ଭୁବନେଶ୍ୱର: ପାଠକମାନଙ୍କ ପାଇଁ ହିଁ ସାହିତ୍ୟର ସୃଷ୍ଟି। ତେଣୁ ସେମାନଙ୍କ ମତ ହିଁ ସର୍ବଶ୍ରେଷ୍ଠ ପୁରସ୍କାର। ଜୟଦେବଭବନ ପରିସରେ ଆୟୋଜିତ ସରଳ କୁମାର ଦାସଙ୍କ ସମ୍ପାଦିତ ତଥା ପାଠକଙ୍କ ଦ୍ୱାରା ନିର୍ବାଚିତ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ-ତୃତୀୟ ଅଙ୍କ ଓ ‘କଥା ଉଚ୍ଛ୍ୱାସ-ପ୍ରଥମ ଅଙ୍କ’ର ପାଠକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଅବସରପ୍ରାପ୍ତ ମନସ୍ତତ୍ତ୍ୱ ବିଭାଗ ପ୍ରଫେସର ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ଲେଖକ, ପାଠକ ଓ ପ୍ରକାଶକଙ୍କ ତ୍ରିବେଣୀ ସଙ୍ଗମରେ ସାହିତ୍ୟ ସମୃଦ୍ଧ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପାଠକମାନଙ୍କ ଦ୍ୱାରା ହେଉଥିବା ଏମିତି ଚୟନ ପ୍ରକ୍ରିୟା ଜାରି ରହିଲେ, ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ। ଅନାସକ୍ତ ଆକଳନ ପାଇଁ ଏଭଳି ଏକ ପ୍ରକ୍ରିୟା ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ। 

Advertisment

‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ: ତୃତୀୟ ଅଙ୍କ’ ଓ ‘କଥା ଉଚ୍ଛ୍ବାସ: ପ୍ରଥମ ଅଙ୍କ’ ପାଠକାର୍ପିତ

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଗାଳ୍ପିକ ତରୁଣକାନ୍ତି ମିଶ୍ର କହିଲେ ଯେ ପାଠକଙ୍କ ମତାମତରେ ଯେଉଁ ଆନନ୍ଦ ଥାଏ, ତାହା ପୁରସ୍କାରରେ ନଥାଏ। ଏହି ସଭାରେ ଉପସ୍ଥିତ ପାଠକମାନଙ୍କ ସାହିତ୍ୟ ପ୍ରତି ଅନୁରାଗ କାର୍ଯ୍ୟକ୍ରମକୁ ବିରଳ କରିପାରିଛି ବୋଲି ସେ କହିଥିଲେ। ସଭାପତି ଶ୍ରୀ ଦାସ କହିଲେ ଯେ ପ୍ରତ୍ୟେକ ଗଳ୍ପରେ ଜୀବନର ନିଚ୍ଛକ ଛବି ରହିଲେ, ତାହା ଆଦୃତି ଲାଭ କରିଥାଏ। ଗପଟିଏ ମନକୁ ଯେତିକି ଉଦାର କରେ ସେତିକି ଚେତନା ଉଦ୍ରେକ କରେ ବୋଲି ସେ କହିଥିଲେ। ଏହି ଅବସରରେ ପାଠକଙ୍କ ଦ୍ବାରା ନିର୍ବାଚିତ ହୋଇ ସଂକଳନରେ ସ୍ଥାନ ପାଇଥିବା ଗପଗୁଡ଼ିକର ଚୟନ ପ୍ରକ୍ରିୟା ସମ୍ପର୍କରେ ସମ୍ପାଦକ ଶ୍ରୀ ଦାସ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏହି ଅବସରରେ ପୁଷ୍ପଲତା ଜେନାଙ୍କୁ ‘ଜୟନ୍ତରାଣୀ ସ୍ମୃତି ଶ୍ରେଷ୍ଠ ପାଠକ ପୁରସ୍କାର’ ଓ ମନୋରଞ୍ଜନ ହୋତା, ଜ୍ୟୋତିରଞ୍ଜନ ମିଶ୍ର, ବିଶ୍ବନାଥ ସାହୁ, ସୁମିତା ବେହେରା, ବିଦ୍ୟାଧର ମହାରଣା, କାଳନ୍ଦୀ ରାଉତ, ଲକ୍ଷ୍ମଣ କୁମାର ପାଣ୍ଡବ, ଆଦିତ୍ୟ ବିକ୍ରମ ରଥଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଗପଗୁଡ଼ିକୁ ପଢ଼ି ବାଛିବା ପ୍ରକ୍ରିୟାରେ ସାମିଲ ଥିବା ପାଠକ ସୌରଭମୟ ଦାସ, ଜ୍ୟୋତିରଞ୍ଜନ ମିଶ୍ର, ପ୍ରଣତି ଆଚାର୍ଯ୍ୟ ମିଶ୍ର, ଶିବୁ ଦାସଙ୍କ ସମେତ ଗାଳ୍ପିକ ସୀତେଶ ତ୍ରିପାଠୀ, ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ବେଦପ୍ରକାଶ ନାୟକ ସଭା ସଞ୍ଚାଳନ କରିଥିଲେ ଏବଂ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।