ମେଳି ବାନ୍ଧିଲେ : ଉଚ୍ଛେଦକୁ ବିରୋଧ, ସମୂହ ଧାରଣା ଆଜି

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ଆଜି ପ୍ରାୟ ୫୬ଟି ଦୋକାନ ଏବଂ ଭଜନ ମଣ୍ଡପ ଆଂଶିକ ଭଙ୍ଗା ହୋଇଛି। ଏହାକୁ ନେଇ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଉଚ୍ଛେଦକୁ ବିରୋଧ କରି ଶତାଧିକ ଲୋକ, ବ୍ୟବସାୟୀ, ସାହି ମୁରବି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ‌ଯାଇଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ କାହାକୁ ଦେଖା ଦେଇନଥିଲେ। ଏହାପରେ ସମସ୍ତେ ଭଜନ ମଣ୍ଡପ ନିକଟରେ ଏକାଠି ହୋଇଥିଲେ। ଉଚ୍ଛେଦକୁ ବିରୋଧ କରିବା ପାଇଁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ, ବ୍ୟବସାୟୀମାନଙ୍କୁ କ୍ଷତି ପୂରଣ ନଦେଇ, ଥଇଥାନ ନକରି, ସ୍ଥାୟୀ ଦୋକାନକୁ ମନ ଇଚ୍ଛା ଭାଙ୍ଗିବା ବନ୍ଦ ନକଲେ ବିରୋଧ ଜାରି ରହିବ। ଏହାସହ ମଙ୍ଗଳବାର ସକାଳ ୮ଟାରୁ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ମନ୍ଦିର ସମ୍ମୁଖରେ ଧାରଣା ଦିଆଯିବ। ଏଥିରେ ସବୁ ସାହି ମୁରବି, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭ୍ୟ, ବିଭିନ୍ନ କ୍ଲବ ଓ ନିଯୋଗର ପ୍ରମୁଖମାନେ ସାମିଲ୍‌ ହେବେ ବୋଲି ନିଷ୍ପତ୍ତି ହୋଇଛି।

ନିଲାମଧାରୀଙ୍କ କ୍ୟାବିନ୍ ଭାଙ୍ଗିଲେ
ମନ୍ଦିର ସିଂହଦ୍ବାର ସମ୍ମୁଖରେ ଭାଙ୍ଗିବା ପରେ ଗାଡ଼ି ଷ୍ଟାଣ୍ଡ୍‌ ନେଇଥିବା ନିଲାମଧାରୀଙ୍କ କ୍ୟାମ୍ପସରେ ଥିବା ଏକ କ୍ୟାବିନ୍‌କୁ ଭାଙ୍ଗିବାକୁ ବୁଲଡୋଜର ଆସିଥିଲା। ତେବେ ନିଲାମଧାରୀ କର୍ମଚାରୀ ଷ୍ଟାଣ୍ଡ ମଧ୍ୟରୁ କ୍ୟାବିନ୍‌କୁ ନେଇ ଅନ୍ୟତ୍ର ଯିବା ବେଳେ ବୁଲ୍‌ଡୋଜର ତାଙ୍କୁ ଗୋଡ଼େଇ ଗୋଡ଼େଇ ଭାଙ୍ଗିଥିଲା। ସେହିପରି ଚପଲ ଷ୍ଟାଣ୍ଡର ଏକ କ୍ୟାବିନ୍‌କୁ ମଧ୍ୟ ଭଙ୍ଗା ଯାଇଥିଲା। ନିଲାମଧାରୀଙ୍କ କ୍ୟାବିନ୍‌ ଭାଙ୍ଗିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ମନ୍ଦିର ପ୍ରଶାସନ ଅନୁମତି ନେଇ ମନ୍ଦିର ପ୍ରଶାସନକୁ ବାର୍ଷିକ ଟଙ୍କା ଦାଖଲ କରି ଏହି କ୍ୟାବିନ୍‌ ପଡ଼ିଥିଲା। କିନ୍ତୁ ପ୍ରଶାସନ ଆଜି ଏହାକୁ ଭାଙ୍ଗିଲା।

ଚଉତରା ବି ଭାଙ୍ଗିଦେଲେ
ରଥଖଳାସ୍ଥିତ ବରଗଛ ମୂଳରେ ଥିବା ଏକ ଚଉତାରକୁ ଭାଙ୍ଗି ଦିଆଯାଇଥିଲା। ସେଠାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ୫୦ହଜାର ଟଙ୍କା ଅନୁଦାନରେ ଏହି ଚଉତରା ତିଆରି ହୋଇଥିଲା। ରାସ୍ତାରେ ଯାଉଥିବା ତୀର୍ଥଯାତ୍ରୀ, ରଥ ତିଆରି ବେଳେ ମହାରଣାମାନେ ଏହି ଗଛ ମୂଳରେ ଆଶ୍ରୟ ନେଇଥାନ୍ତି।

ଥଇଥାନ ପାଇଁ ପଦକ୍ଷେପ ନିଆଯିବ: ମନ୍ତ୍ରୀ
ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଏକାମ୍ର କ୍ଷେତ୍ରକୁ ବିଶ୍ବସ୍ତରରେ ପରିଚିତ କରିବା ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ପାରିପାର୍ଶ୍ବିକ ‌େସୗନ୍ଦର୍ଯ୍ୟକରଣ ତାହାର ଏକ ଅଂଶବିଶେଷ। ଏଥିରେ ଐତିହ୍ୟ, ସଂସ୍କୃତି ସୁରକ୍ଷା‌ ସହିତ ଲୋକଙ୍କ ସ୍ବାର୍ଥକୁ ବି ପ୍ରାଥମିକତା ଦିଆଯିବ। ଲୋକଙ୍କ ଜୀବନ, ଜୀବିକାକୁ ଗୁରୁତ୍ବ ଦିଆଯାଉଛି। ଏଠାରୁ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର