ଡାକ କର୍ମଚାରୀଙ୍କ ମନମାନି: ତଣ୍ଡ ଗଣୁଛନ୍ତି ଗାଡ଼ି ମାଲିକ

ପୋଷ୍ଟ ଅଫିସ୍‌ରୁ ଫେରି ଆର୍‌ଟିଓରେ ଗଦା ହେଉଛି ହଜାର ହଜାର ଆର୍‌ସି ବୁକ୍‌

‘ଆଡ୍ରେସ୍‌ ନଟ୍‌ ଫାଉଣ୍ଡ’ ଲେଖି ଫେରାଇ ଦେଉଛନ୍ତି

ଭୁବନେଶ୍ୱର : ଦିନ ଥିଲା ଡାକ ପିଅନକୁ ଦେଖିଲେ ମନରେ ଉତ୍କଣ୍ଠା ବଢ଼ି ଯାଉଥିଲା। କେଉଁ ଆତ୍ମୀୟର ଚିଠି ଆସିଲା କି? କେଉଁଠୁ ନିଯୁକ୍ତିପତ୍ର ଆସିଲା କି? କିଏ ଟଙ୍କା ପଠାଇଲା କି? ଏମିତି କେତେ କ’ଣ। ହେଲେ ସେ ସମୟ ଆଉ ନାହିଁ। ଯୁଗ ଡିଜିଟାଲ ହେବା ସହିତ ଡାକ ବିଭାଗ ଉପରୁ ନିର୍ଭରଶୀଳତା କମି ଯାଇଛି। ହେଲେ କେତେକ ସରକାରୀ ବ୍ୟବସ୍ଥାରେ ଡାକ ବିଭାଗକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ କାର୍ଯ୍ୟ ହେଉଛି, ଆର୍‌ଟିଓରୁ ଜାରି ହେଉଥିବା ଗାଡ଼ି ରେଜି‌‌ଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (ଆର୍‌ସି ବୁକ୍‌)କୁ ଗାଡ଼ି ମାଲିକଙ୍କ ଘରେ ପହଞ୍ଚାଇବା। ଆର୍‌ଟିଓ ଅଫିସ୍‌ରୁ ତାହା ଡାକ ଯୋଗେ ମାଲିକଙ୍କ ଘରକୁ ଯାଏ। କିନ୍ତୁ ଏହି ପ୍ରକ୍ରିୟାରେ ଏକ ବଡ଼ ଅବ୍ୟବସ୍ଥା ‘ସମ୍ବାଦ’ ଅନୁସନ୍ଧାନ ବେଳେ ପଦାକୁ ଆସିଛି।

ଆର୍‌ଟିଓରୁ ଡାକରେ ଆର୍‌ସି ବୁକ୍‌ ଯାଉଛି। ହେଲେ ସ୍ଥାନୀୟ ପୋଷ୍ଟ ଅଫିସ୍‌ ଏହାକୁ ଗାଡ଼ି ମାଲିକଙ୍କୁ ଡେଲିଭରି ନ କରି ପୁଣି ଆର୍‌ଟିଓ ଅଫିସ୍‌କୁ ଫେରାଇ ଦେଉଛି। ଏଭଳି ହଜାର ହଜାର ଆର୍‌ସି ବୁକ୍‌ ଡେଲିଭରି ନ ହୋଇ ଆର୍‌ଟିଓରେ ଗଦା ହୋଇଛି। ଏପଟେ ଏହି ଆର୍‌ସି ବୁକ୍‌ ଡାକରେ ଯିବା ପାଇଁ ପ୍ରଥମେ ୪୦ ଟଙ୍କା ଓ ଫେରିବା ପରେ ଦ୍ବିତୀୟଥର ଯିବା ପାଇଁ ଗାଡ଼ି ମାଲିକଙ୍କୁ ୨୧ଟଙ୍କା ଦେୟ ଦେବାକୁ ପଡ଼ୁଛି। କିଛି ଗ୍ରାହକ ୫ଥରରୁ ଊର୍ଧ୍ବ ଟଙ୍କା ପଇଠ କରିଥିବା ମଧ୍ୟ ଅନୁସନ୍ଧାନ ବେଳେ ଜଣାପଡ଼ିଛି।

ମାସକୁ ଗୋଟିଏ ଆର୍‌ଟିଓରେ ୫ଶହରୁ ଊର୍ଦ୍ଧ୍ବ ଆର୍‌ସି ବୁକ୍‌ ଫେରି ଆସୁଛି। ଅର୍ଥାତ୍‌ ମାସକୁ ଗୋଟିଏ ଆର୍‌ଟିଓରୁ ଡାକ ବିଭାଗ ପ୍ରାୟ ୨୦ ହଜାର ଟଙ୍କା ଆଦାୟ କରୁଛି। ଭୁବନେଶ୍ବରରେ ଦୁଇଟି ଆର୍‌ଟିଓ ରହିଛି। ଦୁଇଟି ଆର୍‌ଟିଓକୁ ଡାକ ବିଭାଗରୁ ହଜାରେ ଆର୍‌ସି ବୁକ୍‌ ଏକାଧିକବାର ଫେରୁଛି। ଉଭୟ ତଥ୍ୟକୁ ହିସାବକୁ ନେଲେ କେବଳ ଭୁବନେଶ୍ବରରୁ ଡାକ ବିଭାଗ ଦେୟ ବାବଦକୁ ୫୦ ହଜାରରୁ ଅଧିକ ଟଙ୍କା ଆଦାୟ କରୁଛି। ଏଣୁ ଡେଲିଭରି ନ ଦେବା ଏକ ଷଡ଼୍‌ଯନ୍ତ୍ର ବୋଲି ଆଶଙ୍କା ପ୍ରକାଶ ପାଇଛି। ଗୋଟିଏ ପଟେ ଗାଡ଼ି ମାଲିକ ଆର୍‌ସି ବୁକ୍‌ ନ ପାଇ ଏକାଧିକବାର ତଣ୍ଡ ଗଣୁଛି। ଅନ୍ୟପଟେ ଯାଞ୍ଚ ବେ‌ଳେ ଧରାପଡ଼ିଲେ ଆର୍‌ସି ବୁକ୍‌ ନଥିବାରୁ ଜରିମାନା ମଧ୍ୟ ଦେଉଛି। ଭୁଲ ନଥାଇ ଉଭୟପଟେ ଗାଡ଼ି ମାଲିକ ଦଣ୍ଡିତ ହେଉଛି।

ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଓସ୍କାର ସିଟିର ଗୀତାଞ୍ଜଳି ମହାରଥୀଙ୍କ ଅଭିଯୋଗ ମୁତାବକ, ଗତ ମାର୍ଚ୍ଚ ମାସରେ ସେ ଗାଡ଼ି କିଣିଥିଲେ। ଏପ୍ରିଲରେ ଆର୍‌ଟିଓ-୧ ଗାଡ଼ିର ଆର୍‌ସି ବୁକ୍‌ ତାଙ୍କ ଠିକଣାରେ ପଠାଇଥିଲେ। ୧୯ ତାରିଖରେ ବୁଦ୍ଧେଶ୍ବରୀ କଲୋନିରେ ଥିବା ସହିଦନଗର ପୋଷ୍ଟ ଅଫିସ୍‌ ଏହା ପାଇଥିଲା। କିନ୍ତୁ ମେ’ ୬ ତାରିଖରେ ‘ଆଡ୍ରେସ୍‌ ନଟ୍‌ ଫାଉଣ୍ଡ’ ଲେଖି ଫେରାଇ ଦେଇଥିଲା। ଗୀତାଞ୍ଜଳି ପୋଷ୍ଟ ଅଫିସ୍‌ ସହ ଯୋଗାଯୋଗ କରି ଜାଣିବାକୁ ପାଇଥିଲେ ଯେ ତାଙ୍କ ଆର୍‌ସି ବୁକ୍‌ ଆର୍‌ଟିଓକୁ ଫେରି ଯାଇଛି। ଯେଉଁ ଠିକଣାରେ ପୂର୍ବରୁ ଏକାଧିକ ଚିଠି ଆସିଛି, ସେ ଠିକଣାରୁ କିଭଳି ଫେରିଗଲା ସେଥିପାଇଁ ସେ ଆର୍‌ଟିଓରେ ଯୋଗାଯୋଗ କଲେ। ସେଠାରୁ ଜାଣିଲେ ଯେ ଠିକଣା ଠିକ୍‌ ଅଛି କିନ୍ତୁ ପୋଷ୍ଟ ଅଫିସ ଫେରାଇ ଦେଇଛି। ଆଉ ୨୧ ଟଙ୍କା ଜମା କଲେ, ପୁଣି ଡାକରେ ଯିବ। ନ ହେଲେ ସେମିତି ପଡ଼ି ରହିବ। ଏଣୁ ସେ ପୁଣି ୨୧ଟଙ୍କା ଜମା କରିଥିଲେ। ଏଭଳି ଅବ୍ୟବସ୍ଥାକୁ ନେଇ ସେ ଭୁବନେଶ୍ବର ଡାକ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

ବଡ଼ କଥା ହେଲା, ଆର୍‌ଟିଓରୁ ଆର୍‌ସି ବୁକ୍‌ ପୋଷ୍ଟ ଅଫିସ୍‌କୁ ଯିବା ବେଳେ ଏକ ମେସେଜ୍‌ ଆର୍‌ଟିଓରୁ ଗାଡ଼ି ମାଲିକ ପାଖକୁ ଆସୁଛି। କିନ୍ତୁ ପୋଷ୍ଟ ଅଫିସ୍‌ରୁ ଆର୍‌ଟିଓକୁ ଫେରି ଆସିଲେ, ସେ ସଂପର୍କିତ କୌଣସି ସୂଚନା ଗାଡ଼ି ମାଲିକ ପାଉନାହିଁ। ଏ ସୂଚନା ମିଳିଲେ ଅନ୍ତତଃ ଗାଡ଼ି ମାଲିକ ନିଜେ ପୋଷ୍ଟ ଅଫିସ୍‌ରୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଆର୍‌ସି ବୁକ୍‌ ଗ୍ରହଣ କରିପାରନ୍ତା ବୋଲି ଗୀତାଞ୍ଜଳି କହିଛନ୍ତି।

ଏ ନେଇ ଆମେ ଭୁବନେଶ୍ବର ମୁଖ୍ୟାଳୟ ଅତିରିକ୍ତ ଡାକ ଅଧୀକ୍ଷକ ଦେବଦତ୍ତ ଜେନାଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି, ଏଭଳି ଅଭିଯୋଗ ଆମର ହସ୍ତଗତ ହୋଇଛି। କିନ୍ତୁ ପୂର୍ବରୁ ଏଭଳି ଅଭିଯୋଗ ନଥିବାରୁ ଆମ ପାଖରେ ଖବର ନଥିଲା। ଅନେକ ସମୟରେ ଠିକଣା ଭୁଲ ଥିବାରୁ ଚିଠି ଫେରି ଯାଏ। କିନ୍ତୁ ଏତେସଂଖ୍ୟାରେ ଫେରିବା ଓ ଯେଉଁ ଠିକଣାରେ ପୂର୍ବରୁ ଚିଠି ଆସିଛି ସେ ଠିକଣାରୁ ଫେରିବା ଆଦୌ ଗ୍ରହଣୀୟ ନୁହେଁ। ଏହି ଅଭିଯୋଗର ଆମେ ତଦନ୍ତ କରିବୁ। ତ୍ରୁଟି ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର