ବାରଙ୍ଗ: ବାତ୍ୟା ‘ଫନି’ରେ ଉଜୁଡ଼ିଥିବା ନନ୍ଦନକାନନର ଅବସ୍ଥା ସଜାଡ଼ି ହେବାରେ ଲାଗିଛି। ବାତ୍ୟା ପରଠାରୁ ଆଜକୁ ୨୪ ଦିନ ହେଲା ଲଗାତାର ଭାବେ ପରିସରର ରାସ୍ତାଘାଟ ଓ ଏଣେତେଣେ ପଡ଼ିଥିବା ଗଛ ସବୁ କାଟି ସଫା କରାଯାଉଛି। କ୍ଷତିଗ୍ରସ୍ତ ଜୀବଜନ୍ତୁ ଖୁଆଡ଼ ପରିସରର ସୌନ୍ଦର୍ଯ୍ୟକରଣ ମରାମତି କରି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି। ଜୀବଜନ୍ତୁଙ୍କୁ ଗ୍ରୀଷ୍ମ ପ୍ରକୋପରୁ ସୁରକ୍ଷା ଲାଗି କରାଯାଇଥିବା ନଡ଼ା, ବାଉଁଶ ଛପର ସବୁ ବାତ୍ୟାରେ ଉଡ଼ି ଯାଇଥିଲା। ବିଦ୍ୟୁତ୍ ସମସ୍ୟା ବାଧାପ୍ରାପ୍ତ ହେବା ହେତୁ ଏସି ଓ ଜଳଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଥିଲା। ଏବେ ଏଥିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଜୀବଜନ୍ତୁଙ୍କ ଲାଗି ପୁନଃ ଗ୍ରୀଷ୍ମ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ସବୁ ପକ୍ଷୀ, ହରିଣ, ସମ୍ବର, ମଣିପୁରୀ ହରିଣ, ବାରାଶିଙ୍ଗା, ବାଘ, ସିଂହ ଘରେ ନଡ଼ା ଓ ବାଉଁଶ ଛପର କରି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସବୁ ଜୀବଜନ୍ତୁ ଘରକୁ ଶୀତଳ ପାନୀୟ ଜଳ ଯୋଗାଣ କରାଯାଇଛି। ସିମ୍ପାଞ୍ଜି ଓ ଓରାଙ୍ଗଓଟାନ ଭଳି ଜୀବଙ୍କ ଘରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଯାଇ ଥଣ୍ତା ରଖାଯାଉଛି। ସେମାନଙ୍କୁ ଖାଦ୍ୟ ଆକାରରେ ତରଭୁଜ, କାକୁଡ଼ି ଖାଇବାକୁ ଦିଆଯାଉଛି। ପଇଡ଼ ପାଣି ମଧ୍ୟ ପିଇବାକୁ ଦିଆଯାଉଛି। ସେହିଭଳି ଶାକାହାରୀ ପକ୍ଷୀମାନଙ୍କୁ ଦୈନନ୍ଦିନ ସେଓ, ଅଙ୍ଗୁର, ପାଚିଲା ଅମୃତ ଭଣ୍ତା, ତରଭୁଜ ଓ କାକୁଡ଼ି ପ୍ରଭୃତି ଫଳ ଖାଦ୍ୟ ଆକାରରେ ଦିଆଯାଉଛି। ଆଗକୁ ଗ୍ରୀଷ୍ମ ପ୍ରକୋପ ଆହୁରି ବଢ଼ିବାକୁ ଥିବାରୁ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଗ୍ରୀଷ୍ମ ବ୍ୟବସ୍ଥା ପୁନଃ ଲାଗୁ କରିଛନ୍ତି। ନନ୍ଦନକାନନ ପରିସର ରାସ୍ତାରୁ ଓ ଜୀବଜନ୍ତୁ ଖୁଆଡ଼ ପାଖରୁ ପଡ଼ିଥିବା ଗଛ ସବୁ ହଟି ସାରିଛି। ହେଲେ ପରିସର ଓ ବିଭିନ୍ନ ସ୍ଥାନରେ ଏବେ ବି ଅନେକ ଜାଗାରେ ଗଛ ସବୁ ପଡ଼ିରହିଛି। ସେ ସବୁକୁ ହଟା ଚାଲିଛି। ସମ୍ପୂର୍ଣ୍ଣ ହଟାଇବା ପାଇଁ ଆହୁରି ମାସେ କାଳ ଲାଗିପାରେ ବୋଲି ଜଣେ କର୍ମଚାରୀ କହିଛନ୍ତି।
ସଜାଡ଼ି ହେଉଛି ଉଜୁଡ଼ା ନନ୍ଦନକାନନ, ଜୀବଜନ୍ତୁଙ୍କ ଲାଗି ଲାଗୁ ହେଲା ଗ୍ରୀଷ୍ମ ବ୍ୟବସ୍ଥା
/sambad/media/post_attachments/wp-content/uploads/2019/05/Untitled-19-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)