ଡଟ୍‌ ଫେଷ୍ଟ ଭୁବନେଶ୍ବର, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ୧୬ ଦିନ ଧରି ଦୁଲୁକିବ ପ୍ରଦର୍ଶନୀ ପଡ଼ିଆ। କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ୍‌ ହକି ସହ ତାଳ ଦେଇ ଏଠାରେ ଆୟୋଜିତ ହେବାକୁ ଯାଉଛି ଡଟ୍‌ ଫେଷ୍ଟ ଭୁବନେଶ୍ବର। ଶ୍ରେୟା ଘୋଷାଲ, ଶଙ୍କର-ଏହସାନ୍‌-ଲଏ, ବିଶାଲ-ଶେଖର, ଶାନ୍ତନୁ ମୁଖାର୍ଜୀ (ସାନ୍‌), ଫରହାନ୍‌ ଅଖତରଙ୍କ ଭଳି ବଲିଉଡ୍‌ କଳାକାରଙ୍କ ସମେତ ସୋନା ମହାପାତ୍ରଙ୍କ ଭଳି ଗାୟିକାଙ୍କ ଭିଡ଼ ଜମିବ। ଏହା ସହିତ ୧୬ ଦେଶର ପ୍ରସିଦ୍ଧ ଖାଦ୍ୟ, ଚନ୍ଦନପୁର ଚୁଡ଼ା କଦମ୍ବା ବି ଖାଇବାକୁ ସୁଯୋଗ ମିଳିବ। ମନୋରଞ୍ଜନ ପାଇଁ ଏକ ଭିନ୍ନଧରଣର ସେଲ୍ଫି ପଏଣ୍ଟ ମଧ୍ୟ ରହିବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୧୦ ଦିନ ପାଇଁ ମାଗଣା ପ୍ରବେଶ
୧୬ ଦିନ ଧରି ଚାଲିବାକୁ ଥିବା ଏହି ଫେଷ୍ଟ ଭୁବନେଶ୍ବର କାର୍ଯ୍ୟକ୍ରମରେ ୬ ଦିନ (୧, ୩, ୮, ୯, ୧୪ ଓ ୧୬ ତାରିଖ) ପାଇଁ ଟିକେଟ୍‌ ବ୍ୟବସ୍ଥା ଥିବା ବେଳେ ୧୦ ଦିନ ମାଗଣା ପ୍ରବେଶ ରହିଛି। ଏହି ୬ ଦିନ ବଲିଉଡ୍‌ର କଳାକାରଙ୍କ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହି ସୋ’ରେ ସାମିଲ ହେବା ପାଇଁ ଅନ୍‌ଲାଇନ୍‌ ସହ ଅଫ୍ ଲାଇନ୍‌ରେ ବ୍ୟବସ୍ଥା ହୋଇଛି। ଅଫ୍‌ଲାଇନ୍‌ ପାଇଁ କିଟ୍‌, ସୋଆ, ପାଲ ହାଇଟ୍‌, ଏସ୍‌ପ୍ଲାନେଡ୍‌, ଭବାନୀ ମଲ, ମାର୍କେଟ ବିଲ୍ଡିଂ, ସେଣ୍ଟ୍ରାଲ ଓ ଏକାମ୍ର ହାଟରେ ବ୍ୟବସ୍ଥା ହୋଇଥିବା ବେଳେ ଆଜିଠାରୁ ବାଲିଯାତ୍ରା ଓ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଆଉ ଦୁଇଟି କାଉଣ୍ଟର୍‌ ଖୋଲିଛି। ୭୫୦ଟଙ୍କା ଟିକେଟ୍‌ରେ ସୋଫାରେ ବସି ଦେଖିବା ବ୍ୟବସ୍ଥା ରହିଛି। ୫୦୦ ଟଙ୍କିଆ ଟିକେଟ୍‌ରେ ପ୍ଲାଷ୍ଟିକ୍‌ ଚେୟାରରେ ବସିବା ବ୍ୟବସ୍ଥା ଥିବା ବେଳେ ୨୫୦ଟଙ୍କିଆ ଟିକେଟ୍‌ରେ ଦର୍ଶକ ଛିଡ଼ା ହୋଇ କାର୍ଯ୍ୟକ୍ରମକୁ ଦେଖି ପାରିବେ। ତେବେ ଇତିମଧ୍ୟରେ ୨୫୦ ଟଙ୍କାର ଟିକେଟ୍‌ ଶେଷ ହୋଇଯାଇଥିବା ଜଣାପଡ଼ିଛି। ୧ ତାରିଖର ଆକର୍ଷଣ ବିଶାଲ ଶେଖର ଥିବା ବେଳେ ୮ ତାରିଖ ଶ୍ରେୟା ଘୋଷାଲ ଓ ୧୬ ତାରିଖରେ ଶଙ୍କର ଏହେସାନ୍‌ ଲଏ ରହିଛନ୍ତି।

କମ୍‌ ମୂଲ୍ୟର ଟିକେଟ୍‌ ଶେଷ
ଆଜିଠୁ ମିଳିବ ହାର୍ଡକପି
ଅନ୍‌ଲାଇନ୍‌ରେ ବୁକିଂ କରିଥିବା କଳାପ୍ରେମୀ ଗୁରୁବାର(୨୯ ତାରିଖ) ଠାରୁ ଟିକେଟ୍‌ ସଂଗ୍ରହ କରିପାରିବେ। ଏହା କେବଳ ଏକାମ୍ର ହାଟରେ ଥିବା ୫ଟି କାଉଣ୍ଟର୍‌ରେ ଉପଲବ୍ଧ ହେବ। ୧୧ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏଠାରେ ହାର୍ଡ କପି ଯୋଗାଇ ଦିଆଯିବ। ଫେଷ୍ଟ ଶେଷ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ତା ଛଡ଼ା ଆସନ୍ତାକାଲି (ଗୁରୁବାର)ଠାରୁ ପ୍ରତ୍ୟେକ କାଉଣ୍ଟରରେ ଟିକେଟ୍‌ (ହାର୍ଡ କପି) ଉପଲବ୍ଧ ହେବ।

ଡଟ୍‌ ଫେଷ୍ଟ ପାଇଁ ପ୍ରଚାର ଜୋରଦାର
ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଡିସେମ୍ବର ୧ରୁ ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡଟ୍‌ ଫେଷ୍ଟ ପାଇଁ ବିଡିଏ ପକ୍ଷରୁ ଜୋରଦାର୍ ପ୍ରଚାର ଆରମ୍ଭ ହୋଇଛି। ଆଜି ବିଏମ୍‌ସି ଭବାନୀ ମଲ୍‌ ଓ ପାଲ୍‌ହାଇଟ୍‌ସ ନିକଟରେ ଯୁବ ସ୍ବେଚ୍ଛାସେବୀମାନେ ଜୁମ୍ବା ନୃତ୍ୟ ପରିବେଷଣ କରିଥିବା ବେଳେ ଗୁରୁବାରଠାରୁ ବିଭିନ୍ନ ମଲ୍‌ ନିକଟରେ ପଥପ୍ରାନ୍ତ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଅଧିକରୁ ଅଧିକ ରାଜଧାନୀବାସୀ ଯେପରି ଡଟ୍‌.ଫେଷ୍ଟ୍‌ରେ ସାମିଲ୍ ହେବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହେବ। କଟକ ବାଲିଯାତ୍ରା ପଡ଼ିଆରେ ବି ଏକ ଟିକେଟ୍‌ କାଉଣ୍ଟର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି।

ମ‌ନ ମୋହିବ ପ୍ରବେଶ ପଥ
ପ୍ରବେଶ ପଥରେ ଏକ ଆକର୍ଷଣୀୟ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଏଥିରେ ବିଭିନ୍ନ ଦେଶର ଚର୍ଚ୍ଚିତ କୀର୍ତି ସ୍ଥାନ ପାଇଛି। ଭାରତର ‌ଲୋଟସ୍‌ ଟେମ୍ପୁଲ ସହ ପ୍ୟାରିସ ଟାୱାର, ଚାଇନାର ପ୍ରସିଦ୍ଧ ବୁଦ୍ଧମନ୍ଦିର ପ୍ରଭୃତି ଏହି ଫେଷ୍ଟକୁ ଏକ ଭିନ୍ନ ଲୁକ୍‌ ଦେବାକୁ ଯାଉଛି। ଏଥିପାଇଁ ପାଖାପାଖି ଦେଢ଼ଶହ କାରିଗର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି।

ଜମିବ ହିରୋ ନାଇଟ୍‌
୬ ଦିନର ବଲିଉଡ୍‌ ନାଇଟ୍‌ ପରେ ଆଉ ୧୦ ଦିନ ଉପଭୋଗ କରିବା ପାଇଁ ଦର୍ଶକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ବାସ୍ତବରେ ଏହି ଦଶ ଦିନ ବେଶ୍‌ ଜମିବ। ଅରୁଣା ମହାନ୍ତିଙ୍କର କ୍ଲାସିକାଲ ନୃତ୍ୟ ସହ କୋକ୍ ଷ୍ଟୁଡିଓର କ୍ଲିଣ୍ଟନ୍‌ ସେରେଜୋ, ଡିଜେ ୱିଲି ଓ ତେଜୁଙ୍କର ଡିଜେ, ଋତୁରାଜ ମହାନ୍ତିଙ୍କ ସୁଫି ନାଇଟ୍‌, ପ୍ରିନ୍‌ସ୍‌ ଡ୍ୟାନ୍‌ସ ଗ୍ରୁପ୍‌ ଓ ଭି ଡ୍ୟାନ୍‌ସ କମ୍ପାନିର ଫ୍ୟୁଜନ୍‌ ସହ ବିଶ୍ବ କଲ୍ୟାଣଙ୍କର ହସର ଖୋରାକ୍‌ ମଧ୍ୟ ରହିଛି। ତା ସହିତ ସିଟି ବ୍ୟାଣ୍ଡ କମ୍ପିଟିସନ୍‌ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିବ ବୋଲି ଆୟୋଜକ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର