ଭୁବନେଶ୍ବର: କେତେବେଳେ ୨୬ ବର୍ଷ ଧରି ଗାଦି ମାଡ଼ି ବସିବା, ସରକାରଙ୍କ ଆଦେଶ ନ ମାନିବା ଗୋଟିଏ ରାସ୍ତାରେ ଏକାଧିକ ବାର ଅର୍ଥ ଖର୍ଚ୍ଚ ଦର୍ଶାଇ ଅର୍ଥ ଲୁଟ୍‌ କରିବା ଭଳି ଘଟଣାରେ ଚର୍ଚ୍ଚାରେ ଥିବା ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ବିଭାଜନ-୧ ପୁଣି ଥରେ ବିବାଦକୁ ଆସିଛି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟରୁ କୋଠା ମରାମତି ପାଇଁ ଆସିଥିବା ପ୍ରାୟ ୪ କୋଟି ଟଙ୍କା ଟେଣ୍ଡର ନ କରି ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେଲେ ଟେଣ୍ଡର ଡାକିବା ନିୟମ ରହିଛି। କିନ୍ତୁ ଟେଣ୍ଡର ନ କରି କାହା ସ୍ବାର୍ଥରେ ବିନା ଟେଣ୍ଡରରେ (ସ୍ପିଟ୍‌-ଅପ୍‌)ଖର୍ଚ୍ଚ କଲେ ପ୍ରଶ୍ନ ଉଠିଛି। ପୂର୍ବରୁ କୋଟି କୋଟି ଟଙ୍କା ଏଭଳି ବାଣ୍ଟିଥିବା ନଜିର ରହିଛି। ତେବେ କେବଳ ଏତିକି ନୁହେଁ, ବରଂ ଠିକାଦାର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଘଟଣାକୁ ଡିଭିଜନ୍‌ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତ୍ରିନାଥ ବେହେରା ଚାପି ଦେଇଛନ୍ତି। ସମ୍ପୃକ୍ତ ଠିକାଦାରଙ୍କୁ ଡାକି ଆପୋଷ ବୁଝାମଣା କରାଇଛନ୍ତି। ପ୍ରତ୍ୟେକ କାର୍ଯ୍ୟାଳୟରେ ଇଣ୍ଟରନାଲ୍‌ କମ୍ପ୍ଲେଣ୍ଟ କମିଟି ଅସଦାଚରଣର ଶିକାର କର୍ମଜୀବୀ ମହିଳାମାନଙ୍କ ନ୍ୟାୟ ଦେବା ପାଇଁ ରହିଛି। କିନ୍ତୁ ଶ୍ରୀ ବେହେରା ଏହି କମିଟିକୁ ଉପେକ୍ଷା କରି ବୁଝାମଣା କରିଛନ୍ତି। 

Advertisment

ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା ରଫାଦଫା

ତଥ୍ୟ ମୁତାବକ, ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଅଧୀନାରେ ଥିବା କାର୍ଯ୍ୟାଳୟ ଓ କ୍ବାର୍ଟର୍ସ ମରାମତି ପାଇଁ ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ବିଭାଜନ-୧ କୁ ୩କୋଟି ୮୦ ଲକ୍ଷ ୪୪ ହଜାର ୬୦୮ ଟଙ୍କା ପ୍ରଦାନ କରିଥିଲେ। ନିୟମ କହୁଛି ୫ ଲକ୍ଷରୁ ଊର୍ଦ୍ଧ୍ବ ହେଲେ ଟେଣ୍ଡର ହେବା କଥା। କିନ୍ତୁ ଏହି ଅର୍ଥକୁ ଡିଭିଜନ୍‌ ୮୫ଟି କାମରେ ଭାଗ ଭାଗ କରିଥିଲା। ଗୋଟିଏ ‌ଗୋଟିଏ କାମରେ ୭ଲକ୍ଷରୁ ୪୧ ଲକ୍ଷ ପର୍ଯ୍ୟନ୍ତ ଅଟକଳ ଥିଲା। କେଉଁଠି ସିଲିଂ ମରାମତି ତ କେଉଁଠି କାଠ ଚଟାଣ ପ୍ରସ୍ତୁତି। ଏଭଳି ୮୫ଟି କାମକୁ କିଛି ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ତେବେ କେବଳ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ନୁହେଁ, ବରଂ ଶିକ୍ଷା, ସଂସ୍କୃତି, ସୂଚନା ଲୋକ ସମ୍ପର୍କ ପ୍ରଭୃତି ବିଭାଗରୁ ମରାମତି ପାଇଁ ଆସିଥିବା ଅର୍ଥକୁ ଏଭଳି ହରିଲୁଟ୍‌ କରାଯାଇଛି। ସରକାରୀ ନିର୍ଦ୍ଦେଶନାମାକୁ ଦଳିମକଚି ଦାୟିତ୍ବରେ ଥିବା ଅଧିକାରୀ ହରିଲୁଟ୍‌ ଯୋଜନା କରିଛନ୍ତି। 

ଅନ୍ୟପଟେ ଗତମାସରେ ଜଣେ ଠିକାଦାର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିଲେ। ବିଲ୍‌ ପାସ୍‌ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ଠିକାଦାର ସମ୍ପୃକ୍ତ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ସେଥିରେ ଘୋଟାଲା ଥିବା ଆଶଙ୍କା କରି ସମ୍ପୃକ୍ତ ମହିଳା କର୍ମଚାରୀ ଠିକାଦାରଙ୍କ କଥାରେ ରାଜି ହୋଇ ନଥିଲେ। ଏଣୁ ସମ୍ପୃକ୍ତ ଠିକାଦାର ରାଗି ଯାଇ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଖବର ପାଇ ମଧ୍ୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତ୍ରିନାଥ ବେହେରା ଅଫିସ୍‌ ନ ଆସିବାରୁ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଧାରଣା ଦେଇଥିଲେ। ମହିଳା କର୍ମଚାରୀ ଅଭିଯୋଗପତ୍ର ଲେଖିଥିଲେ ମଧ୍ୟ ଶ୍ରୀ ବେହେରା ଠିକାଦାରଙ୍କୁ ଡାକି ଚାପ ପକାଇବା ସହ ଘଟଣାର ଆପୋଷ ସମାଧାନ କରିଥିଲେ। ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ବିଭାଗୀୟ ମୁଖ୍ୟ ରିପୋର୍ଟ ତଲବ ମଧ୍ୟ କରିନଥିଲେ।