ରମାଦେବୀ ବିଶ୍ବବିଦ୍ୟାଳୟରେ ପାଳନ ହେଉନି ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ : ସବୁ କର୍ମଚାରୀଙ୍କୁ ଡାକିଲେ କୁଳସଚିବ

ଭୁବନେଶ୍ବର : ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବିଶ୍ବବିଦ୍ୟାଳୟ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗତକାଲି ନି‌ର୍ଦେଶ ଦେଇଥିଲେ। ତେବେ କିଛି ଘଣ୍ଟା ବିତିଛି କି ନାହିଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳସଚିବଙ୍କ ଦ୍ବାରା ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତିକୁ ନେଇ ଆଜି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟକୁ ନିୟମିତ ଭାବେ ଆସିବା ପାଇଁ ୧୩ଜଣ ଅଧିକାରୀଙ୍କ ନାମ ‌ତାଲିକା ପ୍ରକାଶ କରାଯାଇଛି। ଏଥିସହ ସେମାନଙ୍କ ସେସ୍କନ ଓ ବିଭାଗର କର୍ମଚାରୀମା‌ନେ ମଧ୍ୟ ବିଶ୍ବବିଦ୍ୟାଳୟ ଆସିବା ଲାଗି ବିଜ୍ଞପ୍ତିରେ କୁହାଯାଇଛି। ଯଦି ସମସ୍ତ କର୍ମଚାରୀ ଆସିବେ, ବିଶ୍ବବିଦ୍ୟାଳୟର କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ଟପିଯିବ ବୋଲି ଅଭିଯୋଗ ହୋଇଛି।

କୁଳସଚିବ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ୨ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଓ ୬ ତାରିଖରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମେ’ ୧୭ ତଥା ଲକ୍‌ଡାଉନ୍‌ ଶେଷ ପର୍ଯ୍ୟନ୍ତ ଏକାଡେମିକ ଓ ପ୍ରାଶାସନିକ କାର୍ଯ୍ୟ ଜାରି ରହିବ। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ସରିତା ସୂପକାର, କୁଳସଚିବ ଶ୍ୟାମଳୀ ମହାପାତ୍ର, ଉପକୁଳସଚିବ ନିରଞ୍ଜନ ଆଚାର୍ଯ୍ୟ, ବିତ୍ତ ନିୟନ୍ତ୍ରକ ନାରାୟଣ ସେଠୀ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଚଣ୍ଡି ପ୍ରସାଦ ରଥ, ଉପ ପରୀକ୍ଷା ନିୟନ୍ତ୍ରକ ସେବତୀ ମିଶ୍ର, ମମତା ମହାନ୍ତି, ସଞ୍ଜୟ କୁମାର ରାଉଳ, ସିଡିସି ନିର୍ଦେଶିକା ପ୍ରଫେସର ସସ୍ମିତା‌ ମହାନ୍ତି, ଏନ୍‌ଏସ୍‌ଏସ୍‌ ସଂଯୋଜକ ଅଲିଭା ମହାନ୍ତି, ଇ-ଲର୍ଣ୍ଣିଂ ସେଣ୍ଟରର ଓଆଇସି ଛବିରାଣୀ ପାଣିଗ୍ରାହୀ, ୟୁଜିସିର ଦେବବାଳା ସ୍ବାଇଁ, ରୁଷାର ଓଆଇସି ଶକ୍ତିକାନ୍ତ ରଥ ପ୍ରମୁଖ କାର୍ଯ୍ୟାଳୟ ଆସିବେ। ଏମାନଙ୍କ ସହ ଜଡ଼ିତ ହୋଇଥିବା ସେକ୍ସନ ଓ ବିଭାଗର କର୍ମଚାରୀମାନେ ମଧ୍ୟ ଆସିବାକୁ କୁହାଯାଇଛି। କାର୍ଯ୍ୟାଳୟକୁ ଆସିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତ୍ବ ୨ ମିଟର ରଖିବାକୁ ହେବ। କ୍ୟାମ୍ପସ ଭିତରେ ପାନ, ଗୁଟ୍‌ଖା, ସିଗାରେଟ୍‌ ଓ ମଦ୍ୟପାନ ଉପରେ କଟକଣା ଲାଗୁ ହୋଇଛି। ଅଭିଯୋଗ ନେଇ ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ନ ଥିଲା।

ସମ୍ବନ୍ଧିତ ଖବର