। ମାତ୍ର ଏହି ଅଞ୍ଚଳକୁ ଭଙ୍ଗା ନଯାଇ ଉଦ୍ଦେଶ୍ୟମୂଳକ ଭାବେ ରଥଗଡ଼ା ଛକଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ଭଙ୍ଗା ଯାଉଛି ବୋଲି ସେ କହିଛନ୍ତି। ତେବେ ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟାରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାଗୃହରେ ସବୁ ସାହି ମୁରବି ଓ ନିଯୋଗର ପ୍ରମୁଖମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଭଜନ ମଣ୍ଡପରେ ହେଉ ୱାଚ୍‌ ଟାୱାର: ଭଜନ ମଣ୍ଡପ ଅଣ୍ଡର ଗ୍ରାଉଣ୍ଡ୍‌ରେ ଗବେଷଣା କେନ୍ଦ୍ର ଓ ଲାଇବ୍ରେରି ଥିବା ବେଳେ ଏହାର ଉପରେ ସାଂସ୍କୃତିକ ମଣ୍ଡପ ଅଛି। ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣିରେ ଦେଶର ବିଭିନ୍ନ ପ୍ରାନ୍ତର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ। ତେବେ ଏହି ମଣ୍ଡପ ତିନି ମହଲା ଉପରେ ୱାଚ୍‌-ଟାୱାର କରିବାକୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ତାରିଣୀ ମନ୍ଦିର ଯିଏ ଭାଙ୍ଗିବ, ତା’ର ଅନି‌ଷ୍ଟ ହେବ: ମନ୍ଦିର କଡ଼ ହାଟ ନିକଟରେ ଥିବା ତାରିଣୀ ମନ୍ଦିର ଉଚ୍ଛେଦ ବେଳେ ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତି ବିରୋଧ କରିଥିଲେ। ମନ୍ଦିରରେ ଠାକୁରାଣୀ ଥିବାରୁ ଉଚ୍ଛେଦ ଟିମ୍‌ ମା’ଙ୍କ ମୂର୍ତିକୁ ନେଇଯିବାକୁ ସେମାନଙ୍କୁ କହିଥିଲେ। ତେବେ ସ୍ଥାନୀୟ ହାଟ ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ। ଏପରିକି ଯିଏ ମନ୍ଦିରକୁ ଭାଙ୍ଗିବ ତା’ର ଅନିଷ୍ଟ ହେବ ବୋଲି କହିବା ସହ ମନ୍ଦିର ଆଗରୁ ହଟି ନଥିଲେ। ବିରୋଧ ପରେ ଆଜି ସେଠାରେ ମନ୍ଦିର ଉଚ୍ଛେଦ ହୋଇ ପାରିନଥିଲା। ଆସନ୍ତାକାଲି ଏହାକୁ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ମାର୍ଗଶିର ଗୁରୁବାରରେ ମାଣ ସହ ଉଚ୍ଛେଦ: ଆଜି ମାର୍ଗଶିର ଶେଷ ଗୁରୁବାରରେ ବିଏମ୍‌ସି ରକ୍ତଭଣ୍ଡାର ନିକଟରେ ଜଣେ ଦଳିତ ପରିବାରରେ ଚାଲିଥିଲା ମାଣବସା ପୂଜା। ଘରେ ଚିତା ପକାଯିବା ସହ ମା’ଙ୍କ ପାଇଁ ପିଠାପଣା ଭୋଗ କରାଯାଇଥିଲା। ସେହି ଘରେ ଛୋଟ ପିଲା ଖାଇବାକୁ ବି ବସିଥିଲେ। ଆସି ପହଞ୍ଚିଲେ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଉଚ୍ଛେଦକାରୀ ଦଳ। ଘରୁ ବାହାରିଯିବା ପାଇଁ କହିବା ସହ ସବୁ ବାହାର କରିବାକୁ କହିଥିଲେ। କିଛି ସମୟ ଯୁକ୍ତିତର୍କ ଚାଲିଥିଲା। ଏପରିକି ସେଠାରେ ରହୁଥିବା ଦଳିତ ପରିବାର ଅଫିସରଙ୍କ ଗୋଡ଼ ତଳେ ପଡ଼ି ନେହୁରା ହୋଇଥିଲେ। ଆମକୁ ସେଠାରୁ ବାହାର କରନାହିଁ ବୋଲି କାକୁତି ମିନତି ହୋଇଥିଲେ। ମାତ୍ର ଉଚ୍ଛେଦକାରୀ ଦଳ କିଛି ଶୁଣିନଥିଲେ। କିଛି ସମୟ ପରେ ଘରୁ ବାହାରିବାକୁ ପରିବାର ଲୋକେ ବାଧ୍ୟ ହୋଇ ମା’ଙ୍କ ଫଟୋ, ପୂଜା କରାଯାଉଥିବା ମାଣ ପେଡ଼ି ଧରି ବାହରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ସେଠାରେ ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର