ତାରକା ହୋଟେଲ ଯୋଜନାକୁ ବାଟ ଫିଟିଲା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ରୂପ ନେବାକୁ ଯାଉଛି। ଯଦିଓ ବିଡିଏ ପକ୍ଷରୁ ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ଜମିର ଇ-ନିଲାମ ଡକାଯାଇଥିଲା। ଏଥିରୁ ୫ଟି ଜମିରେ ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସର୍ବାଧିକ ମୂଲ୍ୟ ଡାକିଥିବା ସଂସ୍ଥାଗୁଡ଼ିକୁ ଖୁବ୍‌ ଶୀଘ୍ର ଜମି ହସ୍ତାନ୍ତର କରିବାକୁ ଯୋଜନା ଆରମ୍ଭ ହୋଇଛି। ଜମି ହସ୍ତାନ୍ତର ପରେ ୩ ବର୍ଷରେ ହୋଟେଲ ନିର୍ମାଣ ଶେଷ କରିବାକୁ ଟାର୍ଗେଟ୍‌ ରଖାଯାଇଛି। ବିଡିଏ ପକ୍ଷରୁ ଡକାଯାଇଥିବା ଇ-ନିଲାମିରେ ଗୋପବନ୍ଧୁ ନଗରରେ ଥିବା ୧.୭୩୦ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ୱରର ଡି.ଏନ୍‌ ହୋମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨.୫୩କୋଟି ଟଙ୍କାର ବିଡିଂ ଡାକିଛି। ସେହିପରି ପଟିଆରେ ୩.୫୦ଏକର ଜମିରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ ପାଇଁ କଟକର ଶ୍ରୀ ଦୁର୍ଗା କଣ୍ଡେଭ ପ୍ରା. ଲିମିଟେଡ୍‌ ଏବଂ ପଦ୍ମା ହସ୍ପିଟାଲିଟି ପ୍ରା. ଲିମିଟେଡ୍‌ ୧୧.୬୦କୋଟି, ଚନ୍ଦ୍ରଶେଖରପୁରରେ ୩ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ୱରର ଡାଇଭର୍ସିଫାଏଡ୍‌ ଏନର୍ଜି ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୫.୯୬କୋଟି, ଚଣ୍ଡୀ ହାଟ(୨)ରେ ୩.୫୦ଏକର ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ନୂଆଦିଲ୍ଲୀର ଶ୍ୟାମ ଇଣ୍ଡସ୍‌ ପାଓ୍ଵାର ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ୩.୨୨କୋଟି, ଭରତପୁରର ୦.୫୦ଏକର ଜମିରେ ବଜେଟ୍‌ ହୋଟେଲ ନିର୍ମାଣ ପାଇଁ ଭୁବନେଶ୍ୱରର ଶୈଳବାଳା ଇନଫ୍ରାଷ୍ଟ୍ରକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୩କୋଟି ଟଙ୍କାରେ ଜମି ନିଲାମ ନେଇଛନ୍ତି।

୫ ଜମି ପାଇଁ କେହି ଆବେଦନ କଲେନି
ଜମି ହସ୍ତାନ୍ତର ପାଇଁ ବିଡିଏର ପଦକ୍ଷେପ
ସାଧାରଣ ପ୍ରଶାସନ ଓ ଇଡ୍‌କୋ ଦେବେ ଜମି

ଏହି ସବୁ ସଂସ୍ଥାକୁ ଜମି ଯୋଗାଇବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ଇଡ୍‌କୋକୁ ଚିଠି ଲେଖାଯାଇଛି ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର ବଡ ବଡ଼ ହୋଟେଲ ଗ୍ରୁପ୍‌ ଏହି ବିଡିଂରେ ଭାଗ ନେବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ସେମାନେ ଭାଗ ନେଲେନି। ଯେଉଁମାନେ ଭାଗ ନେଲେ ତାଙ୍କଠାରୁ ସ୍ଥାନୀୟ ସଂସ୍ଥାଗୁଡ଼ିକ ଅଧିକ ବିଡିଂ ଡାକିଛନ୍ତି। ଏହି ସଂସ୍ଥାଗୁଡ଼ିକଙ୍କର ରିଅଲ ଇଷ୍ଟେଟ୍‌ ଏବଂ ହୋଟେଲ ଜଗତରେ ପୂର୍ବରୁ ସଂପୃକ୍ତି ଥିବାରୁ ସେମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଛୁ। ସୂଚନାଯୋଗ୍ୟ ଯେ ରାଜଧାନୀର ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିରେ ବମିଖାଲ, ଭୀମପୁର, ଚନ୍ଦ୍ରଶେଖରପୁର, ପଟିଆ, ଗୋପବନ୍ଧୁ ନଗର, ଭରତପୁର, ଘାଟିକିଆ, ଇଡ୍‌କୋ ଚନ୍ଦକା ଶିଳ୍ପାଞ୍ଚଳ, ଇନଫୋଭ୍ୟାଲି -୧ ଓ ଇନଫୋଭ୍ୟାଲି-୨ରେ ଜମି ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବମିଖାଲ, ଭୀମପୁର, ଘାଟିକିଆ, ଇନଫୋଭ୍ୟାଲି -୧ ଓ ଇନଫୋଭ୍ୟାଲି-୨ରେ କେହି ହୋଟେଲ ନିର୍ମାଣ କରିବାକୁ ଆଗ୍ରହ ଦେଖାଇଲେନି। ତେଣୁ ଏନେଇ ଆଉ ଥରେ ଇ-ନିଲାମ ଡାକିବାକୁ ଯୋଜନା ହୋଇଛି। ଆମେ ୬ଟି ତାରକା ହୋଟେଲ ଏବଂ ୪ଟି ବେଜଟ୍‌ ହୋଟେଲ ନିର୍ମାଣ କରିବାକୁ ଟାର୍ଗେଟ୍‌ ରଖିଥିଲେ ହେଁ ୪ଟି ତାରକା ହୋଟେଲ ଓ ଗୋଟିଏ ବଜେଟ୍‌ ହୋଟେଲ ପାଇଁ ଜମି ନିଲାମ ହେଲା। ଏହିଭଳି ହୋଟେଲ ପାଇଁ ସରକାର ସମସ୍ତ ପ୍ରକାରର ସୁବିଧା ସୁଯୋଗ ମେକ୍‌ ଇନ୍‌ ଓଡ଼ିଶା ଯୋଜନାରେ ଯୋଗାଇବେ। ବିଡିଏ ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ କୌଣସି ପ୍ରକାରର ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା, ସମ୍ମିଳନୀ ହେଲେ ଆବଶ୍ୟକୀୟ ହୋଟେଲ୍‌ ମିଳୁନି। ଏପରିକି ଯେତିକି ତାରକା ହୋଟେଲ ଅଛି ସେଠାରେ ସର୍ବାଧିକ ୭୦୦ରୁ ୮୦୦ ଲୋକ ରହିବାର ବ୍ୟବସ୍ଥା ଅଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ହେଲେ କଟକ ଓ ପୁରୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କୁ ରଖିବାକୁ ପଡ଼ୁଛି। ତେଣୁ ଭୁବନେଶ୍ୱରରେ ୧୦ରୁ ଅଧିକ ତାରକା ହୋଟେଲ ନିର୍ମାଣ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର