ହଷ୍ଟେଲ ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ହଟାଇବାକୁ ଦାବି, ଧାରଣାରେ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ

ଭୁବ‌ନେଶ୍ବର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଆଜି ଉଗ୍ରରୂପ ନେଇଛି। ଇନ୍ଦିରା ଗାନ୍ଧୀ ଛାତ୍ରୀନିବାସର ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂତନ ନିଯୁକ୍ତ କରିବା ଦାବିରେ ଛାତ୍ରୀନିବାସର ଛାତ୍ରୀମାନେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ହଷ୍ଟେଲର ସହକାରୀ ଅଧୀକ୍ଷକ ବିଶ୍ବମୋହିନୀ ପତି ଅନ୍ତେବାସୀମାନଙ୍କୁ ବାହାରକୁ ଛାଡ଼ୁ ନାହାନ୍ତି। ଔଷଧ କିଣିବାକୁ ଯିବା ଲାଗି ଆପ୍ଲିକେସନ ମାଗୁଛନ୍ତି। ଅଭିଭାବକମାନେ ଦେଖା କରିବାକୁ ଆସିଲେ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଲୋକଙ୍କ ସହିତ କଥାବାର୍ତ୍ତା କରାଇ ଦେଉନାହାନ୍ତି। ଟିକେ ଟିକେ କଥାରେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଉଛନ୍ତି। ହଷ୍ଟେଲରେ ଏକପ୍ରକାର ହିଟଲର୍‌ ଶାସନ ଚଲାଇଛନ୍ତି। ତାହାକୁ ବରଦାସ୍ତ କରାଯିବ ନାହଁ। ଜୋରଦାର ଆନ୍ଦୋଳନ କରାଯିବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଧାରଣା ପରେ ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟ ଡ. ମୁକ୍ତାମୟୀ କୁମ୍ଭାର ଛାତ୍ରୀଙ୍କୁ ବୁଝାସୁଝା କରିବା ସହ ନୂତନ ନିୟମ ପ୍ରଣୟନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଆନ୍ଦୋଳନରୁ ହଟିଥିଲେ।

ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ସେ କହିଛନ୍ତି ଯେ ଛାତ୍ରୀମାନେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସେମାନଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି। କିଛି ଦିନ ପୂର୍ବରୁ ହଷ୍ଟେଲରେ ଏକ ଦୁର୍ଘଟଣା ହେବା ପରେ ନିୟମକୁ କଡ଼ା କରାଯାଇଛି। ଯାହାକି ଛାତ୍ରୀଙ୍କ ଅଶାନ୍ତିର କାରଣ। ଯେତେ ହେଲେ ବି ଆମେ ଆଇନକୁ ମାନିବାକୁ ବାଧ୍ୟ। ହଷ୍ଟେଲରେ ଯଦି କିଛି ଅଘଟଣ ଘଟେ, ତେବେ ସେଥିପାଇଁ ସମସ୍ତେ ମୋତେ ଦାୟୀ କରିବେ। ତେଣୁ ଅବଶ୍ୟକ ସ୍ଥଳେ ମୋତେ କଠୋର ହେବାକୁ ପଡୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର