ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ଫଳ : ପାସ୍‌ହାର ୮୯.୭୭%, ସୌରଞ୍ଜିତା ଟପର୍‌, ୯୦%ରୁ ଅଧିକ ନମ୍ବର ରଖିଲେ ୪ ଛାତ୍ରୀ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ୱବିଦ୍ୟଳୟର ପ୍ରଥମ ଯୁକ୍ତ୩ ବ୍ୟାଚ୍‌ ତଥା ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌)ରେ ପରୀକ୍ଷା ଦେଇଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରୀଙ୍କ  ପାସ୍‌ହାର ୮୯.୭୭% ରହିଛି। ଗତଥର ପାସ୍‌ହାର ୮୭.୫୧% ଥିଲା। କଳା ବିଭାଗରେ ସର୍ବାଧିକ ପାସ୍‌ହାର ୯୦.୮୨% ରହିଥିବା ବେଳେ ବାଣିଜ୍ୟରେ ୮୯.୭୫% ଓ ବିଜ୍ଞାନରେ ୮୫.୮୩% ହୋଇଛି। ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ବିଷୟ ଛାତ୍ରୀ ସୌରଞ୍ଜିତା ମାଝୀ ସର୍ବାଧିକ ନମ୍ବର ରଖି ଯୁକ୍ତ୩ରେ ବିଶ୍ୱବିଦ୍ୟାଳୟ ଟପର୍‌ ହୋଇଛନ୍ତି।  ସେ ୩ ବର୍ଷରେ ମୋଟ ୨୪୦୦ ନମ୍ବରରୁ ୨୧୫୦ ନମ୍ବର ରଖି ଶେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।  କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ୧୯ଟି ବିଷୟ ମଧ୍ୟରୁ ୩ଟିରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଇଂରାଜୀ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀ ପାସ୍‌ କରିଛନ୍ତି।

କଳା ବିଭାଗରେ ମୋଟ ୪୫୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦୬ ଜଣ ପାସ୍‌ କରିଛନ୍ତି। ୩ ଜଣ କପି କରି ଏମ୍‌ପି ଓ ୭ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୨୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୦୩ ଜଣ ପାସ୍‌, ୨ ଜଣ ଏମ୍‌ପି ଓ ୬ ଜଣ ଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୧୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୮୪ ଜଣ ପାସ୍‌ କରିଛନ୍ତି। ୬ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି।

ରସାୟନ ବିଜ୍ଞାନ ବିଷୟରେ ଦୁଇ ଜଣ, କମ୍ପ୍ୟୁଟର୍‌ ସାଇନ୍ସ ଓ ଜୀବ ବିଜ୍ଞାନ ବିଷୟରେ ଜଣେ ଲେଖାଏ ଛାତ୍ରୀ ଡିଷ୍ଟିଂସନ୍‌ ସହ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୮୦ରୁ ୮୯% ମଧ୍ୟରେ ୪୨ ଜଣ ଛାତ୍ରୀ ଥିବା ବେଳେ ୧୩୫ ଜଣ ଡିଷ୍ଟିଙ୍ଗସନ୍‌ ସହ ୭୦ରୁ ୭୯% ମାର୍କ ପାଇଛନ୍ତି। ୩୭ ଜଣ ୭୦ରୁ ୭୯% ମାର୍କ ରଖିଛନ୍ତି। ଡିଷ୍ଟିଙ୍ଗସନ ସହ ୬୦ରୁ ୬୯% ନମ୍ବର ଛାତ୍ରୀଙ୍କ ସଂଖ୍ୟା ୧୪୧ ରହିଛି। କେବଳ ୬୦ରୁ ୬୯% ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୯୪ ଥିବା ବେଳେ ୫୮ ଜଣ ୪୫%ରୁ ଅଧିକ ନମ୍ବର ରଖିବା ସହ ଡିଷ୍ଟିଙ୍ଗସନ୍‌ ପାଇଛନ୍ତି। ୧୬୯ ଜଣ ଛାତ୍ରୀ ୪୫%ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି। ୭ ଜଣ ଛାତ୍ରୀ ବିନା ଅନର୍ସରେ ପାସ୍‌ କରିଛନ୍ତି। ମୋଟ ୭୯୬ ଜଣ ପରୀକ୍ଷା ଦେଇଥିବା ବେଳେ ୬୯୩ ଜଣ ପାସ୍‌ କରିଛନ୍ତି। ୧୯ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି। ୫ ଜଣ ଏମ୍‌ପି ହୋଇଛନ୍ତି। ପାସ୍‌ହାର ୮୯.୭୭% ହୋଇଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଅନ୍ୟ ମହିଳା କଲେଜଗୁଡ଼ିକର ଯୁକ୍ତ୩ ପରୀକ୍ଷା ଫଳ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର