ପହଞ୍ଚିଲା ଆର୍‌ସିବୁକ୍‌: ସେଇ ପୋଷ୍ଟମ୍ୟାନ୍‌, ସେଇ ଠିକଣା

‘ଆଡ୍ରେସ୍‌ ନଟ୍‌-ଫାଉଣ୍ଡ’ ଲେଖି ଡାକ ଫେରିଯିବା ଘଟଣା, ଆଉ ଫେରୁନି: ଆର୍‌ଟିଓ

ଭୁବନେଶ୍ବର: ‘ଆଡ୍ରେସ୍‌ ନଟ୍‌-ଫାଉଣ୍ଡ’ ଲେଖି ଡାକ ବିଭାଗ କିଛି ଦିନ ତଳେ ଯେଉଁ ରେଜି‌‌ଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (ଆର୍‌ସିବୁକ୍‌) ଆର୍‌ଟିଓକୁ ଫେରାଇ ଦେଇଥିଲା, ଆଜି ସେଇ ଠିକଣାରେ ଡେଲିଭରି ହୋଇଛି। ଖାଲି ସେତିକି ନୁହେଁ, ଯେଉଁ ପୋଷ୍ଟମ୍ୟାନ୍‌ ‘ଆଡ୍ରେସ୍‌ ନଟ୍‌-ଫାଉଣ୍ଡ’ର ମୋହର ମାରିଥିଲେ, ସେ ହିଁ ଆଜି ଉକ୍ତ ପୋଷ୍ଟକୁ ଡେଲିଭରି ଦେଇଛନ୍ତି। ତେଣୁ ଠିକଣାରେ କୌଣସି ତ୍ରୁଟି ନଥିଲା, ଡାକ କର୍ମଚାରୀ ଜାଣି ଜାଣି ଚିଠି ଫେରାଇ ଦେଇଥିଲେ ବୋଲି ଏଥିରୁ ପ୍ରମାଣିତ ହୋଇଛି। କିଛି ଡାକ କର୍ମଚାରୀ ଆର୍‌ସିବୁକ୍‌ ଗାଡ଼ି ମାଲିକ ପାଖରେ ନ ପହଞ୍ଚାଇ ଠିକଣା ଭୁଲ୍‌ ଲେଖି ତାହାକୁ ଆର୍‌ଟିଓ କାର୍ଯ୍ୟାଳୟକୁ ଫେରାଇ ଦେଉଛନ୍ତି। ଫଳରେ ଆର୍‌ଟିଓରେ ଶହଶହ ଆର୍‌ସିବୁକ୍‌ ଗଦା ହୋଇ ରହୁଛି। ଅପରପକ୍ଷେ ଆଉ ଥରେ ଡାକ ଯୋଗେ ଆର୍‌ସିବୁକ୍‌ ପଠାଇବା ପାଇଁ ଗାଡ଼ି ମାଲିକ ଆର୍‌ଟିଓରେ ତଣ୍ଡ ଗଣୁଛି।

ଏ ସଂପର୍କିତ ଅନୁସନ୍ଧାନ ରିପୋର୍ଟ ‘ସମ୍ବାଦ’‌ରେ ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଥିଲା। କେଉଁ ପରିସ୍ଥିତିରେ ଚିଠି ଫେରି ଯାଇଥିଲା, କିଏ ଏଥିପାଇଁ ଦାୟୀ? ଡାକ ବିଭାଗ ତଦନ୍ତ କରିଥିଲା। କିନ୍ତୁ ଘଟଣାକୁ ୧୦ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଅଭିଯୁକ୍ତ କର୍ମଚାରୀଙ୍କୁ ତଦନ୍ତକାରୀ ଅଧିକାରୀ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ହେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ସଂପର୍କରେ ଅତିରିକ୍ତ ଡାକ ଅଧୀକ୍ଷକ ଦେବବ୍ରତ ଜେନା କହିଛନ୍ତି ଯେ ତଦନ୍ତ ସରିଛି, ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପଟେ ଡାକ ନିର୍ଦ୍ଦେଶକ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତତ୍ପର ହୋଇଛନ୍ତି। ଅଭିଯୋଗ ହେବା ପରେ ଆରଟିଓକୁ ଆଉ ଗୋଟିଏ ହେଲେ ଆରସିବୁକ୍‌ ଫେରିନଥିବା ଜଣାପଡ଼ିଛି। ପୋଷ୍ଟମ୍ୟାନ୍‌ ପଚାରି ପଚାରି ଠିକଣାରେ ପହଞ୍ଚି ଚିଠି ଦେଉଥିବା ଦେଖାଯାଇଛି। ଚିଠି ଫେରୁନଥିବାରୁ ଗାଡ଼ି ମାଲିକଙ୍କୁ ଅତିରିକ୍ତ ଜରିମାନା ଦେବାକୁ ପଡ଼ୁ ନାହିଁ। ଏଣୁ ଗାଡ଼ି ମାଲିକ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଆର୍‌ଟିଓକୁ ବାରମ୍ବାର ଆର୍‌ସିବୁକ୍‌ ଫେରୁଥିବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ ଆଉ ସମସ୍ୟା ନଥିବା ଆର୍‌ଟିଓ କହିଛନ୍ତି।

ସମ୍ବନ୍ଧିତ ଖବର