ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଚୟନ ପ୍ରସଙ୍ଗ : ଘଡ଼ିକେ ଘୋଡ଼ା ଛୁଟୁଛି

ଜମି ଚିହ୍ନଟ କମିଟିରୁ ଉତ୍କଳ କୁଳପତି ବାଦ୍‌
ରମାଦେବୀ କୁଳପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି

ଭୁବନେଶ୍ୱର :ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। କେଉଁଠି ହେବ? କେତେ ଜମିରେ ହେବ? ମୁଖ୍ୟ କ୍ୟାମ୍ପସଠାରୁ କେତେ ଦୂରରେ ହେବ ଅନ୍ୟ ଏକ କ୍ୟାମ୍ପସ? ଏହାକୁ ନେଇ କୌଣସି ଠୋସ୍‌ ନିଷ୍ପତ୍ତି ନେଇପାରୁନି ଉଚ୍ଚଶିକ୍ଷା ବିଭାଗ। ସ୍ଥିତି ଏମିତି ହେଉଛି ଯେ ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ ଗୋଟିଏ କଥା କହିଲା ବେଳକୁ ବିଜ୍ଞପ୍ତିରେ ଆଉ ଗୋଟିଏ କଥା ପ୍ରକାଶ ପାଉଛି। ରମାଦେବୀ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ସମ୍ପ୍ରସାରିତ କ୍ୟାମ୍ପସ ଲାଗି ଜମି ଚୟନ କରିବା କଥା କହୁଥିବା ବେଳେ ଦ୍ୱିତୀୟ କ୍ୟାମ୍ପସ ଚୟନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ୨୦ ଦିନ ହେଲା କ୍ୟାମ୍ପସ ଚୟନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ଜମି ଚିହ୍ନଟ କମିଟିରୁ କମିଟିରୁ ବାଦ୍‌ ପଡ଼ିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି।

ଗତ ଜାନୁଆରି ୩୦ ତାରିଖରେ ଜମି ଚିହ୍ନଟ ଲାଗି ଗଠିତ ହୋଇଥିବା କମିଟିକୁ ପୁନର୍ଗଠିତ କରାଗଲା ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ଓ ପିଜି ବିଭାଗର ଇଷ୍ଟେଟ୍‌ ନିର୍ଦେଶକ, ଖୋର୍ଧା ଜିଲ୍ଲାପାଳ କମିଟିର ସଦସ୍ୟ ରହିଛନ୍ତି। ଏହି କମିଟି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ କରି ମାର୍ଚ୍ଚ ୧୫ ସୁଦ୍ଧା ରିପୋର୍ଟ ଦେବେ। ଯେତେବେଳେ ଆବଶ୍ୟକ ପଡ଼ିବ କମିଟିର ବୈଠକ ଡକିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବରୁ ଗଠିତ ହୋଇଥିବା କମିଟି ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦ ଏକର ଜମି ଚିହ୍ନଟ କରିବାକୁ କୁହାଯାଇଥିଲା। ଏବେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କେଉଁଠୁ କେତେ ଏକର ଜମି ଚିହ୍ନଟ କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଖୋର୍ଧା ଜିଲ୍ଲାପାଳ କମିଟିର ସଦସ୍ୟ ରହିଥିବାରୁ ଏହି ଜିଲ୍ଲାରେ ଜମି ଚିହ୍ନଟ ହେବା ଏକପ୍ରକାର ଥୟ। ଭୁବନେଶ୍ୱର ଭିତରେ ନା ବାହାରେ କ୍ୟାମ୍ପସ ହେବ ସେନେଇ ବି କୌଣସି ସୂଚନା ଦିଆଯାଇ ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କମିଟିରୁ ବାଦ୍‌ ପଡ଼ିଥିବାରୁ ଉତ୍କଳ କ୍ୟାମ୍ପସରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର