୨୮ରେ ବସିବ ଉଚ୍ଚସ୍ତରୀୟ ବୈଠକ
ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ
ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବାକୁ ଗେଲ୍କୁ ଚିଠି
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ରାଜ୍ୟ ସରକାର କରିଥିବା ଏକାମ୍ର କ୍ଷେତ୍ର ଐତିହ୍ୟ ଯୋଜନା ଏବେ ଅଧପନ୍ତରା ହୋଇପଡ଼ିଛି। ଯେତିକି ଜମି ଅଧିଗ୍ରହଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା, ତାହା ହୋଇପାରିନି। ଯେଉଁ ଯେଉଁ ପ୍ରକଳ୍ପ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା, ତାହା ବି ହୋଇନି। ହିତାଧିକାରୀଙ୍କୁ ଯେପରି କ୍ଷତିପୂରଣ ମିଳିବା କଥା, ସେମିତି ମିଳିନି। ତେଣୁ ଏହି ଯୋଜନା କେବେ ଚୂଡ଼ାନ୍ତ ରୂପ ପାଇବ, ସେନେଇ ଅନିଶ୍ଚିତତା ଦେଖାଦେଇଛି।
ଏକାମ୍ର କ୍ଷେତ୍ର ଐତିହ୍ୟ ଯୋଜନା ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ, ଏଠାକୁ ଆସୁଥିବା ଯାତ୍ରୀ, ଲୋକଙ୍କର ଯେପରି କୌଣସି ସମସ୍ୟା ନହେବ, କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ କିପରି ମୁକାବିଲା କରାଯିବ, ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କାମ ହେଲେ ଏହାକୁ ଯେପରି ନିକଟ ଭବିଷ୍ୟତରେ ଖୋଳାଯିବନି, ସେନେଇ ନିଷ୍ପତ୍ତି ହେବ। ଏନେଇ ଆସନ୍ତା ୨୮ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ।
ଏଥିରେ ଲିଙ୍ଗରାଜ ମନ୍ଦିର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ହେବାକୁ ଥିବା ଐତିହ୍ୟ କରିଡର୍ ଭିତରକୁ କିପରି ଲୋକମାନେ ଆସିବେ, କିପରି ଗାଡ଼ି ଯାତାୟାତ କରିବେ, କେଉଁ ପ୍ରକଳ୍ପ କେଉଁଠି ନିର୍ମାଣ ହେବ, କେଉଁ ରାସ୍ତା କିପରି ମୁଖ୍ୟ ରାସ୍ତାକୁ ସଂଯୋଗ କରିବ, ପର୍ଯ୍ୟଟକଙ୍କ ଗାଡ଼ି କେଉଁଠି ପାର୍କିଂ ହେବ, କେଉଁଠୁ ଯାତ୍ରୀ ଚାଲିଚାଲି ଆସିବେ, ବ୍ୟାଟେରି ଗାଡ଼ି କେଉଁଠି ରହିବ, ବର୍ଷର କେଉଁ ସମୟରେ କେତେ ଯାତ୍ରୀ ଆସିବେ, କିପରି ଯାତ୍ରୀଙ୍କୁ ନିୟନ୍ତ୍ରଣ କରାଯିବ, ଟ୍ରାଫିକ ପୁଲିସ ଥାନା କେଉଁଠି ହେବ, କେତେ କର୍ମଚାରୀ ରହିବେ, ଭଙ୍ଗାଯାଇଥିବା ଲିଙ୍ଗରାଜ ଥାନା କିପରି ନିର୍ମାଣ ହେବ, ଏହାର ବିଲଡିଂ ପ୍ଲାନ୍ କିପରି ହେବ, ଜାଗର, ଶ୍ରାବଣ ମାସରେ ଅଧିକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କୁ କିପରି ଧାଡ଼ି ଦର୍ଶନରେ ଛଡ଼ାଯିବ, କିପରି ପର୍ଯ୍ୟଟକମାନଙ୍କୁ ଅନ୍ୟ ସମୟରେ ନିୟନ୍ତ୍ରଣ କରି ମନ୍ଦିରକୁ ଛଡ଼ାଯିବ, ସେନେଇ ଆଲୋଚନା ହେବ।
ଏହାବ୍ୟତୀତ ହଠାତ୍ କୌଣସି ଦୁର୍ଘଟଣା ଘଟିଲେ କିମ୍ବା ମନ୍ଦିର ଭିତରେ ଭିଡ଼ଜନିତ ଦୁର୍ଘଟଣା ଘଟିଲେ କିପରି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯିବ, ଅଗ୍ନିଶମ ଗାଡ଼ି କିପରି ଯାତାୟାତ କରିପାରିବ, ତାହା ଉପରେ ବି ଆଲୋଚନା ହେବ।
ଲିଙ୍ଗରାଜ ମନ୍ଦିର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷାବଳୟ ଭିତରେ ରଖାଯିବ। ତେଣୁ କେଉଁଠି ଓ କେତେ ସିସିଟିଭି ଲାଗିବ, ଏହାର କଣ୍ଟ୍ରୋଲ ରୁମ୍ କେଉଁଠି ହେବ, ଏହାକୁ କିପରି ପରିଚାଳନା କରାଯିବ ସେନେଇ ନିଷ୍ପତ୍ତି ହେବ।
ମନ୍ଦିର ନିକଟକୁ କିପରି ମୋ ବସ୍ ଆସିବ, ବିମାନବନ୍ଦର, ରେଳଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରୁ ନିୟମିତ ବ୍ୟବଧାନରେ ମୋ ବସ୍ ଚଲାଇବା ନେଇ କ୍ରୁଟ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ।
ଏବେ କିଛି ଲୋକ ଜମି ଦେବାକୁ ରାଜି ହେଉ ନଥିବାରୁ ସେମାନଙ୍କୁ କିପରି ରାଜି କରାଯିବ, କିପରି ପ୍ରଥମ ପର୍ଯ୍ୟାୟର ଟାର୍ଗେଟ୍ ଜମି ଅଧିଗ୍ରହଣ ହେବ, ଦ୍ବିତୀୟ ପର୍ଯ୍ୟାୟରେ କେଉଁ କେଉଁ ଅଞ୍ଚଳରେ ଜମି ଅଧିଗ୍ରହଣ ହେବ, ମାଷ୍ଟରପ୍ଲାନ୍କୁ କାର୍ଯ୍ୟକାରୀ କରିବାକୁ ହେଲେ କେଉଁ ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ଜମି ଅଧିଗ୍ରହଣ ହେବ, ସେନେଇ ନିଷ୍ପତ୍ତି ହେବ। ଏହାବାଦ୍ ଯେଉଁ ଯେଉଁ ବିଭାଗର ଯାହା ସମସ୍ୟା ରହିଛି, ସେନେଇ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି।
ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସେତୁ ଭବନରେ ବସିବାକୁ ଥିବା ଏହି ବୈଠକରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ, ଭୁବନେଶ୍ବରର ଦୁଇ ଟ୍ରାଫିକ ଏସିପି, ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା), ମୁଖ୍ୟ ଯନ୍ତ୍ରୀ (କୋଠା), ଭୁବନେଶ୍ବର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ, ବିଡିଏର ପ୍ଲାନିଂ ମେମ୍ବର, ଇଞ୍ଜିନିୟରିଂ ମେମ୍ବର ପ୍ରମୁଖ ଏହି ବୈଠକରେ ଯୋଗଦେବେ।
ସେହିପରି ଐତିହ୍ୟ କରିଡର୍ ନିର୍ମାଣ ହୋଇଗଲେ, ଏହାକୁ ଯେପରି କିଛି ବର୍ଷ ପର୍ଯ୍ୟନ୍ତ ଖୋଳାଖୋଳି କରାଯିବନି କି ଏହାର ସୌନ୍ଦର୍ଯ୍ୟୀକରଣ ନଷ୍ଟ ହେବନି, ସେଥିପାଇଁ ଓବିସିସି ପକ୍ଷରୁ ଗେଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଯଦି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଗ୍ୟାସ୍ ପାଇପ୍ ବିଛାଇବାର ଅଛି, ତେବେ ଏବେ ବିଛାଇବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଯେପରି ମନ୍ଦିର ଚତୁଃପାର୍ଶ୍ବ ଏବଂ ଐତିହ୍ୟ କରିଡର୍ ପରିସରରେ ଖୋଳାଖୋଳି ହେବନି ତାହାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।